
ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ସ୍କୁଆର୍ଡ ଦ୍ଵାରା ୨୯୪ କୋଟି ଟଙ୍କାର ଜାଲ ବିଲ ମାଧ୍ୟମରେ ୫୨.୭୭ କୋଟି ଟଙ୍କାର ଜାଲ ଇନ୍ପୁଟ ଟାକ୍ସ କ୍ରେଡିଟ (ITC) ହସ୍ତାନ୍ତର କରିଥିବା ଏକ ବଡ ରାକେଟର ପର୍ଦ୍ଦା ଫାଶ ହୋଇଛି । ବାଣିଜ୍ୟ କର ଓ ଜିଏସ୍ଟି କମିଶନର ଏସ୍.କେ.ଲୋହାନୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢଉ ହୋଇଥିବାବେଳେ ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ଶାଖା ଦ୍ଵାରା ପର୍ଦ୍ଦା ଫାଶ ହୋଇଥିବା ଏହା ହେଉଛି ଚତୁର୍ଥ ବୃହତ ଘଟଣା ।
ଓଡିଶା ଜିଏସଟି ଆଇନ ୨୦୧୭ ର ଧାରା – ୬୯ ଅନୁଯାୟୀ ରାଜ୍ୟ ଜିଏସଟି ଆୟୁକ୍ତଙ୍କୁ ଦିଆଯାଇଥିବା କ୍ଷମତା ବଳରେ ଏହି ଠକେଇରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ମାନଙ୍କୁ ଧାରା – ୧୩୨(୧) ଅନୁଯାୟୀ ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ ପାଇଁ ଗିରଫ କରାଯାଇଛି । ଏହି ଗିରଫ ଅଭିଯୁକ୍ତମାନେ ହେଲେ – (୧) ସାହୁ ଟ୍ରେଡ଼ର୍ସ ର ପ୍ରୋପ୍ରାଇଟର ତଥା ଭୁବନେଶ୍ଵର ଶୈଳଶ୍ରୀବିହାରର ପ୍ରମୋଦ କୁମାର ସାହୁ (୨) ଭୁବନେଶ୍ଵର ପଟିଆ ନିବାସୀ ବିକାଶ ସରାଉଗୀ ।
ସନ୍ଦିଗ୍ଧ ୱେବିଲ କାରବାର ଗୁଡିକୁ ଯାଞ୍ଚ କରାଯିବା ସହ ଗୁଇନ୍ଦା ତଥ୍ୟ ସଂଗ୍ରହ ପରେ ୧୧ ଗୋଟି ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଏକ ସମୟରେ ଚଢାଉ କରାଯାଇଥିଲା । ତେବେ ଏଗୁଡିକ ଭୁତ ବ୍ୟବସାୟୀକ ପ୍ରତିଷ୍ଠାନ ବୋଲି ଜଣା ପଡିଥିଲା । ବିଭିନ୍ନ ବ୍ୟାଙ୍କରେ ଏହି ଭୁତ ବ୍ୟବସାୟୀକ ପ୍ରତିଷ୍ଠାନ ନାମରେ ବ୍ୟାଙ୍କ ଖାତା ଖୋଲାଯାଇ ପ୍ରଚୁର ଅର୍ଥ କାରବାର କରାଯାଇଥିବା ସମ୍ପର୍କରେ ଅନୁସନ୍ଧାନ ସମୟରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ପଚରାଉଚରା କରାଯାଇଥିଲା ।
ଭଡାରେ ନିଆଯାଇଥିବା ଏହି ଜାଲ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକର ଘର ମାଲିକ ମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସମସ୍ତ ଭଡା ସମ୍ପର୍କିତ ଚୁକ୍ତିଗୁଡିକ ନକଲି ଥିବା ଏହି ପଚରାଉଚରାରୁ ଜଣା ପଡିଥିଲା । କୌତୁହଳର ବିଷୟ ଯେ ୨୦୧୮ ରେ କରାଯାଇଥିବା ଦୁଇଟି ଭଡା ସମ୍ପର୍କିତ ରାଜିନାମାରେ ଘର ମାଲିକଙ୍କ ଦସ୍ତଖତ ନକଲି ଥିଲା । ୨୦୦୬ ଓ ୨୦୧୨ ମସିହାରେ ସମ୍ପୃକ୍ତ ଘର ମାଲିକ ଦୁଇଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ଅନେକ କ୍ଷେତ୍ରରେ ବ୍ୟାଙ୍କ ଏକାଉଣ୍ଟ ଧାରିଙ୍କ ଦସ୍ତଖତକୁ ନକଲ କରାଯାଇ ବ୍ୟାଙ୍କ ଏକାଉଣ୍ଟ ଖୋଲା ଯାଇଥିଲା ଓ ଏଗୁଡିକ ମାଧ୍ୟମରେ କୋଟି କୋଟି ଟଙ୍କାର ଦେଣନେଣ କରାଯାଉଥିଲା ।
ଅନୁସନ୍ଧାନରୁ ଜଣାପଡିଛି ଯେ ଗିରଫ ହୋଇଥିବା ଏହି ମାଷ୍ଟରମାଇଣ୍ଡମାନେ ସରକାରୀ ଯୋଜନାରେ ଫାଇଦା ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ନିରୀହ ଲୋକଙ୍କଠାରୁ ପରିଚୟ ସମ୍ପର୍କିତ କାଗଜପାତ୍ର ହାସଲ କରିଥିଲେ ଏବଂ ଏଗୁଡ଼ିକୁ ଅପବ୍ୟବହାର କରି ଜିଏସଟି ପଞ୍ଜୀକରଣ ନେବା ସହିତ ବିଭିନ୍ନ ବ୍ୟାଙ୍କରେ କରେଣ୍ଟ ଏକାଉଣ୍ଟ ଖୋଲିଥିଲେ ।
ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଏହି ଅଭିଯୁକ୍ତମାନେ ୪୮.୫୮ କୋଟି ଟଙ୍କାର ଜାଲ ଇନ୍ପୁଟ ଟାକ୍ସ କ୍ରେଡିଟ (ITC) ବ୍ୟବହାର କରି ସେମାନେ ସୃଷ୍ଟି କରିଥିବା ଏହି ଭୁତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ନାମରେ ଜାଲ ବିଲ ବଳରେ ଅନ୍ୟ ବ୍ୟବସାୟୀମାନଙ୍କୁ ୫୨.୭୭ କୋଟି ଟଙ୍କାର ଜାଲ ଇନ୍ପୁଟ ଟାକ୍ସ କ୍ରେଡିଟ (ITC) ହସ୍ତାନ୍ତର କରିଛନ୍ତି । ଓଡିଶା ଜିଏସଟି ଆଇନ ୨୦୧୭ ର ଧାରା ୧୩୨(୧)(ମ), ୧୩୨(୧)(ଭ), ୧୩୨(୧)(କ୍ଷ) ଅନୁଯାୟୀ ସେମାନେ କରିଥିବା ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ ୧୩୨(୧)(ସ) ଧାରା ଅନୁଯାୟୀ ଦଣ୍ଡନୀୟ ।
ଅନୁସନ୍ଧାନ ସମୟରେ ଏହି ଭୁତ ଫାର୍ମ ଗୁଡିକର ପ୍ରୋପ୍ରାଇଟରମାନେ କୌଣସି ବ୍ୟବସାୟ କରି ନଥିବା କିମ୍ବା କିଣା ବିକା କରିନଥିବା ସ୍ଵୀକାର କରିଥିଲେ । ରିଟର୍ନରେ ଦର୍ଶା ଯାଇଥିବା କାରବାର ଗୁଡିକ କେବଳ କାଗଜ କଲମରେ ସୀମିତ ଥିଲା । ଏହି ନିରୀହ ଲୋକଙ୍କ ନାମରେ ଜିଏସଟି ପଞ୍ଜିକରଣ ନିଆଯାଇ ଚେକ ବୁକରେ ଏବଂ RTGS ଫର୍ମରେ ସେମାନଙ୍କ ଦସ୍ତଖତ ନେଇ ଏହି ମାଷ୍ଟରମାଇଣ୍ଡମାନେ ବ୍ୟାଙ୍କ କାରବାର କରିଥିଲେ । କେତେକ କ୍ଷେତ୍ରରେ ସେମାନଙ୍କ ଦସ୍ତଖତକୁ ନକଲ ମଧ୍ୟ କରାଯାଇଛି ।
ଉପରୋକ୍ତ ଅଭିଯୁକ୍ତମାନେ କୌଣସି ଟିକସ ନ ଦେଇ ଓ ପ୍ରକୃତ ଯୋଗାଣକାରୀ (supplier) ଙ୍କ ଠାରୁ କୌଣସି ବିଲ ହାସଲ ନ କରି ଲୁହା ଇନଗଟ, ଲୁହା ରଡ, ସ୍କ୍ରାପ ଆଦି ଜିନିଷ କ୍ରୟ କରିଥିବା ଜଣା ଯାଇଛି । ବିନା ବିଲରେ କିଣା ଯାଇଥିବା ଏହି ଜିନିଷ ଗୁଡିକର ବିକ୍ରୀକୁ ନିୟମିତ କରିବା ଉଦ୍ଦେଶ୍ୟରେ ସେମାନେ ସୃଷ୍ଟି କରିଥିବା ଭୁତ ଫାର୍ମ ନାମରେ ଜାଲ ବିଲ ତିଆରି କରିଥିଲେ କିମ୍ବା ଯୋଗାଡ କରିଥିଲେ ଏବଂ ଏହି ଜାଲ ବିଲ ମାଧ୍ୟମରେ ସେମାନେ ହାସଲ କରିଥିବା ପୂର୍ବ କଥିତ ଜାଲ ଓଞଉ କୁ ବ୍ୟବହାର କରିଥିଲେ ।
ଓଡିଶା ରାଜ୍ୟର ଯେଉଁ ବ୍ୟବସାୟୀମାନେ ଏହି ଜାଲ ଇନପୁଟ ଟାକ୍ସ କ୍ରେଡିଟ ବ୍ୟବହାର କରି ଟିକସ ଫାଙ୍କିଛନ୍ତି, ସେମାନଙ୍କ ଠାରୁ ଟିକସ ଫାଙ୍କିର ପରିମାଣ ଏବଂ ସୁଧ ସହ ଜୋରିମାନା ଆଦାୟ କରାଯିବା ଦିଗରେ ବିଭାଗ ତରଫରୁ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବାହାର ରାଜ୍ୟର ଯେଉଁ ବ୍ୟବସାୟୀମାନେ ଏହି ଜାଲ ଇନପୁଟ ଟାକ୍ସ କ୍ରେଡିଟ (ITC) ନେଇଛନ୍ତି ସେମାନଙ୍କ ଠାରୁ ଏହି ଠକେଇ ଅର୍ଥ ସୁଧ ଓ ଜୋରିମାନା ସହ ଆଦାୟ କରିବା ସହ ଜିଏସଟି ଆଇନରେ ଥିବା ଅନ୍ୟାନ୍ୟ କାର୍ୟ୍ୟ।ନୁଷ୍ଠାନ ନେବାକୁ ସମ୍ପୃକ୍ତ ରାଜ୍ୟର ଜିଏସଟି କମିସନରଙ୍କୁ ଅନୁରୋଧ କରାଯିବ ।