
ଜାତୀୟ ହାର ତୁଳନାରେ ଓଡ଼ିଶାରେ କୃଷକମାନଙ୍କ ପରିବାରର ଆୟର ଅଭିବୃଦ୍ଧି ହାର ଅଧିକ ରହୁଛି । ଯେଉଁ ହାରରେ ଓଡ଼ିଶାରେ କୃଷକ ପରିବାରର ଆୟ ବଢ଼ୁଛି ତାହା ଅବ୍ୟାହତ ରହିଲେ ୨୦୨୨ ବେଳକୁ ଓଡ଼ିଶା କୃଷକ ପରିବାରର ମାସିକ ହାରାହାରି ଆୟ ପରିମାଣ ସର୍ବଭାରତୀୟ ସ୍ତରର ହାରକୁ ଟପିଯିବ ବୋଲି କୃଷି ଅର୍ଥନୀତି ବିଶେଷଜ୍ଞମାନେ ଆଶା କରୁଛନ୍ତି ।
ଜାତୀୟ ସାମ୍ପୁଲ ସର୍ଭେର ୨୦୧୨-୧୩ ବର୍ଷର ହିସାବ ଅନୁଯାୟୀ ଓଡ଼ିଶାରେ କୃଷକ ପରିବାରର ମାସିକ ହାରାହାରି ଆୟ ପରିମାଣ ୪,୯୭୬ ଟଙ୍କା ଥିବା ବେଳେ ଜାତୀୟ ସ୍ତରରେ ଏହା ୬,୪୨୬ ଟଙ୍କା ଥିଲା । ତେବେ ୪ ବର୍ଷ ପରେ ୨୦୧୬-୧୭ ବର୍ଷରେ କରାଯାଇଥିବା ଅନ୍ୟ ଏକ ଆକଳନ ଅନୁଯାୟୀ ଓଡ଼ିଶାରେ କୃଷକ ପରିବାରର ମାସିକ ହାରାହାରି ଆୟ ପରିମାଣ ୭,୭୩୧ ଟଙ୍କା ରେକର୍ଡ କରାଯାଇଛି । ଏହି ବର୍ଷରେ ସର୍ବଭାରତୀୟ ସ୍ତରରେ କୃଷକ ପରିବାରର ମାସିକ ହାରାହାରି ଆୟ ପରିମାଣ ଥିଲା ୮,୯୩୧ ଟଙ୍କା ।
ଏହି ବିଶ୍ଳେଷଣରୁ ଜଣାଯାଇଛି ଯେ ଉକ୍ତ ୪ ବର୍ଷ ମଧ୍ୟରେ ଓଡ଼ିଶାର କୃଷକ ପରିବାରର ମାସିକ ହାରାହାରି ଆୟ ୨,୭୫୫ ଟଙ୍କା ବଢ଼ିଥିବା ବେଳେ ଜାତୀୟ ସ୍ତରରେ ଏହା ୨,୫୦୫ ଟଙ୍କାରେ ସୀମିତ ଥିଲା । ୨୦୧୨-୧୩ରୁ ୨୦୧୬-୧୭ ବର୍ଷ ମଧ୍ୟରେ କୃଷକ ପରିବାରର ମାସିକ ହାରାହାରି ଆୟର ଅଭିବୃଦ୍ଧି ହାର ଓଡ଼ିଶାରେ ୧୧.୬ ପ୍ରତିଶତ ଥିବା ବେଳେ ଜାତୀୟ ସ୍ତରରେ ଏହା ୮.୬ ପ୍ରତିଶତ ବଢ଼ିଥିଲା ।
ଓଡ଼ିଶାରେ କୃଷକ ପରିବାରର ଆୟ ବଢ଼ିବା ପଛରେ ଅନେକଗୁଡ଼ିଏ କାରଣ ରହିଛି । ୨୦୦୭-୦୮ ବର୍ଷ ବେଳକୁ ଓଡ଼ିଶାରେ ମାତ୍ର ୪୦ଲକ୍ଷ ୯୬ହଜାର ହେକ୍ଟର ଜମି ଜଳସେଚିତ ଥିବା ବେଳେ ୨୦୧୬-୧୭ ବର୍ଷ ବେଳକୁ ତାହା ୫୫ଲକ୍ଷ ୯୧ ହଜାର ହେକ୍ଟର ଓ ୨୦୧୮-୧୯ ବେଳକୁ ୬୧ ଲକ୍ଷ ହେକ୍ଟରକୁ ଟପିଥିଲା । ସେହିପରି ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ଅଭିବୃଦ୍ଧି ଢେର୍ ହୋଇଛି । ୨୦୧୩-୧୪ ବେଳକୁ ରାଜ୍ୟରେ ହେକ୍ଟର ପିଛା ପ୍ରାୟ ୫୭ କିଲୋ ରାସାୟନିକ ସାର ଓ ୧୪୪ ଗ୍ରାମ୍ କୀଟନାଶକ ପ୍ରୟୋଗ କରାଯାଉଥିବା ବେଳେ ୨୦୧୮-୧୯ ବର୍ଷ ବେଳକୁ ହେକ୍ଟର ପିଛା ପ୍ରାୟ ୭୩ କିଲୋ ରାସାୟନିକ ସାର ଓ ୧୬୧ ଗ୍ରାମ୍ କୀଟନାଶକ ବ୍ୟବହୃତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି ।
ସେହିପରି ବର୍ଷକୁ ବର୍ଷ ଯାନ୍ତ୍ରିକ କୃଷି ପ୍ରତି ଅଧିକରୁ ଅଧିକ ସଂଖ୍ୟକ କୃଷକ ଆକର୍ଷିତ ହେଉଛନ୍ତି । ଟ୍ରାକ୍ଟର, ପାୱାର ଟିଲର୍, ଧାଡ଼ିରୁଆ ଯନ୍ତ୍ର, ଧାନ ଅମଳ ଯନ୍ତ୍ର ଆଦି କ୍ରମଶଃ ଅଧିକରୁ ଅଧିକ ସଂଖ୍ୟକ କୃଷକ ଆପଣାଉଛନ୍ତି । ଏଥିଯୋଗୁ ହେକ୍ଟର ପିଛା ଶସ୍ୟ ଉତ୍ପାଦନ ରାଜ୍ୟରେ ବୃଦ୍ଧି ପାଉଛି । କୃଷକ ପରିବାରର ଆୟ ବୃଦ୍ଧିର ଏହା ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହାଛଡ଼ା କୃଷି ଋଣ ଯୋଗାଣ, ଆଧୁନିକ ପଦ୍ଧତିରେ ଚାଷ ପାଇଁ ଚାଷୀମାନଙ୍କୁ ଆକୃଷ୍ଟ କରିବା ଏବଂ ଉଚ୍ଚମାନର ବିହନ ଯୋଗାଣ ତଥା ଉତ୍ପାଦିତ ସାମଗ୍ରୀର ବିପଣନ ପାଇଁ ବ୍ୟବସ୍ଥା ଯୋଗୁ ଚାଷୀ ପରିବାରର ଆୟ ବଢ଼ୁଛି ।
ପରିବାରର ଆୟ ବଢ଼ିବା ଫଳରେ ଅନେକ କ୍ଷେତ୍ରରେ କୃଷକ ପରିବାରର ସଦସ୍ୟମାନେ ଅନ୍ୟାନ୍ୟ ରୋଜଗାରର ପନ୍ଥା ମଧ୍ୟ କାଢ଼ୁଛନ୍ତି । ଏହି ଧାରା ଅବ୍ୟାହତ ରହିଲେ ୨୦୨୨ ମସିହା ବେଳକୁ ଓଡ଼ିଶାର କୃଷକ ପରିବାରର ହାରାହାରି ଆୟ ଜାତୀୟ ସ୍ତରର ହାରାହାରି ଆୟକୁ ଟପିଯାଇପାରେ ବୋଲି ଆକଳନ କରାଯାଉଛି ।