
କରୋନା ମୁକାବିଲା ପାଇଁ ବ୍ୟବହାର ହେଉଥିବା ସାନିଟାଇଜର ଓ ମାସ୍କ ର କଳାବଜାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଔଷଧ ଦୋକାନୀ ଯେଭଳି ଏହାର କଳାବାଜର ନକରନ୍ତି ସେଦିଗରେ ପକ୍ଷେପ ନେବା ସହିତ ଆବଶ୍ୟକ ସ୍ଥଳେ ଚଢଉ ପାଇଁ କୁହାଯାଇଛି । ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ଶ୍ରୀ ଧଳ ଗଣମାଧ୍ୟମକୁ କହିଛନ୍ତି ।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଶ୍ରୀ ଧଳ କହିଛନ୍ତି ଯେ, ଓଡିଶାରେ ସମ୍ଭାବ୍ୟ କରୋନା ସଂକ୍ରମଣ ପ୍ରତିରୋଧ କ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆବଶ୍ୟକ ପରାମର୍ଶ ଜାରି କରାଯାଉଛି । ଏହାକୁ ଅବଲମ୍ବନ କରିବାକୁ ବିଭାଗ ତରଫରୁ ଅନୁରୋଧ କରାଯାଇଛି ।
ସୂଚନା ଯୋଗ୍ୟଯେ, ଆମ ରାଜ୍ୟରେ ଅଦ୍ୟାବଧି କେହି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇନାହାଁନ୍ତି । ଆଜି ସୁଦ୍ଧା ସଂଗୃହୀତ ୧୭ ଟି ରକ୍ତ ନମୂନାରୁ ସମସ୍ତ ରିପୋର୍ଟ କରୋନା ନେଗେଟିଭ୍ ଥିବା ଜଣା ପଡିଛି । ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ନିୟମିତ ଭାବରେ ସାବୁନ ବା ଜୀବାଣୁ ନାଶକ ଦ୍ରବଣ ଦ୍ୱାରା ହାତକୁ ପରିସ୍କାର କରିିବା ସହ ଆଖି କିମ୍ବା ମୁହଁକୁ ସ୍ପର୍ଶ ନକରିବା, ଛିଙ୍କିବା ସମୟରେ ରୁମାଲ ବା ଟିସୁ ପେପର ବ୍ୟବହାର କରିବା, ଜନଗହଳି ସ୍ଥାନଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ସୁସ୍ଥ ଲୋକମାନେ ମାସ୍କ ବ୍ୟବହାର କରିବା ଜରୁରୀ ଆବଶ୍ୟକତା ନାହିଁ ।
କରୋନା ଭୂତାଣୁ ସଂକ୍ରମଣରୁ ଏଡାଇବା ପାଇଁ ଜ୍ୱର, ଥଣ୍ଡା, କାଶ, ଛିଙ୍କ ଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ସହ ନିଜେ ସତର୍କ ରୁହନ୍ତୁ । ସନ୍ଦିଗ୍ଧ କରୋନା ରୋଗୀମାନଙ୍କୁ ୧୪ ଦିନ ପାଇଁ ପୃଥକ୍ ଭାବରେ ରଖି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରିବା ଆବଶ୍ୟକ ବୋଲି ଶ୍ରୀ ଧଳ ପ୍ରକାଶ କରିଛନ୍ତି ।
ସେହିପରି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଥଣ୍ଡା, କାଶ, ଛିଙ୍କ ବା ସ୍ୱାସକ୍ରିୟାରେ କଷ୍ଟ ହେଉଥିଲେ ସେମାନେ ତୁରନ୍ତ ଅଭିଭାବକଙ୍କୁ ଜଣାଇବା ସହ ଡାକ୍ତରଙ୍କ ପରାମର୍ଶ କରିବା, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀମାନଙ୍କର ଏହିପରି ଲକ୍ଷଣ ଦେଖାଦେଲେ ବିଦ୍ୟାଳୟକୁ ନ ଆସି ଚିକିତ୍ସାରେ ରହିବା, ସମୂହ ବ୍ୟବହାର୍ଯ୍ୟ ବସ୍ତୁ ଯଥା କବାଟ, ଝରକା, ଟେବୁଲ, ଟେଲିଫୋନ୍, କମ୍ପୁଟର ଆଦିକୁ ଜୀବାଣୁ ନାଶକ ଦ୍ରବଣରେ ପୋଛିବା, ଶୌଚାଳୟୟରେ ସାବୁନ୍ ଓ ପାଣିର ବ୍ୟବସ୍ଥାକୁ ସୁନିଶ୍ଚିତ କରିବା, ଘୋଡଣି ଥିବା ଡଷ୍ଟବିନ୍ ଶ୍ରେଣୀଗୃହ ଏବଂ ଶୌଚାଳୟରେ ରଖିବା, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ନିୟମିତଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଓ ସଂକ୍ରମଣ ସନ୍ଦେହ ହେଲେ ନିକଟସ୍ଥ ଡାକ୍ତରଖାନାରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି ।
ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡି.ଏମ୍.ଇ.ଟି ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତି, ଡି.ପି.ଏଚ୍. ଡାକ୍ତର ଅଜିତ୍ କୁମାର ମହାନ୍ତି, ଡି.ଏଚ୍.ଏସ୍. ଡାକ୍ତର ବିଜୟ କୁମାର ମହାପାତ୍ର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତର ନିହାର ରାୟ, ସୂଚନା ଓ ଲୋକ ସଂପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।