ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କରୋନା ଗୁଜବରେ କୁକୁଡା ଚାଷୀ ସର୍ବସ୍ୱାନ୍ତ


କିଲେ ଦେଢ କିଲୋ ଓଜନର କୁକୁଡା ଗୋଟାକର ଦାମ୍‍ ୧୦ ଟଙ୍କା । ଆଉ କେଉଁଠି ୩ଟି କୁକୁଡାକୁ ବ୍ୟବସାୟୀାନେ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି । କରୋନା ସଂକ୍ରମଣକୁ ନେଇ ରାଜ୍ୟରେ ଚାଲିଥିବା ଗୁଜବ ଏବେ କୁକୁଡା ଚାଷୀଙ୍କର ଏଭଳି ଅବସ୍ଥା ସୃଷ୍ଟି କରିଛି । ଡାକ୍ତରଙ୍କ ଠାରୁ ଆରମ୍ଭ କରି ପ୍ରାଣୀ ଚିକିତ୍ସକଙ୍କ ପର୍ଯ୍ୟନ୍ତ କୁକୁଡାମାଂସ ଓ ଅଣ୍ଡାରେ କୌଣସି ବିପଦ ନାହିଁ ବୋଲି କହିଲେ ମଧ୍ୟ ଲୋକେ ବୁଝିବାକୁ ନାରାଜ ।

କୁକୁଡା ମାଂସ ଓ ଅଣ୍ଡା ଦ୍ୱାରା କରୋନା ଭୂତାଣୁ ବ୍ୟାପିବା ନେଇ ଗୁଜବ ପ୍ରଚାର ହେବାପରେ ରାଜ୍ୟର ବହୁ ସ୍ଥାନରେ ଲୋକେ ଆଉ ପୂର୍ବଭଳି କୁକୁଡାମାଂସ କିମ୍ବା ଅଣ୍ଡା ଖାଉ ନାହାନ୍ତି । ଫଳରେ ବିକ୍ରି ଅଧାରୁ ତଳକୁ ଖସି ଆସିଛି । ଏଥିଯୋଗୁ କୁକୁଡା ଚାଷରେ ଅର୍ଥ ବିନିଯୋଗ କରିଥିବା କମ୍ପାନୀ ଗୁଡିକ ଚାଷୀଙ୍କୁ ଆଉ କୁକୁଡାଖାଦ୍ୟ କିମ୍ବା ଅନ୍ୟାନ୍ୟ ଔଷଧପତ୍ର ଦେଉନାହାନ୍ତି ।

ଏଣେ ଫାର୍ମରେ କୁକୁଡା ଗୁଡିକ ବଢି ଚାଲିଥିବାରୁ ସେମାନଙ୍କୁ ଅଧିକ ଦାନା ଆବଶ୍ୟକ ପଡୁଛି । ତେଣୁ ଚାଷୀମାନେ ବାଧ୍ୟହୋଇ ଫାର୍ମରୁ ଟ୍ରାକ୍ଟରରେ କୁକୁଡା ବୋଝେଇ କରି ଆଣି ବଜାରରେ ଏଭଳି ଶାଗମାଛ ଦରରେ କୁକୁଡା ବିକ୍ରି କରିଦେଉଛନ୍ତି । ଗତକାଲି ନିମାପଡା ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଚାଷୀମାନେ ମାଇକ୍‍ ଯୋଗେ ଶସ୍ତାରେ କୁକୁଡା ମିଳୁଥିବା ଘୋଷଣା କରିବାପରେ କିଛି ଲୋକେ କୁକୁଡା କିଣିଥିଲେ ।

ରାଜଧାନୀ ବଜାରରେ ବି ଅନୁରୂପ ଅବସ୍ଥା । କୁକୁଡା ମାଂସ କିଲୋ ୧୦୦ ଟଙ୍କା ତଳକୁ ଖସି ଆସିଲାଣି । ତଥାପି ଲୋକେ ଆଉ ପୂର୍ବଭଳି ମାଂସ କିଣୁନାହାନ୍ତି । ରାଜଧାନୀରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡା ବଜାର ମାନ୍ଦା ହୋଇଥିଲା । ହେଲେ ଏହାପରେ ପରିସ୍ଥିତିରେ ସାମାନ୍ୟ ଉନ୍ନତି ଆସିଲା ବେଳକୁ ଏବେ କରୋନା ଗୁଜବ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଲାଣି ।

କେବଳ ବ୍ରଏଲର କୁକୁଡା ଫାର୍ମ ନୁହେଁ ଅଣ୍ଡା ଉତ୍ପାଦନ କରୁଥିବା କୁକୁଡାଫାର୍ମ ଗୁଡିକ ମଧ୍ୟ ବ୍ୟାପକ କ୍ଷତି ସହିବା ଆରମ୍ଭ କରିଛନ୍ତି । କୁକୁଡାମାଂସ ଭଳି ଲୋକେ ଅଣ୍ଡା ଖାଇବାକୁ ଡରୁଥିବାରୁ ଆଉ ଅଣ୍ଡା ବିକ୍ରି ହେଉନାହିଁ । ଫଳରେ ଏହି ଚାଷ ଉପରେ ନିର୍ଭରଶୀଳ ଲକ୍ଷାଧିକ ଲୋକ ବେକାର ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି ।

କୁକୁଡା ଚାଷର ଏଭଳି ଅବସ୍ଥା ଦେଖି ଫାର୍ମ ମାଲିକାମାନେ ଆଉ କୁକୁଡା ଚିଆଁ ଛାଡୁ ନାହାନ୍ତି । କୁକୁଡା ଚାଷରେ ପୁଞ୍ଜି ଖଟାଉଥିବା କମ୍ପାନୀ ଗୁଡିକ ମଧ୍ୟ କିଛିଦିନ ଏଥିରୁ ବିରତ ରହିବାପାଇଁ ସ୍ଥିର କରିବା ଫଳରେ ଆଗାମୀ ଦିନରେ ରାଜ୍ୟରେ କୁକୁଡାମାଂସ ଓ ଅଣ୍ଡା ମିଳିବା କଷ୍ଟକର ହୋଇପଡିବ ବୋଲି ଚାଷୀମାନେ ମତ ଦେଉଛନ୍ତି । ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ଗୁଜବ ଠାରୁ ଦୂରେଇ ରଖିବାକୁ ଦାବି ହେଉଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023