
ଜାତୀୟ ରାଜନତୈିକ ଦଳଗୁଡିକ ୨୦୦୪-୦୫ ରୁ ୨୦୧୮-୧୯ ମଧ୍ୟରେ ଅଜଣା ସୂତ୍ରରୁ ୧୧,୨୩୪ କୋଟି ୧୨ ଲକ୍ଷ ଟଙ୍କା ପାଇଛନ୍ତି । ଜାତୀୟ ଇଲେକସନ ୱାଚ୍ ଓ ଏଡିଆର ପକ୍ଷରୁ ରାଜନୈତିକଦଳ ଗୁଡିକର ଆୟର ବିଶ୍ଲେଷଣ କରି ଏହି ସୂଚନା ପ୍ରଦାନ କରାଯାଇଛି । ଏହି ଅର୍ଥ ପାଇଁ ସେମାନେ ଆୟକର ପ୍ରଦାନ କରୁଥିବାବେଳେ ୨୦ହଜାର ଟଙ୍କାରୁ କମ୍ ପରିମାଣର ଅର୍ଥ ମିଳୁଥିବାରୁ ଦାତାଙ୍କ ନାମ ପ୍ରକାଶ କରାଯାଏ ନାହିଁ । ଏହାଛଡା ଅଜଣା ସୂତ୍ର ମଧ୍ୟରେ ରହିଛି ଇଲେକଟ୍ରୋରାଲ ବଣ୍ଡ୍ ମାଧ୍ୟମରେ ମିଳୁଥିବା ଦାନ, ଦଳର କୁପନ ବିକ୍ରି, ରିଲିଫ ପାଣ୍ଠି, ମିସଲାନିଅସ ଆୟ ଓ ସ୍ୱେଚ୍ଛାକୃତ ସହଯୋଗ ।
ସେହିଭଳି ରାଜ୍ୟନୈତିକ ଦଳର ସ୍ଥାୟୀ ଓ ଅସ୍ଥାୟୀ ସମ୍ପତ୍ତି ବିକ୍ରି ବାବଦୀୟ ଅର୍ଥ, ପୁରୁଣା ଖବରକାଗଜ ବିକ୍ରି ଅର୍ଥ, ସଦସ୍ୟ ସଂଗ୍ରହ ଫି ଓ ବ୍ୟାଙ୍କ୍ରେ ଜମା ରହିଥିବା ଅର୍ଥର ସୁଧ ଆଦି ଅଜଣା ସୂତ୍ର ଆୟ ତାଲିକାରେ ଦର୍ଶାଯାଇଥାଏ । ୨୦ହଜାର ଟଙ୍କାରୁ ଅଧିକ ପରିମାଣ ଅର୍ଥ ସଂକ୍ରାନ୍ତରେ ରାଜନୈତିକ ଦଳ ଗୁଡିକ ଭାରତର ନିର୍ବାଚନ କମିଶନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥାନ୍ତି ।
ତେବେ କେବଳ ୨୦୧୮-୧୯ ବର୍ଷରେ ଜାତୀୟ ରାଜନୈତିକଦଳ ଗୁଡିକ ଅଜଣା ସୂତ୍ରରୁ ୨୫୧୨କୋଟି ୯୮ଲକ୍ଷ ଟଙ୍କା ପାଇଥିବାବେଳେ ଏଥି ମଧ୍ୟରୁ ୬୪ ପ୍ରତିଶତ ଅର୍ଥାତ୍ ୧୬୧୨ କୋଟି ୧୪ଲକ୍ଷ ଟଙ୍କା ବିଜେପିର ରହିଛି । କଂଗ୍ରେସ ଏହି ସୂତ୍ରରୁ ୭୨୮କୋଟି ୮୮ଲକ୍ଷ ଟଙ୍କା ପାଇଛି । ତେବେ ମୋଟ୍ ଅର୍ଥ ମଧ୍ୟରୁ ୭୮ ପ୍ରତିଶତ ଅର୍ଥାତ୍ ୧୯୬୦କୋଟି ୬୮ଲକ୍ଷ ଟଙ୍କା କେବଳ ଇଲେକଟ୍ରୋରାଲ ବଣ୍ଡ୍ ଜରିଆରେ ଦଳ ଗୁଡିକ ଖାତାକୁ ଆସିଛି ।
କଂଗ୍ରେସ ଓ ଏନ୍ସିପି ମିଳିତ ଭାବେ ୨୦୦୪-୦୫ ରୁ ୨୦୧୮-୧୯ ମଧ୍ୟରେ ଦଳୀୟ କୁପନ ବିକ୍ରି କରି ୩୯୦୨ କୋଟି ୬୩ଲକ୍ଷ ଟଙ୍କା ଆୟ କରିଛନ୍ତି । ତେବେ ରାଜନୈତିକଦଳ ଗୁଡିକୁ ନଗଦ ଅର୍ଥ ଆକାରରେ ମିଳୁଥିବା ଚାନ୍ଦାର ପରିମାଣ ଅତି ନଗଣ୍ୟ ରହିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ନଗଦ ଅର୍ଥ ବାବଦୀୟ ଚାନ୍ଦା ଆକାରରେ ମାତ୍ର ୭୧ଲକ୍ଷ ୪୪ହଜାର ଟଙ୍କା ପାଇଛନ୍ତି । ଏହି ଦାନ ପରିମାଣ ପ୍ରତ୍ୟେକ ୨୦ହଜାର ଟଙ୍କାରୁ କମ୍ କରି ରହିଛି ।
୨୦୧୮-୧୯ ବର୍ଷରେ ସାତଟି ରାଜନୈତିକଦଳ ଗୁଡିକ ୩୭୪୯କୋଟି ୩୭ଲକ୍ଷ ଟଙ୍କା ଆୟ କରିଥିବାବେଳେ ଘୋଷଣା କରିଥିବା ସୂତ୍ରରୁ ଦାନ ଆକାରରେ ମିଳିଛି ୯୫୧କୋଟି ୬୬ଲକ୍ଷ ଯାହାକି ମୋଟ ଅର୍ଥର ମାତ୍ର ୨୫.୩୮ ପ୍ରତିଶତ । ତେବେ ବିଶ୍ଲେଷଣରୁ ଜଣ।।ଇଛି ଯେ ବିଜେପି, କଂଗ୍ରେସ ସମେତ ୭ଟି ଜାତୀୟ ରାଜନୈତିକଦଳ ୨୦ହଜାର ଟଙ୍କାରୁ କମ୍ ପରିମାଣର ସ୍ୱେଚ୍ଛାକୃତ ଦାନ ଆଦୌ ଗ୍ରହଣ କରିନାହାନ୍ତି ।