
ଦେବାଳିଆ ହୋଇଥିବା ୟେସ୍ ବ୍ୟାଙ୍କ୍ରେ ଶ୍ରୀଜଗନ୍ନାଥଙ୍କ ଅର୍ଥ ଜମାକୁ ନେଇ ଆଶଙ୍କା ଦେଖା ଦେଇଥିବାବେଳେ ଚଳିତବର୍ଷ ଜାନୁୟାରୀ ଶେଷସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ବ୍ୟାଙ୍କ୍ରେ ମୋଟ୍ ୬୨୬,୪୪,୭୮,୪୪୪ ଟଙ୍କା ରଖିଥିବା ଜଣାଯାଇଛି । ଏଥି ମଧ୍ୟରେ ସ୍ଥାୟୀ ଜମାରାଶିର ପରିମାଣ ୫୫୨ କୋଟି ଟଙ୍କାରୁ ଅଧିକ ରହିଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବ୍ୟାଙ୍କ୍ରେ ଜମା ଥିବା ଅର୍ଥ ମଧ୍ୟରୁ ଶ୍ରୀଜଗନ୍ନାଥ ଟେମ୍ପୁଲ କର୍ପସ ଫଣ୍ଡର ୨୫୫,୮୬,୭୮,୮୭୬ ଟଙ୍କା ଥିବାବେଳେ ଶ୍ରୀଜଗନ୍ନାଥ ଟେମ୍ପୁଲ ଫାଉଣ୍ଡେସନ ଫଣ୍ଡ୍ର ୯୮,୯୬,୩୬,୮୬୬ ଟଙ୍କା ଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଫଣ୍ଡ୍ର ୨୭୨,୬୧,୬୨,୭୦୨ ଟଙ୍କା ରହିଛି । ଏହିସବୁ ଟଙ୍କାକୁ ବ୍ୟାଙ୍କ୍ରେ ଜମା କରାଯାଇଛି ।
ତେବେ ଏହି ସୂଚନା ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର ଶେଷସୁଦ୍ଧା ସର୍ବାଧିକ ହାରରେ ସୁଧ ପ୍ରଦାନ କରୁଥିବା ୟେସ୍ ବ୍ୟାଙ୍କ୍ରେ ୫୯୨ କୋଟି ଟଙ୍କା ରଖାଯାଇଥିଲା । ଏଥି ମଧ୍ୟରେ ସ୍ଥାୟୀ ଜମାରେ ୫୪୫ କୋଟି ଟଙ୍କା ଥିବାବେଳେ ଚଳନ୍ତି ଜମାରେ ୪୭କୋଟି ଟଙ୍କା ରହିଛି । ଶ୍ରୀମନ୍ଦିର ଆଇନ୍ ଅନୁଯାୟୀ ଫାଉଣ୍ଡେସନ ଫଣ୍ଡର ସମସ୍ତ ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ୍ କିମ୍ବା ବ୍ୟାଙ୍କ୍ ଗୁଡିକରେ ଦୀର୍ଘ ମିଆଦୀ ସ୍ଥାୟୀ ଜମାରେ ରଖାଯିବାର ବିଧି ରହିଛି ।
୨୦୧୮ ମସିହା ଅକ୍ଟୋବର ଏବଂ ୨୦୧୯ ମସିହା ଜୁଲାଇ ମାସରେ ରାଜ୍ୟ ସରକାର ଜାରି କରିଥିବା ଦୁଇଟି ପତ୍ରରେ ପଞ୍ଜିକୃତ ବ୍ୟାଙ୍କ୍ମାନଙ୍କ ମଧ୍ୟରେ ୟେସ୍ ବ୍ୟାଙ୍କ୍ ସ୍ଥାନିତ ହୋଇଥିଲା । ଏହି ବ୍ୟାଙ୍କ୍ ସର୍ବାଧିକ ସୁଧ ପ୍ରଦାନ କରୁଥିବାରୁ ଟେଣ୍ଡର ମାଧ୍ୟମରେ ଶ୍ରୀମନ୍ଦିର ଅର୍ଥକୁ ଏହି ବ୍ୟାଙ୍କ୍ରେ ଜମା କରାଯାଇଛି । ଇତି ମଧ୍ୟରେ ଚଳନ୍ତି ଆକାଉଣ୍ଟରେ ଥିବା ୪୭କୋଟି ଟଙ୍କାକୁ ରାଜ୍ୟ ସରକାର ସେହି ବ୍ୟାଙ୍କ୍ରୁ ଉଠାଇ ଆଣିଥିବାବେଳେ ସ୍ଥାୟୀ ଜମା କିନ୍ତୁ ଉଠିପାରି ନାହିଁ । ସ୍ଥାୟୀ ଜମାରେ ଥିବା ୫୪୫ କୋଟିର ମିଆଦ ଚଳିତମାସ ୧୯ ଓ ୩୦ ତାରିଖରେ ପୂରୁଥିବାରୁ ସେହିଦିନ ଟେଣ୍ଡର ମାଧ୍ୟମରେ ଏହାକୁ ରାଷ୍ଟ୍ରାୟତ ବ୍ୟାଙ୍କ୍ରେ ପୁଣିଥରେ ରଖାଯିବ ବୋଲି ସରକାରୀ ସ୍ତରରୁ ସୂଚନା ମିଳିଛି ।
ଦେବାଳିଆ ବ୍ୟାଙ୍କ୍ରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଫସିଥିବାବେଳେ ୨୪ ଜିଲ୍ଲାରେ ମହାପ୍ରଭୁଙ୍କର ୬୦ହଜାର ଏକରରୁ ଅଧିକ ଜମି ଥିବା ଚିହ୍ନଟ କରାଯାଇଛି । ତେବେ ଏଥି ମଧ୍ୟରୁ ମାତ୍ର ୩୪,୮୦୩ ଏକର ଜମିର ଚୂଡାନ୍ତ ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି । ଜମିକୁ ମାଡିବସିଥିବା ବ୍ୟକ୍ତିଙ୍କ କବଳରୁ ଉଦ୍ଧାର ପାଇଁ ୮୬୪ଟି ମାମଲା ରୁଜୁ ହୋଇଥିବା ଜଣାଯାଇଛି ।