ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ସରକାରୀ ଚାକିରିଆ କ୍ଷତି ସହିବେ


ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଅଭିଯୁକ୍ତ ସରକାରୀ ଚାକିରିଆ ସମ୍ପୂର୍ଣ୍ଣ ଦୋଷମୁକ୍ତ ହେଲେ ବି ତାଙ୍କୁ ପ୍ରକାରାନ୍ତରେ କ୍ଷତି ସହିବାକୁ ପଡ଼ିବ । ପୂର୍ବ ବ୍ୟବସ୍ଥାର ସଂଶୋଧନ କରି ରାଜ୍ୟ ସରକାର ଯେଉଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ସେଥିରୁ ଏହା ବାରି ହୋଇଯାଉଛି ।

ଯେଉଁ ସରକାରୀ କର୍ମଚାରୀମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମ୍ବା ଅପରାଧିକ ମାମଲାର ପ୍ରୋସିଡିଂମାନ ଥାଏ ସେମାନେ ସେମାନଙ୍କ ପଦୋନ୍ନତି ପାଳି ଆସିବା ବେଳେ ବିଭାଗୀୟ ପଦୋନ୍ନତି କମିଟିଙ୍କ ସୁପାରିଶ କ୍ରମେ ଏମାନଙ୍କ ଫଳାଫଳକୁ ଜଉମୁଦଦିଆ ଲଫାଫାରେ ରଖାଯାଇଥାଏ । ଏହି ପ୍ରୋସିଡିଂଗୁଡ଼ିକରୁ ସେମାନେ ଯଦି ସମ୍ପୂର୍ଣ୍ଣ ଦୋଷମୁକ୍ତ ହୁଅନ୍ତି କିମ୍ବା ସେମାନଙ୍କୁ ଛୋଟକାଟର ହାଲୁକା ଦଣ୍ଡବିଧାନ କରାଯାଇଥାଏ ତେବେ ସେମାନଙ୍କ କନିଷ୍ଠ କର୍ମଚାରୀମାନେ ଯେବେଠାରୁ ପଦୋନ୍ନତି ପାଇଥିବେ ସେବେଠାରୁ ସେମାନଙ୍କୁ ପଦୋନ୍ନତି ସିଲ୍‍ କଭର୍‍ ଖୋଲି ସେଥିରେ ଥିବା ସୁପାରିଶ ଆଧାରରେ ଦିଆଯାଇଥାଏ ।

ଯଦି ଜଣେ କର୍ମଚାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରୋସିଡିଂରେ ସମ୍ପୂର୍ଣ୍ଣ ଦୋଷମୁକ୍ତ ହୋଇଥାନ୍ତି ତେବେ ତାଙ୍କୁ ତାଙ୍କ କନିଷ୍ଠ ସହଯୋଗୀ ପଦୋନ୍ନତି ପାଇବା ତାରିଖରୁ ପଦୋନ୍ନତି ସହିତ ଉପର ପାହ୍ୟାର ଦରମା, ଭତ୍ତା, ଇନ୍‍କ୍ରିମେଣ୍ଟ ଆଦି ମିଳିଥାଏ । କିନ୍ତୁ ହାଲୁକା ଦଣ୍ଡବିଧାନ ହୋଇଥିଲେ ସେମାନଙ୍କୁ ପିଛିଲା ତାରିଖରୁ ଆର୍ଥିକ ସୁବିଧା ନ ଦେଇ କେବଳ ପଦୋନ୍ନତି ଦିଆଯାଇଥାଏ ।

୧୯୯୯ ନଭେମ୍ବର ପହିଲାରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ଅଫିସ୍‍ ମେମୋରାଣ୍ଡମ୍‍ରେ ୧୯୯୪ ମସିହାରୁ ଚଳିଆସୁଥିବା ପ୍ରଥାର ସଂଶୋଧନ ହୋଇଥିଲା ଏବଂ ତଦନୁଯାୟୀ ଉପରୋକ୍ତ ଭାବରେ ସିଲ୍‍ କଭର୍‍ ଖୋଲାଯାଇ ପଦୋନ୍ନତି ଦିଆଯାଉଥିଲା ।

ତେବେ ଚଳିତ ମାସ ୪ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଅନ୍ୟ ଏକ ଅଫିସ୍‍ ମେମୋରାଣ୍ଡମ୍‍ ଜାରି କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ଯେଉଁ କର୍ମଚାରୀମାନେ ଶୃଙ୍ଖଳାଗତ ପ୍ରୋସିଡିଂରେ ସମ୍ପୂର୍ଣ୍ଣ ଦୋଷମୁକ୍ତ ହେବେ ସେମାନଙ୍କୁ ସେମାନଙ୍କ କନିଷ୍ଠ ସହଯୋଗୀ ପଦୋନ୍ନତି ପାଇଥିବା ତାରିଖରୁ ‘ନୋସନାଲ୍‍ ବେସିସ୍‍’ରେ ପଦୋନ୍ନତି ଦିଆଯିବ । ଏ କ୍ଷେତ୍ରରେ ଆବଶ୍ୟକ ପଡ଼ିଲେ ସର୍ବକନିଷ୍ଠ ବ୍ୟକ୍ତିଙ୍କୁ ତଳ ପାହ୍ୟାକୁ ମଧ୍ୟ ଖସାଇ ଦିଆଯାଇପାରେ । କିନ୍ତୁ ବିନା ଦୋଷରେ ପ୍ରୋସିଡିଂ ଯୋଗୁ ପଦୋନ୍ନତିରୁ ବଞ୍ଚିତ ହୋଇଥିବା ସମ୍ପୃକ୍ତ ଅଧିକାରୀଙ୍କୁ ପିଛିଲା ତାରିଖରୁ ପ୍ରକୃତ ଆର୍ଥିକ ସୁବିଧା ଦିଆଯିବା କଥା ଏଥିରେ ଉଲ୍ଲେଖ କରାଯାଇନାହିଁ ।

ଏହି ମେମୋରାଣ୍ଡମ୍‍ ଅନୁଯାୟୀ ଯେଉଁ କର୍ମଚାରୀମାନଙ୍କୁ ଜରିମାନା, ଭର୍ତ୍ସନା, ସାଧାରଣ ଭାବେ ଇନ୍‍କ୍ରିମେଣ୍ଟ ବନ୍ଦ, କ୍ଷତିପୂରଣ ଆଦାୟ ଭଳି ଲଘୁ ଦଣ୍ଡମାନ ମିଳିଥିବ ସେମାନଙ୍କ ସିଲ୍‍ କଭର୍‍ ଖୋଲାଯାଇ ସୁପାରିଶ ଆଧାରରେ କନିଷ୍ଠ ସହଯୋଗୀ ପଦୋନ୍ନତି ପାଇଥିବା ତାରିଖରୁ କେବଳ ପଦୋନ୍ନତି ଦିଆଯାଇପାରିବ । ଏ କ୍ଷେତ୍ରରେ ମଧ୍ୟ ସେମାନଙ୍କ ଦରମା ନୋସନାଲ୍‍ ବେସିସ୍‍ରେ ଟାଇମ୍‍ ସ୍କେଲ୍‍ରେ ଉପର ପାହ୍ୟାରେ ନିର୍ଦ୍ଧାରଣ କରାଯିବ ।

ପୂର୍ବରୁ ମୁଖ୍ୟ ଶାସନ ସଚିବ ୨୦୧୦ ମସିହାରେ ଜାରି କରିଥିବା ଅନ୍ୟ ଏକ ନିର୍ଦ୍ଦେଶନାମା ଆଧାରରେ ଗୁରୁତର ଅଭିଯୋଗ ଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରୋସିଡିଂଗୁଡ଼ିକ ୯୦ ଦିନ ମଧ୍ୟରେ ଓ ହାଲୁକା ପ୍ରୋସିଡିଂଗୁଡ଼ିକ ୬୦ ଦିନ ଭିତରେ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି । ଏହାଛଡ଼ା ପ୍ରତି ମାସରେ ବିଭିନ୍ନ ସ୍ତରରେ ନିଲମ୍ବନ ଓ ପ୍ରୋସିଡିଂଗୁଡ଼ିକର ସ୍ଥିତି ସମୀକ୍ଷା ଲାଗି ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶନାମା ରହିଛି । ଏହା ସତ୍ତେ୍ୱ ବି ବହୁ ପ୍ରୋସିଡିଂ ଓ ନିଲମ୍ବନ ଆଦେଶ ବର୍ଷ ବର୍ଷ ଧରି ଗଡ଼ୁଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023