
ରାଜ୍ୟ ସରକାର ଆଜି ଗୋଟିଏ ଦିନରେ ୧୦୩୮ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ହୋଇଥିବାବେଳେ ଆଜି ଦିନଟି ଏକ ଐତିହାସିକ ଦିନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି ।
ଲୋକସେବା ଭବନ ଠାରେ ନବ ନିଯୁକ୍ତି ଡାକ୍ତରମାନଙ୍କ ଇଣ୍ଡକସନ ପ୍ରଶିକ୍ଷଣରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଦିନରେ ୧୦୩୮ଜଣ ଡାକ୍ତରଙ୍କ ନିଯୁକ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଡାକ୍ତରମାନେ ସେବାକୁ ନିଜର ଧର୍ମ ଭାବରେ ବିଚାର କରି କାର୍ଯ୍ୟକରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ନୂଆ ଡାକ୍ତରମାନଙ୍କୁ ମୋ ସରକାରର ସଙ୍କଳ୍ପ ପାଠ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉଦ୍ବୋଧନ ଦେଇ ସ୍ୱାସ୍ଥ୍ୟସେବାର ଉନ୍ନତିପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ଯେଭଳି ଲୋକଙ୍କ ପାଖରେ ପହଞ୍ଚିପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଡାକ୍ତରମାନଙ୍କୁ କହିଥିଲେ ।
୫-ଟି ସଚିବ ଭି.କେ.ପାଣ୍ଡିଆନ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହିତ ମୋ ସରକାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଡାକ୍ତରମାନଙ୍କୁ ବୁଝାଇଥିଲେ । ନୂଆ ଡାକ୍ତରମାନେ କିପରି ରୋଗୀସେବା କ୍ଷେତ୍ରରେ ଟ୍ରାନ୍ସଫର୍ମେଟିଭ ଭୂମିକା ଗ୍ରହଣ କରିବେ ତାହା ଉପରେ ଆଲୋକପାତ କରିଥିଲେ ।
ଉଲ୍ଲେଖନୀୟ ଯେ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୮୭୧୯ଟି ଡାକ୍ତର ପଦବୀ ମଧ୍ୟରୁ ବର୍ତ୍ତମାନ ୫୪୧୪ ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଛନ୍ତି । ନିକଟରେ ଓଡିଶା ଲୋକସେବା ଆୟୋଗ ୧୪୦୩ ଜଣ ଡାକ୍ତରଙ୍କୁ ଚୟନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୧୦୩୮ଜଣ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଖୁବ୍ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯିବ ।