
ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ୪ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ରାଜ୍ୟସଭାରେ ଖାଲି ହୋଇଥିବା ୪ଟି ଆସନ ଲାଗି ବିଜେଡି ଆଜି ତାହାର ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ବିଜେପି ଓ କଂଗ୍ରେସ ଉପରେ ଏବେ ସମସ୍ତଙ୍କ ନଜର ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିବା ୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାଷ ସିଂ । ବାମପନ୍ଥୀ ରାଜନୀତିରୁ ଆସି ବିଜୁ ଜନତା ଦଳରେ ଯୋଗଦେବା ପରେ ଶ୍ରୀ ସିଂଙ୍କୁ ବିଜେଡି ମନ୍ତ୍ରୀ ପାହ୍ୟା ଦେବା ସହ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପଦ ଦେଇଥିଲା । ନାମ ଘୋଷଣା ପରେ ଶ୍ରୀ ସିଂ କହିଛନ୍ତି ଯେ ଦଳୀୟ ପ୍ରାର୍ଥୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ।
ସେହିଭଳି ବିଜେଡି ସଂଖ୍ୟାଲଘୁ ସେଲର ଉପଦେଷ୍ଟା ମୁନ୍ନା ଖାଁ ମଧ୍ୟ ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି । ଶ୍ରୀ ଖାଁ ଦୀର୍ଘଦିନ ଧରି ବିଜେଡିରେ ରହିବା ସହିତ ଦଳ ପାଇଁ କାମ କରିଆସୁଥିଲେ । ପ୍ରାର୍ଥୀ ହେବା ପରେ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଆଜି ନିଜ ପରିଶ୍ରମର ଫଳ ପାଇଛନ୍ତି ।
ଆଉ ଜଣେ ପ୍ରାର୍ଥୀ ହେଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ସୁଜିତ କୁମାର । ଶ୍ରୀ କୁମାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ସହିତ ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ଡିଗ୍ରୀ କରିଛନ୍ତି । ଦୀର୍ଘଦିନ ହେଲା ସେ ଅବିଭକ୍ତ କଳାହାଣ୍ଡି ଜିଳ୍ଲାରେ ଦଳର ସାଙ୍ଗଠନିକ କାର୍ଯ୍ୟ ବୁଝୁଥିଲେ । ଶ୍ରୀ କୁମାର ବିଜେଡିର ଅନ୍ୟତମ ଚାଣକ୍ୟ ଭାବେ ଗଣନା କରାଯାଏ । ନାମ ଘୋଷଣା ପରେ ଶ୍ରୀ କୁମାର କହିଛନ୍ତି ଯେ ରାଜ୍ୟସଭା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ନାମ ଘୋଷଣା କରିବାରେ ସେ ଆଶ୍ଚର୍ଯ୍ୟଚକିତ । ରାଜ୍ୟସଭା ସାଂସଦ ଭାବେ ଆଦିବାସୀ ଅଞ୍ଚଳର ବିକାଶ କ୍ଷେତ୍ରରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
ସେହିଭଳି ମହିଳା ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପାଇଁ ମମତା ମହାନ୍ତଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀମତୀ ମହାନ୍ତ ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ମହିଳା ଶାଖାର ସଭାନେତ୍ରୀ ଥିବା ବେଳେ ମହିଳା ସଶକ୍ତିକରଣ ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛନ୍ତି । ପ୍ରାର୍ଥୀ ଭାବେ ନାମ ଘୋଷଣା ପରେ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସର୍ବଦା ଅଗ୍ରାଧିକାର ଦେଉଥିବା ବେଳେ ରାଜ୍ୟସଭାକୁ ଯିବା ପରେ ମହିଳାମାନଙ୍କ ବିକାଶ ଲାଗି କାର୍ଯ୍ୟ କରିବି ।
ଚାରି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଏହି ରେସରେ ଆଶାୟୀ ଥିବା ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଶ୍ରୀ ସୁବାଷ ସିଂଙ୍କ ସ୍ଥାନରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ କରାଯାଇଛି । ଏଥିସହିତ ଶ୍ରୀ ଚ୍ୟାଉପଟ୍ଟନାୟକଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି । ଗତ ମାସରେ ଶ୍ରୀ ଚ୍ୟାଉପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ ।