
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ରାଜ୍ୟର ତିନି ପ୍ରମୁଖ ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରରେ କରୋନା ମୁକାବିଳା ଲାଗି ଥର୍ମାଲ ସ୍କାନର ସହିତ ଆବଶ୍ୟକ ମାନବ ସମ୍ବଳ ବ୍ୟବସ୍ଥା କୁହାଯାଇଛି । ସେହିଭଳି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଦେଶର ସମସ୍ତ ବନ୍ଦର ଥର୍ମାଲ ସ୍କାନର ସହିତ ଆଇସୋଲେସନ ୱାର୍ଡ ଓ ଡାକ୍ତରୀ ସୁବିଧା ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କରୋନା ରୋଗୀଙ୍କ ସଂଖ୍ୟା ଦେଶରେ ବଢି ଚାଲିଥିବାରୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ସଚିବ ଗୋପାଳ କ୍ରିଷ୍ଣା ଆଜି ଉଭୟ ଛୋଟ ଓ ବୃହତ ବନ୍ଦରରେ କରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ବନ୍ଦର ଅଧ୍ୟକ୍ଷ ଓ ରାଜ୍ୟ ମାରିଟାଇମ ବୋର୍ଡର ଅଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରୀୟ ସଚିବ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ବିଦେଶ ବ୍ୟାପାର ମନ୍ତ୍ରାଳୟ, ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
ଆର୍ନ୍ତଜାତୀୟ ସ୍ତରରେ କରୋନା ତାଣ୍ଡବକୁ ଦୃଷ୍ଟିରେ ରଖି ବନ୍ଦର ମାଧ୍ୟମରେ ଯେଭଳି ଏହା ଭାରତରେ ନବ୍ୟାପେ ସେଥିପାଇଁ ସମନ୍ୱୟ ରକ୍ଷା ସହିତ ଏହାର ମୁକାବିଲା ପାଇଁ କେନ୍ଦ୍ରୀୟ ସଚିବ କହିଛନ୍ତି । କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ପଦକ୍ଷେପ ଗ୍ରହଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ଯେଉଁ ବନ୍ଦର ଗୁଡିକରେ ସାମଗ୍ରୀ ଆମଦାନୀ ଓ ରପ୍ତାନୀ ହେଉଛି ସେଠାରେ ଜାହାଜରେ ଆସୁଥିବା କ୍ରିଉ ସଦସ୍ୟ ଓ ଯାତ୍ରୀମାନଙ୍କର ଶତ ପ୍ରତିଶତ ଥର୍ମାଲ ସ୍କ୍ରିନିଂ ପାଇଁ କୁହାଯାଇଛି । ଏଥିସହିତ କ୍ରିଉ ସଦସ୍ୟ ଓ ଯାତ୍ରୀମାନଙ୍କୁ ଏନ୍ଡିଆରଏଫ୍ ର ସ୍ଥାନୀୟ ୟୁନିଟ୍ ମାଧ୍ୟମରେ ବନ୍ଦର ଗୁଡିକରେ ତୃତୀୟ ପକ୍ଷ ଯାଞ୍ଚ ଲାଗି ଘୋଷଣାନାମା ଦେବାକୁ କୁହାଯାଇଛି । କରୋନା ବ୍ୟାପିଥିବା ଦେଶ ଗୁଡିକରୁ ଆସୁଥିବା ଜାହାଜରୁ କ୍ରିଉ ସଦସ୍ୟ କିମ୍ବା ଯାତ୍ରୀଙ୍କୁ ନଓହ୍ଲାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ବିଭିନ୍ନ ବନ୍ଦରରେ ପହଞ୍ଚିଥିବା ୪୫୨ ଜାହାଜରେ ଥିବା ୧୬,୦୭୬ ଜଣ ଯାତ୍ରୀଙ୍କର ଯାଞ୍ଚ ହୋଇସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଆଜିର ସମୀକ୍ଷା ବୈଠକରେ ଉପସ୍ଥିତ ରହି ବନ୍ଦରଗୁଡିକରେ ଥର୍ମାଲ ସ୍କ୍ରିନିଂ ପାଇଁ ନିଆଯାଇଥିବା ପଦକ୍ଷେପ, କ୍ରିଉ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ବିଭିନ୍ନ ସୁବିଧା ସୁଯୋଗ ସଂକ୍ରାନ୍ତରେ ପଚାରି ବୁଝିଥିଲେ । (ତଥ୍ୟ)