
ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣ ସରିବାର ୫/୬ବର୍ଷ ପରେ ବି ନିର୍ମାଣ କରିଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାମାନେ ଅର୍ଥ ପାଉନାହାନ୍ତି । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିବାବେଳେ କିଛି ସଂସ୍ଥା ସରକାରୀ ଦପ୍ତରକୁ ଦଉଡି ଦଉଡି ନୟାନ୍ତ ହେଲେଣି ।
ବାଙ୍କି ନିର୍ବାଚନ ମଣ୍ଡଳୀରେ ଏଭଳି ଅର୍ଥ ବାକି ଥିବା ଘଟଣା ବିଧାନସଭାରେ ଉଠିବାପରେ ଗୋଟିଏ ପରେ ଗୋଟିଏ ଘଟଣା ଏବେ ପଦାକୁ ଆସିବାରେ ଲାଗିଛି । ବଜେଟ୍ ଅଧିବେଶନ କାଳରେ ବାଙ୍କି ବିଧାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ବିଭାଗ ମାନିଥିଲା ଯେ ୨୦୧୪-୧୫ ମସିହାରେ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମାଣ ହୋଇଥିବା ୪୮,୨୮୭ ଟି ପାଇଖାନା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୭୧୧ ଜଣ ହିତାଧିକାରୀଙ୍କୁ ଅର୍ଥ ମିଳିପାରି ନାହିଁ । ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏହି ପ୍ରଦାନ ନିର୍ଦ୍ଦେଶ ଦିଆଯାଇଛି ।
ଅନୁରୂପ ଘଟଣା ଘଟିଛି ବେଗୁନିଆ ବ୍ଲକରେ । ଏହି ବ୍ଲକର ରାଉତପଡା ପଞ୍ଚାୟତରେ ୨୦୧୫ ମସିହାରେ ପାଇଖାନା ନିର୍ମାଣ କରିଥିବା ସଂସ୍ଥା ତାହାର କାବିଆ ଅର୍ଥ ପାଇବାପାଇଁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲାପରେ ବି ଅର୍ଥ ପାଇପାରୁ ନାହିଁ । ସରକାରଙ୍କ ଠାରୁ କାର୍ଯ୍ୟାଦେଶ ପାଇଲାପରେ ପାଇଖାନା ନିର୍ମାଣ କରି ସମସ୍ତ କାଗଜପତ୍ର ସହ ବିଲ୍ ପଇଠକଲାପରେ ବି ସ୍ଥାନୀୟ ଅଧିକାରୀମାନେ ବାରମ୍ବାର ଦଉଡାଉଥିବା ଅଭିଯୋଗ ହୋଇଛି । ଏପରିକି ଫନିରେ କ୍ଷତିଗ୍ରସ୍ତ ପାଇଖାନା ଗୁଡିକୁ ମରାମତି କଲାପରେ ଅର୍ଥ ମିଳିବ ବୋଲି କହୁଛନ୍ତି ।
କେବଳ ବାଙ୍କି କିମ୍ବା ବେଗୁନିଆରେ ଏଭଳି ଘଟଣା ଘଟିନାହିଁ, ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ସମସ୍ୟା ଉପୁଜିଥିବା ପାଇଖାନା ନିର୍ମାଣ କରୁଥିବା ବେସରକାରୀ ସଂସ୍ଥା ଗୁଡିକ ଅଭିଯୋଗ କରୁଛନ୍ତି । ସେମାନଙ୍କ କହିବା କଥା ଯେ ସରକାର କାର୍ଯ୍ୟାଦେଶ ଦେବାପରେ ଧାର୍ଯ୍ୟ ସମୟ ମଧ୍ୟରେ ପାଇଖାନା ନିର୍ମାଣ ପାଇଁ ବ୍ୟସ୍ତ କରୁଛନ୍ତି । ନିର୍ମାଣ ସରିଲାପରେ ତୁରନ୍ତ ସେହି ପଞ୍ଚାୟତ, ବ୍ଲକ ଓ ଜିଲ୍ଲାକୁ ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ ଘୋଷଣା କରି ଅଧିକାରୀମାନେ ପ୍ରଶଂସା ସାଉଁଟୁଛନ୍ତି । ହେଲେ ଏହାପରେ ଅର୍ଥ ଦେବାକୁ ଆଉ ଧରାଛୁଆଁ ଦେଉନାହାନ୍ତି । ଅବସ୍ଥା ଏଭଳି ହୋଇଛି ଯେଉଁଠାରେ ବର୍ଷ ବର୍ଷ ଧରି ଅର୍ଥ ପ୍ରଦାନ ହୋଇନାହିଁ ସେଠାରେ ଅନ୍ୟ କେଉଁସଂସ୍ଥା ଏହି ଅର୍ଥକୁ ନେଇ ପଳାଇଥିବ ବୋଲି ଉପରିସ୍ଥ ଅଧିକାରୀମାନେ ଆଶଙ୍କା କରୁଛନ୍ତି ।
ତେଣୁ ସ୍ୱଚ୍ଛଭାରତ ଯୋଜନାରେ ସଫଳତା ସାଉଁଟୁଥିବା ଅଧିକାରୀମାନେ ତୁରନ୍ତ ପାଇଖାନା ନିର୍ମାଣ କରିଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କୁ ତୁରନ୍ତ ସେମାନଙ୍କ ବାକିଆ ଅର୍ଥ ଦେଇଦେବା ଆବଶ୍ୟକ । ନହେଲେ ଏ ନେଇ କିଛି ସଂସ୍ଥା ଆଇନ୍ ଅଦାଲତକୁ ଯିବେ ବୋଲି ସଜବାଜ ହେଉଥିବା ସୂଚନା ମିଳୁଛି । ତେଣୁ କେଉଁ ଅଧିକାରୀଙ୍କ ଅପରାଗତାରୁ ସଫଳତାର ସହ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଅର୍ଥ ମିଳିପାରୁନାହିଁ ସେମାନଙ୍କୁ ଚିହ୍ନଟ କରି ମୋ ସରକାର ବ୍ୟବସ୍ଥାରେ ଦଣ୍ଡିତ କରିବାପାଇଁ ମତ ପ୍ରକାଶ ପାଉଛି ।