
ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଦେଢ଼ବର୍ଷ ତଳୁ ନିର୍ମାଣ ସରିଥିବା ତାଳଚେରର ମେଡ଼ିକାଲ କଲେଜ ଏଯାବତ୍ କାର୍ଯ୍ୟକାରୀ ହୋଇନାହିଁ । ୫୦୦ ଶଯ୍ୟା ବିଶିଷ୍ଟ ମହାନଦୀ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ (ମିମ୍ସାର)କୁ ଭାରତ ସରକାରଙ୍କ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ (ଏମ୍ସିଏଲ୍) ନିର୍ମାଣ କରିଛି ।
ତାଳଚେର ମେଡ଼ିକାଲ କଲେଜରେ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ପାଇଁ ଭିତ୍ତିଭୂମି ସୃଷ୍ଟି କରାଯିବା ସହ ୧୯ଟି ବିଷୟରେ ଗବେଷଣା ଓ ପାଠପଢ଼ା ଲାଗି ସୁଯୋଗ ରହିଛି । କର୍ପୋରେଟ୍ ଉତ୍ତର ଦାୟିତ୍ୱ (ସିଏସ୍ଆର୍) ପାଣ୍ଠିରେ ଏମ୍ସିଏଲ୍ ଏହି ଅତ୍ୟାଧୁନିକ ମେଡ଼ିକାଲ କଲେଜ ନିର୍ମାଣ କରିଛି ଓ ତାହା ୨୦୧୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା ରଖାଯାଇଥିଲା । ଏଠାରେ ଡାକ୍ତରଖାନା, ଅଧ୍ୟାପନା ଓ ଗବେଷଣା ଗୃହ, ହଷ୍ଟେଲ, ଷ୍ଟାଫ୍ କ୍ୱାର୍ଟର ଆଦି ନିର୍ମାଣ କରିସାରିବା ପରେ ଏମ୍ସିଏଲ୍ ଏହି ଡାକ୍ତରଖାନା ନିଜେ ନ ଚଳାଇ ତାହା ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ଚାହୁଁଥିଲା ।
ତେବେ ରାଜ୍ୟ ସରକାର ଏହି ପ୍ରସ୍ତାବରେ ରାଜି ନ ହୋଇ ଏମ୍ସିଏଲ୍କୁ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଚଳାଇବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଡାକ୍ତରଖାନା ଓ ମେଡ଼ିକାଲ କଲେଜ ପରିଚାଳନା କ୍ଷେତ୍ରରେ ଏମ୍ସିଏଲ୍ର ଦକ୍ଷତା କିମ୍ବା ଅନୁଭୂତି ନ ଥିବାରୁ ଏହା ପରିଚାଳନା ପାଇଁ ଏମ୍ସିଏଲ୍ ଏବେ ଦାୟିତ୍ୱ ସମ୍ପନ୍ନ ସଂସ୍ଥା ଖୋଜୁଛି । ଯଦି ଏମ୍ସିଏଲ୍ର ଚାହିଦା ମୁତାବକ ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତି ବିଶେଷ ମିଳିଯାଆନ୍ତି ତେବେ ତାଳଚେର ମେଡ଼ିକାଲ କଲେଜ ଆସନ୍ତା ଶିକ୍ଷା ବର୍ଷରୁ କାମ ଆରମ୍ଭ କରିପାରିବେ ବୋଲି ଆଶା କରାଯାଉଛି ।
ଜାତୀୟ ତାପଜ ବିଦ୍ୟୁତ୍ ନିଗମ (ଏନ୍ଟିପିସି) ସହାୟତାରେ ସୁନ୍ଦରଗଡ଼ଠାରେ ଅନ୍ୟ ଏକ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ମଧ୍ୟ ସରକାର ଆଗ୍ରହୀ । ତେବେ ୨୦୧୪ର ସାଧାରଣ ନିର୍ବାଚନ ବେଳେ ରାଉରକେଲାରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅବସରରେ ନରେନ୍ଦ୍ର ମୋଦି ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟ ମେଡ଼ିକାଲ କଲେଜ ହସ୍ପିଟାଲରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ ମସିହାରେ ରାଉରକେଲାବାସୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଅନୁଷ୍ଠିତ ଏକ ସାଧାରଣ ସଭାରେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଥିଲେ । ଏଯାବତ୍ ଆଇଜିଏଚ୍ ମେଡ଼ିକାଲ କଲେଜରେ ପରିଣତ ହୋଇପାରିନାହିଁ । ତଥାପି ବି ରାଉରକେଲାବାସୀ ଆଶା ରଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ ।
ଭୁବନେଶ୍ୱରରେ କେନ୍ଦ୍ର ସରକାରଙ୍କ ଏମ୍ସ ରହିଛି । ଏହି ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସ୍ଥାପନ କରିଥିଲେ । ଏହି ମେଡ଼ିକାଲ କଲେଜ ହସ୍ପିଟାଲ ଉପରେ ଲୋକଙ୍କର ଆସ୍ଥା ଓ ଭରସା ବଢ଼ି ବଢ଼ି ଚାଲୁଥିବା ବେଳେ କିନ୍ତୁ ଏଠାରେ ବର୍ଷ ବର୍ଷ ଧରି ଶତାଧିକ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଖାଲିପଡ଼ିଛି ।
ପୂର୍ବରୁ ଓଡ଼ିଶାର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ୩ଟି ସରକାରୀ ମେଡ଼ିକାଲ କଲେଜ ହସ୍ପିଟାଲ ଖୋଲା । ଇତିମଧ୍ୟରେ କୋରାପୁଟ, ବାରିପଦା, ବାଲେଶ୍ୱର ଓ ବଲାଙ୍ଗୀରରେ ୪ଟି ନୂଆ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି । ତେବେ ବହୁ ସଂଖ୍ୟକ ଡାକ୍ତରୀ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲିପଡ଼ିଛି । ଏହାଛଡ଼ା ପୁରୀରେ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ହସ୍ପିଟାଲ ପାଇଁ ନବକଳେବର ପୂର୍ବରୁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ଏହା କିନ୍ତୁ ଏଯାବତ୍ କାର୍ଯ୍ୟକ୍ଷମ ହୋଇନାହିଁ । ଏବେ ରାଜ୍ୟ ସରକାର ଯାଜପୁର, କେନ୍ଦୁଝର, ଭବାନୀପାଟଣା ଓ କନ୍ଧମାଳଠାରେ ଆଉ ୪ଟି ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।