
ଛତୁ ଫୁଟିଲା ପରି ଗଢ଼ି ଉଠୁଥିବା ଘରୋଇ ସିକ୍ୟୁରିଟି ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ଗୃହ ବିଭାଗରେ ଜଣେ ବରିଷ୍ଠ ଅଧିକାରୀ ‘କଣ୍ଟ୍ରୋଲିଂ ଅଥରିଟି’ ଭାବେ କାର୍ଯ୍ୟ କରିବେ ।
ଏହି ଅଧିକାରୀ କେବଳ ଘରୋଇ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବେ ନାହିଁ ବରଂ ଗଢ଼ି ଉଠୁଥିବା ଏହି ସିକ୍ୟୁରିଟି ସଂସ୍ଥାଗୁଡ଼ିକରେ କିଭଳି ସୁରକ୍ଷା ବ୍ୟବସ୍ଥା ଅଧିକ ଉନ୍ନତତର ହୋଇପାରିବ ତାହା ଉପରେ ନଜର ରଖିବେ । ଘରୋଇ ସିକ୍ୟୁରିଟି ସଂସ୍ଥା ନିୟନ୍ତ୍ରଣ ଆଇନ ୨୦୦୫ ବଳରେ ରାଜ୍ୟ ସରକାର ଖୁବ୍ଶୀଘ୍ର କଣ୍ଟ୍ରୋଲିଂ ଅଥରିଟି ନିଯୁକ୍ତ କରିବାକୁ ଯାଉଥିବା ସୂଚନା ମିଳିଛି ।
ପୂର୍ବରୁ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଘରୋଇ ସିକ୍ୟୁରିଟି ସଂସ୍ଥାଗୁଡ଼ିକ ଲାଗି କଣ୍ଟ୍ରୋଲିଂ ଅଥରିଟି ଭାବେ ନିଯୁକ୍ତି ମିଳୁଥିବା ବେଳେ ବର୍ତ୍ତମାନ ଏହି ଅଧିକାରୀ ଗୃହ ବିଭାଗରେ କଣ୍ଟ୍ରୋଲିଂ ଅଥରିଟି ଭାବେ କାର୍ଯ୍ୟ କରିବେ ବୋଲି ଜଣାଯାଇଛି । ଅନୁଧ୍ୟାନରୁ ଜଣାଯାଇଛି ଯେ କେତେକ ରାଜ୍ୟ ସରକାର ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ କଣ୍ଟ୍ରୋଲିଂ ଅଥରିଟି ଭାବେ ନିଯୁକ୍ତି କରିଥିବା ବେଳେ ଆଇନ ଅନୁଯାୟୀ ଏହା ହୋଇନଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ ଦର୍ଶାଯାଇଛି ।
ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକୁ ଗୃହ ବିଭାଗ ସିଧାସଳଖ ନିୟନ୍ତ୍ରଣ କରିବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଣେ କଣ୍ଟ୍ରୋଲିଂ ଅଥରିଟି ନିଯୁକ୍ତ କରିବେ । ପୂର୍ବରୁ ରାଜ୍ୟ ପୋଲିସର ଜଣେ ଅଧିକାରୀ ଏହି ଦାୟିତ୍ୱ ତୁଲାଉଥିଲେ । ଇତିମଧ୍ୟରେ କେନ୍ଦ୍ର ସରକାର ନିକଟରେ ଘରୋଇ ସୁରକ୍ଷା ସଂସ୍ଥା ନିୟନ୍ତ୍ରଣ ଆକ୍ଟର ଆଦର୍ଶ ସଂହିତା ଜାରି କରିଛନ୍ତି । ଏଥିରେ ଘରୋଇ ସଂସ୍ଥାଗୁଡ଼ିକର ଅର୍ଥ ପରିବହନ କାର୍ଯ୍ୟକଳାପ ସାମିଲ ଅଛି । ଟଙ୍କା ନେଇ ଯାଉଥିବା ଗାଡ଼ିଗୁଡ଼ିକର ସୁରକ୍ଷା ସହିତ ଲୁଟ୍ ଅର୍ଥ ଯେଭଳି ଅସାମାଜିକ ବ୍ୟକ୍ତିଙ୍କ ହାତରେ ନ ପଡ଼େ ତାହାକୁ ଆଖିଆଗରେ ରଖି ସଂଶୋଧିତ ଆଇନ୍ରେ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହି ଆଇନ୍ରେ ଟଙ୍କା ନେଇ ଯାଉଥିବା ଗାଡ଼ିର ଡିଜାଇନ୍, ଗୋଟିଏ ଗାଡ଼ିରେ କେତେ ସଂଖ୍ୟାରେ କର୍ମଚାରୀ ଓ ସୁରକ୍ଷା କର୍ମୀ ମୁତୟନ ହେବେ, ସେମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଅପରାଧିକ ପୃଷ୍ଠଭୂମି ଯାଞ୍ଚ କରିବା, କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ଏବଂ ଗୋଟିଏ ଗାଡ଼ିରେ କେତେ ପରିମାଣରେ ଅର୍ଥ ଯାଇପାରିବ ଏବଂ ଏହା କିପରି ପରିଚାଳନା ହେବ ତାହା ରହିଛି । ଏହି ମଡେଲ ଆଇନ୍ରେ ଟଙ୍କା ପରିବହନ କରୁଥିବା ଗାଡ଼ିଗୁଡ଼ିକ କେଉଁ ସମୟରେ ଯାତାୟାତ କରିବ ତାହା ଉଲ୍ଲେଖ ରହିଛି ।
ବର୍ତ୍ତମାନ ରାଜ୍ୟ ସରକାର ଘରୋଇ ସୁରକ୍ଷା ସଂସ୍ଥା ନିୟନ୍ତ୍ରଣ ଆଇନ୍ (ପିଏସ୍ଏଆର୍ ଆକ୍ଟ) ର ରାଜ୍ୟ ସରକାର ଉପବିଧି ପ୍ରସ୍ତୁତ କରିବେ । ଏହା ହେଲାପରେ ତାହାକୁ କାର୍ଯ୍ୟକାରୀ ଲାଗି ଅର୍ଥ ପରିବହନ କରୁଥିବା ଘରୋଇ ସଂସ୍ଥାଗୁଡ଼ିକୁ ୬ ମାସ ସମୟ ଦିଆଯିବ । ତଦନୁଯାୟୀ କେନ୍ଦ୍ର ସରକାର ତୁରନ୍ତ ମଡେଲ ରୁଲ୍ କାର୍ଯ୍ୟକାରୀ ନେଇ ବିଜ୍ଞପ୍ତି ଜାରି କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ନିକଟରେ ଏହି ପ୍ରସଙ୍ଗ ପୂର୍ବାଞ୍ଚଳ ପରିଷଦ ବୈଠକରେ ଉଠିଥିବା ସୂଚନା ମିଳିଛି । ଓଡ଼ିଶା ସରକାର ଏହି ବୈଠକର ଆୟୋଜକ ଥିବାବେଳେ ବିଭିନ୍ନ ଆନ୍ତଃରାଜ୍ୟ ପ୍ରସଙ୍ଗ ଏଥିରେ ସ୍ଥାନ ପାଇଥିଲା ।