
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଇଲାକାରେ ପଲିଥିନ୍ ବ୍ୟବହାର ହ୍ରାସ ଲାଗି ଆଜି ଆଇଡିବିଆଇ ବ୍ୟାଙ୍କ୍ ସହାୟତାରେ ବିଏମ୍ସି ପକ୍ଷରୁ କପଡା ବ୍ୟାଗ୍ ବଣ୍ଟାଯାଇଛି । ବ୍ୟାଗ୍ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ୍ ଏବଂ ଅବନିକାନ୍ତ ପଟ୍ଟନାୟକ । ଆଇଡ଼ିବିଆଇ ବ୍ୟାଙ୍କର ଜେନେରାଲ୍ ମ୍ୟାନେଜର୍ ସୁଦିପ୍ତ ବାନାର୍ଜୀ ଏବଂ ଡ଼େପୁଟି ଜେନେରାଲ୍ ମ୍ୟାନେଜର୍ ମନୋଜ କୁମାର ଗୁପ୍ତା ଏହି କାର୍ଯ୍ୟକରେ ଉପସ୍ଥିତ ଥିଲେ ।
ଭୁବନେଶ୍ୱରରେ ପଲିଥିନ୍ କ୍ୟାରିବ୍ୟାଗ୍ ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ୍ ର ବର୍ଜନ କରି ସମସ୍ତ ନାଗରିକ ଏହି ସହରକୁ ଏକ ପରିବେଶବନ୍ଧୁ ସହର କରି ଗଢିତୋଳିବା ଏବଂ ଏହାର ପରିମଳ ସ୍ଥିତିକୁ ଉଚ୍ଚ ସ୍ଥାନରେ ପହଂଚାଇବାର ଗୁରୁ ଦାୟିତ୍ୱ କେବଳ ସରକାରଙ୍କର ନୁହେଁ, ବରଂ ସବୁ ସ୍ତରର ନାଗରିକ ଏବଂ ଅନୁଷ୍ଠାନ ମାନଙ୍କର ନିରନ୍ତର ସହଯୋଗ ଆବଶ୍ୟକ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଛନ୍ତି ଅତିରିକ୍ତ କମିଶନର ଶ୍ରୀ ମଲ୍ଲିକ୍ ।
ଆଇ ଡ଼ି ବି ଆଇ ବ୍ୟାଙ୍କ୍ର ଡ଼େପୁଟି ଜେନେରାଲ୍ ମ୍ୟାନେଜର୍ ଶ୍ରୀ ଗୁପ୍ତା କହିଛନ୍ତି ଯେ, ବ୍ୟାଙ୍କ୍ କେବଳ ଗ୍ରାହକ ମାନଙ୍କ ବନ୍ଧୁ ନୁହେଁ, ନାଗରିକ ମାନଙ୍କ ବନ୍ଧୁ ସାଜି ଭୁବନେଶ୍ୱରକୁ ଏକ ପରିବେଶ ଅନୁକୂଳ ସହର କରି ଗଢିବାରେ ଏବଂ ନାଗରିକ ମାନଙ୍କୁ ଏଥିରେ ଅଭ୍ୟସ୍ତ କରାଇବାପାଇଁ ଆଜି ବ୍ୟାଙ୍କ୍ ପକ୍ଷରୁ ଭୁବନେଶ୍ୱର ମୁଁ ସଫେଇବାଲା କାର୍ଯ୍ୟକ୍ରମରେ ବି.ଏମ୍.ସି ସହିତ ଯୋଗ ଦେଇଛି । ଏହି ଅବସରରେ ପରିମଳର ବାର୍ତା ବାଂଟିବା ସହିତ ସହରର ବିଭିନ୍ନ ସ୍ଥାନରେ ନାଗରିକ ମାନଙ୍କୁ ମୁଁ ସଫେଇବାଲା କପଡ଼ା ବ୍ୟାଗ୍ ବଂଟନ କରାଯିବ ।
ତେବେ ଏହି କାର୍ଯ୍ୟକ୍ରମରେ ସମୁଦାୟ ୫ହଜାରଟି କପଡ଼ା ବ୍ୟାଗ୍ ବଂଟା ହେବାକୁ ସ୍ଥିର କରାଯାଇଥିବା ବେଳେ ଆଜି ବାପୁଜିନଗରରେ ୫୦୦ ଟି ବ୍ୟାଗ୍ ବଂଟା ହୋଇଛି । ଏହି ପ୍ରଚାର କ୍ୟାମ୍ପରେ ସ୍ୱେଚ୍ଛାସେବୀମାନେ ପରିମଳ ବାର୍ତା ବାଂଟିବା ସହିତ ସେଠାରେ ବଜାର ସଉଦା କରିବାକୁ ଆସିଥିବା ଉପସ୍ଥିତ ନାଗରିକ ମାନଙ୍କୁ ଡ଼ାକି ପଲିଥିନ୍ କ୍ୟାରୀବ୍ୟାଗ୍ ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ୍ର କୁପ୍ରଭାବ ଉପରେ ବୁଝାଇଥିଲେ ଏବଂ କପଡ଼ା ବ୍ୟାଗ୍ ବ୍ୟବହାର କରିବାକୁ କହି ସେମାନଙ୍କୁ ଗୋଟିଏ ଲେଖାଏଁ ଦେଇଥିଲେ । ସୂଚନାଯୋଗ୍ୟ କି ପୂର୍ବରୁ ଏହି ରୀତିରେ ଆକ୍ସିସ୍ ବ୍ୟାଙ୍କ୍ ଏବଂ ବି.ଏମ୍.ସିର ମିଳିତ ସହଯୋଗରେ ୭୫୦୦ଟି ଏବଂ ଏଚଡ଼ିଏଫସି ଏବଂ ବିଏମସି ର ମିଳିତ ସହଯୋଗରେ ୫୦୦୦ଟି କପଡ଼ା ବ୍ୟାଗ୍ ଦିଆଯାଇ ସହରର ବିଭିନ୍ନ ସ୍ଥାନରେ ସଚେତନତା ବାର୍ତା ବଂଟାଯାଇଛି ।