
ମୋ ସରକାରରେ ଆଜି ରାଜ୍ୟ ଜଳ ସଂପଦ ବିଭାଗ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଶୁଭାରମ୍ଭ କରି ଭିଡିଓ କନ୍ଫରେନ୍ସିଂ ଜରିଆରେ ଜିଲ୍ଲାସ୍ତରରେ ଥିବା ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ।
ଆଜି ମୋ ସରକାରରେ ଅନ୍ତର୍ଭୁକ୍ତ ହୋଇଥିବା ଆଉ ୪ଟି ବିଭାଗ ସହିତ ଜଳ ସଂପଦ ବିଭାଗକୁ ସାମିଲ କରିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ, ଏକ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଜୀବନୀ ଶକ୍ତି ହେଉଛନ୍ତି ଜନସାଧାରଣ । ସରକାର ହେଉଛନ୍ତି ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାର ପ୍ରତିଫଳନ, ଯାହା ଲୋକଙ୍କର ଆଶାକୁ ପୂରଣ କରିବା ଦିଗରେ ଗଠିତ । ଏଣୁ ସରକାରୀ କର୍ମଚାରୀମାନେ ନିଶ୍ଚିତ ଭାବେ ଜନସାଧାରଣଙ୍କ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା, ସେମାନଙ୍କର ଇଚ୍ଛାକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଆବଶ୍ୟକ ସେବା ଯୋଗାଇଦେବା ପ୍ରମୁଖ କର୍ତବ୍ୟ ।
ଜଳସେଚନ ପ୍ରକଳ୍ପ ଅଂଚଳରେ ବସବାସ କରୁଥିବା ତଥା ପ୍ରକଳ୍ପ ଦ୍ୱାରା ଜମି ହରାଇଥିବା ବ୍ୟକ୍ତି, ପ୍ରକଳ୍ପ ନିର୍ମାଣରେ ନିୟୋଜିତ ଠିକାଦାର, ଜଳସେଚନ ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକ ସଭିଁଏ ଜଳସଂପଦ ବିଭାଗରୁ ଆବଶ୍ୟକ ସେବା ଲୋଡିଥାନ୍ତି । ସେମାନଙ୍କର ଆବଶ୍ୟକତା, ଆଶା ଓ ଆକାଙକ୍ଷାକୁ ସନ୍ତୋଷଜନକ ଭାବରେ ସମାଧାନ କରିବା ହେଉଛି ଆମର ପ୍ରଧାନ କର୍ତବ୍ୟ ।
ଜଳ ସେଚନ ବିଭାଗ “ମୋ ସରକାର”ର ଲକ୍ଷ୍ୟ ହାସଲ ନିମନ୍ତେ ଉପଖଣ୍ଡ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ “ମୋ ସରକାର ସୁବିଧା କେନ୍ଦ୍ର” ଗୁଡିକ ଖୋଲିଛନ୍ତି । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି କି, ଯେ କେହି ବି ଆମର ସହାୟତା ଓ ସହଯୋଗ ପାଇଁ ଜଳସଂପଦ ବିଭାଗୀୟ କାର୍ଯ୍ୟାଳୟକୁ ଯାଉଛନ୍ତି, ସେମାନଙ୍କୁ ମର୍ଯ୍ୟାଦାଜନକ ତଥା ସମ୍ମାନଜନକ ଭାବେ ସହାୟତା ପ୍ରଦାନ କରିବା ଉଚିତ୍ ।
ମୋ ସରକାର ସାମିଲ ହେବା ପରିପ୍ରେକ୍ଷୀରେ ବିଭାଗର ଉପଖଣ୍ଡଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବର୍ତମାନ ପ୍ରାୟ ୫୩୦ଟି “ମୋ ସରକାର କକ୍ଷ” ଖୋଲାଯାଇଛି ଏବଂ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତୀ ସମୟରେ କ୍ଷେତ୍ରସ୍ତରରେ ଅଧିକ କକ୍ଷ ଖୋଲାଯିବ ବୋଲି ବିଭାଗ ତରଫରୁ ଜଣାଯାଇଛି । ବିଭାଗ ମୋ ସରକାରରେ ସାମିଲ ହେବା ପରେ ରାଜ୍ୟ ଜଳସଂପଦ ଓ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ଜଳସଂପଦ ବିଭାଗ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ମୂଲ୍ୟବୋଧରେ ଦୃଢ ବିଶ୍ୱାସ ରଖେ ଏବଂ ବିଭିନ୍ନ ସେବା ଉଦ୍ଦେଶ୍ୟରେ ଆସୁଥିବା ଲୋକମାନଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରି ସରକାରଙ୍କ ଆସ୍ଥାଭାଜନ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ।