ଟ୍ରାଫିକ ନିୟମ ଉଲ୍ଲଘଂନ ନାମରେ ସାଧାରଣ ଜନତାଙ୍କୁ ଅତ୍ୟାଚାର କରାଯାଉଛି ବୋଲି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ଯେ ପୋଲିସ ଓ ଆରଟିଓ ଗାଡି ଚାଳକଙ୍କୁ ଯେଉଁ ବ୍ୟବହାର କରୁଛନ୍ତି ତାହା ହିଟ୍ଲରୀ ଶାସନ ଓ ଇଦ୍ ଅମିନ୍ ଶାସନକୁ ବଳି ଯାଇଛି ।
ଗାଡି ଚାଳକଙ୍କ ଉପରେ ଯେଉଁ ଜରିମାନା ଲାଗୁ କରାଯାଉଛି ତାହା ଗାଡିର କ୍ରୟ ମୂଲ୍ୟ ଠାରୁ ଅଧିକ । ରୋଗୀ, ଛାତ୍ର, ପରୀକ୍ଷାର୍ଥୀ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ଗାଡିକୁ ଅଟକା ଯାଇ ଗାଳିଗୁଲଜ କରିବା ସହ ଥାନାକୁ ଜବରଦସ୍ତ ଗାଡି ନିଆଯାଉଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ସ୍ପୃହଣୀୟ ନୁହେଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କ ଠାରୁ ଯେଉଁଭଳି ଭାବରେ ଜରିମାନା ଆଦାୟ କରୁଛନ୍ତି, ଏହା ଏକ ଜନବିରୋଧି ନିଷ୍ପତି ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ଲୋକ ଭୋଟ ଦେଇ ବିଜେଡି ଓ ବିଜେପିକୁ ସରକାରରେ ବସାଇଛନ୍ତି । ମାତ୍ର ସରକାରରେ ବସିଲା ପରେ ଲୋକମାନଙ୍କ ପ୍ରତି ଉଭୟ ବିଜେଡି ଓ ବିଜେପି ସରକାର ଯେଉଁ ଅମାନୁଷିକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଜନସାଧାରଣଙ୍କୁ ଅତିଷ୍ଠ କଲାଣି । ଲୋକମାନଙ୍କ କ୍ରୋଧ ପୁଞ୍ଜିଭୂତ ହେଉଛି । ଯଦି ସାଧାରଣ ଜନତାର ଭୁଲ୍ ଥାଏ, ତା’ହେଲେ ଜରିମାନା ଆଦାୟର ତରିକା ଏପରି ନୁହେଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ଯଦି କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କର ଆଚରଣ ଓ ଉଚ୍ଚାରଣରେ ପରିବର୍ତନ ନକରିନ୍ତି ଏବଂ ପୋଲିସ ଓ ଆରଟିଓ ତାଙ୍କର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ଯଦି ସଂଶୋଧନ ନକରନ୍ତି ତେବେ ଆରଟିଓ ଅଫିସ୍ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି । ଆରଟିଓ କାର୍ଯ୍ୟାଳୟରେ କର୍ମଚାରୀ ନାହାନ୍ତି, ସବୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଥିବାରୁ କେଉଁ ରାସ୍ତାଟା ଠିକ୍ ଓ କେଉଁ ରାସ୍ତା ଭୁଲ୍, ତାହା ନିର୍ଣ୍ଣୟ କରିବା କଷ୍ଟକର, ପାର୍କିଂ ବ୍ୟବସ୍ଥା ନାହିଁ, ଜନସାଧାରଣଙ୍କୁ ଠିକ୍ ଭାବେ ସଚେତନ କରାଯାଇନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ତଣ୍ଟି ଚିପି ରାଜସ୍ୱ ଆଦାୟର ଯେଉଁ ନୀତି ଅବଲମ୍ବନ କରାଯାଇଛି ତାହା ଅତ୍ୟନ୍ତ ଦୁଃଖ ଦାୟକ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହିଟ୍ଲରୀ ଶାସନକୁ କଂଗ୍ରେସ ବରଦାସ୍ତ କରିବ ନାହିଁ । ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।