
ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରେଳବାଇ ଦେଉଥିବା ଯାତ୍ରାକାଳୀନ ସୁବିଧାରୁ କିଛି ପ୍ରତ୍ୟାହାର କରିଛି । ଏଣିକି ରାଜଧାନୀ ଓ ଶତାବ୍ଦୀ ଭଳି ରେଳଗାଡ଼ିରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ସହିତ ମାତ୍ର ଜଣେ ପିଲାଙ୍କୁ ନେଇ ଯାତ୍ରା କରିପାରିବେ ।
ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ରେଳବାଇ ପକ୍ଷରୁ ରିହାତି ଦରରେ ରେଳଯାତ୍ରା ଲାଗି ପାସ୍ ଯୋଗାଇ ଦିଆଯାଇଛି । ଏଥିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ୫୦ ପ୍ରତିଶତ ରିହାତି ଦରରେ ଯାତ୍ରାର ସୁବିଧା ଥିବା ବେଳେ ପରିବାର ସହିତ ବର୍ଷକୁ ଦୁଇଥର ଦେଶର ଯେକୌଣସି ସ୍ଥାନକୁ ରିହାତି ଦରରେ ଯିବାର ସୁବିଧା ରହିଛି । ତେବେ ପୂର୍ବରୁ ସମସ୍ତ ପ୍ରକାର ରେଳଗାଡ଼ିରେ ନିଜ ପରିବାର ସହିତ ଦୁଇଜଣ ପିଲାଙ୍କୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଯାତ୍ରା କରୁଥିବା ବେଳେ ଏବେ ସେଥିରେ କଟକଣା ଲାଗିଛି ।
ସୂଚନାନୁଯାୟୀ ରାଜଧାନୀ ଓ ଶତାବ୍ଦୀ ଭଳି ରେଳଗାଡ଼ିରେ ଦୁଇ ଜଣ ପିଲାଙ୍କ ବଦଳରେ ମାତ୍ର ଜଣକ ପାଇଁ ରିହାତି ବ୍ୟବସ୍ଥା କରାଯାଇଛି । ଅନ୍ୟ ରେଳଗାଡ଼ିଗୁଡ଼ିକରେ ଦୁଇ ଜଣ ପିଲା ରିହାତି ଦରରେ ଯାଇପାରିବେ ବୋଲି ରେଳବାଇର ଅଧିକାରୀମାନେ ସୂଚନା ଦେଇଛନ୍ତି । ସେମାନଙ୍କ କହିବା କଥା ଯେ ରେଳବାଇ ପକ୍ଷରୁ ରାଜଧାନୀ ଓ ଶତାବ୍ଦୀ ଭଳି ରେଳଗାଡ଼ି ଯେଉଁଥିରେ ‘ଫ୍ଲେକ୍ସି ଫେୟାର୍’ ବ୍ୟବସ୍ଥା ଲାଗୁ ହୋଇଛି ସେଥିରେ ରେଳବାଇ କର୍ତ୍ତୃପକ୍ଷ ଏଭଳି କଟକଣା ଜାରି କରିଛନ୍ତି ।
ତେବେ ଏ ସଂକ୍ରାନ୍ତରେ ଅଧିକାଂଶ ଅବଗତ ନ ଥିବାରୁ ନିଜ ପରିବାର ସହିତ ଛୁଟିରେ ବାହାରକୁ ଯିବାକୁ ଚାହୁଁଥିବା ଗଣମାଧ୍ୟମ ପ୍ରତିନିଧିମାନେ ଏବେ ଅଧିକ ଅର୍ଥ ଗଣିବାକୁ ବାଧ୍ୟ ହେଉଛନ୍ତି । ରେଳବାଇ ପକ୍ଷରୁ ଏ ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧି କିମ୍ବା ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ଟିକେଟ କାଟିବାକୁ ଯାଇ ସାମ୍ବାଦିକମାନେ ସମସ୍ୟାର ସମ୍ମୁଖୀନ ହୋଇନଥାନ୍ତେ ।
ଦୁଇବର୍ଷ ତଳେ ସମସ୍ତ ପ୍ରକାର ରେଳଗାଡ଼ିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରିବାର ସହିତ ଦୁଇଟି ପିଲାଙ୍କ ଲାଗି ଯାତ୍ରାକାଳୀନ ରିହାତି ସୁବିଧା ମିଳୁଥିବା ବେଳେ ରେଳବାଇ କର୍ତ୍ତୃପକ୍ଷ ତାହାକୁ ପ୍ରତ୍ୟାହୃତ କରିବାକୁ ଅନେକ ନାପସନ୍ଦ କରିଛନ୍ତି ।