ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଜଳାଶୟରୁ ମିଳିବ ସୌରଶକ୍ତି


ଓଡ଼ିଶାରେ ଭରପୂର ଥିବା ବିଶାଳ ଜଳାଶୟ ଗୁଡ଼ିକରୁ ସୌରଶକ୍ତି ଉତ୍ପାଦନ ଲାଗି ସରକାର ଯୋଜନା କରୁଥିବା ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ।

ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ “ଇନୋଭେସନ୍ ଇନ୍ ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ କମ୍ୟୁନିକେସନ୍ ଆଣ୍ଡ କମ୍ପ୍ୟୁଟିଙ୍ଗ ଟେକ୍ନୋଲୋଜି” ଶୀର୍ଷକ ପ୍ରଥମ ଆନ୍ତର୍ଜାତିକ ଦୁଇ ଦିନିଆ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସେଠୀ କହିଛନ୍ତି ଯେ ଓଡ଼ିଶାରେ ସୌରଶକ୍ତି ଉତ୍ପାଦନ ପାଇଁ ଅନେକ ସମ୍ଭାବନା ରହିଛି । ବାଲିମେଳା, ହୀରାକୁଦ ଏବଂ ରେଙ୍ଗାଲୀ ଭଳି ଜଳାଶୟରୁ ସୌରଶକ୍ତି ଉତ୍ପାଦନ କରାଯାଇପାରିବ ।

ଓଡ଼ିଶା ଜଳ ବିଦ୍ୟୁତ୍‍ ନିଗମର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ରହିଥିବା ଶ୍ରୀ ସେଠୀ କହିଛନ୍ତି ଯେ ଦେଶରେ ଆଗାମୀ ଦିନରେ କାର୍ବନ୍ ଏମିସନକୁ କମ୍ କରିବା ପାଇଁ ୪୫୦ ଗିଗା ୱାଟର ଅକ୍ଷୟ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଏ ଦିଗରେ ରାଜ୍ୟରେ ଥିବା ଜଳାଶୟଗୁଡ଼ିକରେ ଭାସମାନ ସୌର ବିଦ୍ୟୁତ୍ ଉତ୍ପାଦନକେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରାଯାଉଥିବା ସେ କହିଛନ୍ତି ।

ଏହିଭଳି ପ୍ରକଳ୍ପ ଗୁଡ଼ିକୁ ହାତକୁ ନେବା ପାଇଁ ୟୁରୋପିୟାନ୍ ୟୁନିୟନ୍ ସହିତ ରାଜ୍ୟ ସରକାର ଆଲୋଚନା କରୁଛନ୍ତି । ଏଭଳି ପ୍ରକଳ୍ପ ଦ୍ୱାରା ଜମି ଅଧିଗ୍ରହଣ ଏବଂ ବିସ୍ଥାପନ ସମସ୍ୟାକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି । ଏହି ଜଳାଶୟଗୁଡ଼ିକ ସମେତ ବିଦ୍ୟୁତ୍ ଉତ୍ପାଦନ ପାଇଁ ରାଜ୍ୟ ସରକାର ୭ଟି ଜଳସେଚନ ପ୍ରକଳ୍ପ ମଧ୍ୟ ଚିହ୍ନଟ କରିଛନ୍ତି । ମାତ୍ର ଏହି ପଦକ୍ଷେପ ଦ୍ୱାରା ବିଭିନ୍ନ ଜଳାଶୟ, ମତ୍ସ୍ୟ ସମ୍ପଦ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କି ପ୍ରକାର ପ୍ରଭାବ ପଡ଼ିବ ସେ ବିଷୟରେ ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ସେ କହିଥିଲେ । ଓଡ଼ିଶାରେ ଦେଶର ୩୦ ପ୍ରତିଶତ କୋଇଲା ଗଚ୍ଛିତ ରହିଛି । ତେବେ ତାପଜ ବିଦ୍ୟୁତ ଉତ୍ପାଦନ ଦ୍ୱାରା ପରିବେଶ ପ୍ରଦୂଷଣ ହୋଇଥିବା ଯୋଗୁଁ ଏହି ଉତ୍ପାଦନକୁ କମ୍ କରାଯାଉଛି ବୋଲି ସେ କହିଥିଲେ ।

ସୋଆର ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟର ଡିନ୍ ପ୍ରଫେସର ପି.କେ. ନନ୍ଦ ଉଦଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ନାରାୟଣ ଥୋରାଟ ଓ ଆଇଆଇଟି ଦିଲ୍ଲୀର ପ୍ରଫେସର ବିଜୟ କେତନ ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ । ପ୍ରଫେସର ଥୋରାଟ କହିଥିଲେ ଯେ ଯଦିଓ ଗବେଷଣା ଦ୍ୱାରା ଅନେକ ତଥ୍ୟ ମିଳିପାରୁଛି ତଥାପି ଏ ଗବେଷଣା ପାଇଁ ଜ୍ଞାନର ପ୍ରୟୋଗ କରିବା ମଧ୍ୟ ଆବଶ୍ୟକ ଅଟେ ।

କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା ଏବଂ ସମ୍ମିଳନୀର ଅର୍ଗାନାଇଜିଂ ଚେୟାର ଡଃ ମନୋହର ମିଶ୍ର ମଧ୍ୟ ବକ୍ତବ୍ୟ ରଖିଥିଲେ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021