ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଗୋ ସେବାରୁ ଅପାର ପୂଣ୍ୟ

ମାତୃଭୂମି, ଜନ୍ମଦାତ୍ରୀ ମା’ ଓ ଗୋମାତାଙ୍କ ଋଣ ସୁଝି ହୁଏ ନାହିଁ । ଯେଉଁମାନେ ଏ ତିନିଜଣଙ୍କ ସେବାରେ ତନ ମନ ଧନ ଦେଇ କିଛି କାମ କରନ୍ତି ସେମାନେ ଅପାର ପୂଣ୍ୟ ଲାଭ କରିଥାନ୍ତି । ଯେଉଁ ଦେଶର ନାଗରିକମାନେ ଏହି ତିନି ମାତୃଶକ୍ତିଙ୍କ ପ୍ରତି ବିମୁଖ ସେ ଦେଶର ପତନ ହୁଏ । ପୁରାଣ ସମେତ ଧର୍ମ ଶାସ୍ତ୍ରରେ ମାତୃ ଉପାସନା ଯେଉଁ ପରମ୍ପରା ରହିଛି ତାହାକୁ ଉଜ୍ଜୀବିତ କରି ରଖିବା ପାଇଁ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଆହ୍ୱାନ ଦେଇଛନ୍ତି ।

ସାଲେପୁର ନିକଟବର୍ତ୍ତୀ ଅସୁରେଶ୍ୱର ଗୋରକ୍ଷଣୀର ପ୍ଲାଟିନମ୍‍ ଜୁବୁଲି ଉତ୍ସବକୁ ଉଦ୍‍ଘାଟନ କରି ଗଜପତି ମହାରାଜ କହିଛନ୍ତି ଯେ ଭଗବାନ ଶ୍ରୀରାମଚନ୍ଦ୍ର ଯେଉଁ ରଘୁବଂଶର ଦାୟଦ ଥିଲେ ତାହା ଗୋ ପୂଜନରୁ ସୃଷ୍ଟି ହୋଇଥିଲା । ଭଗବାନ ଶ୍ରୀକୃଷ୍ଣଙ୍କଠାରୁ ଆରମ୍ଭ କରି ଆଦିମାତା ସୁରଭୀଙ୍କ ପର୍ଯ୍ୟନ୍ତ ପୁରାଣ ପୃଷ୍ଠାକୁ ଗୋପୂଜନ ଧାରାରେ ସମୃଦ୍ଧ କରିଥିବା ବେଳେ ଗାନ୍ଧୀଜୀଙ୍କ ଠାରୁ ଗୋପବନ୍ଧୁ ପର୍ଯ୍ୟନ୍ତ ମହାମାନବମାନେ ଗୋ ମାହାତ୍ମ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ଗୋ ହତ୍ୟା ନିରୋଧ ପାଇଁ ଯେଉଁ ବାଟ ଦେଖାଇ ଯାଇଛନ୍ତି ତାହା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଲାଗି ଅନୁକରଣୀୟ ।

ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ କ୍ରିୟାଯୋଗ ଆଶ୍ରମର ପରହଂସ ପ୍ରଜ୍ଞାନନ୍ଦ ଗିରି ଯୋଗଦେଇ ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ, ଆର୍ଥିକ ଓ ନୈତିକ ଦୃଷ୍ଟିକୋଣରୁ ଗୋ ପୂଜନର ମାହାତ୍ମ୍ୟ ବର୍ଣ୍ଣନା କରିଥିଲେ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ସମାରୋହରେ ଯୋଗଦେଇ ଭାରତରେ କୃଷି ଅର୍ଥନୀତି ସହ ଗୋମାତାର ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଗୋରକ୍ଷଣୀର ସଭାପତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏଥିରେ ଅଧ୍ୟକ୍ଷତା କରି ୧୯୪୩ ମସିହାରୁ ଏଯାବତ୍‍ ଏହି ଅନନ୍ୟ ସଂସ୍ଥା କିଭଳି ଅକର୍ମଣ୍ୟ ଗୋମାତାମାନଙ୍କ ସେବା କରି ଆସୁଛି ତାହା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଏହାର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତଃ ଜଳଧର ନାୟକ, ଅଫସର୍‍ ଅଲ୍ଲୀ ଓ କେଶବାନନ୍ଦ ଷଢଙ୍ଗୀଙ୍କ ତ୍ୟାଗପୂତ ସେବା ଜୀବନର ସ୍ମୃତିଚାରଣ କରିଥିଲେ ।

ଅସୁରେଶ୍ୱର ଗୋରକ୍ଷଣୀ ଏକ ବ୍ୟବସାୟିକ ସଂସ୍ଥା ନୁହେଁ । ଏଠାରେ ଦୁଧ କିମ୍ବା ଦୁଗ୍ଧଜାତ ଦ୍ରବ୍ୟ ବିକ୍ରୟ ହୁଏ ନାହିଁ । କେବଳ ଅକର୍ମଣ୍ୟ ଗୋରୁଗାଈଙ୍କୁ ଏଠାରେ ଆଶ୍ରୟ ଦିଆଯାଇଥାଏ । ୫୦୦୦ରୁ ଊଦ୍ଧ୍ୱର୍ ପରିବାରରର ମା’ମାନେ ଘରେ ଘରେ ମୁଷ୍ଟିଭିକ୍ଷା ପାତ୍ର ବସାଇ ପରିବାରର ରୋଷେଈ ପୂର୍ବରୁ ଗୋମାତାଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ କେଇମୁଠା କରି ଚାଉଳ ସମର୍ପଣ କରି ରଖିଥାନ୍ତି । ଏହି ମୁଷ୍ଟି ଭିକ୍ଷାକୁ ପୁଞ୍ଜିକରି ଏହି ସଂସ୍ଥା ଚାଲିଥାଏ ।

ତେଣୁ ଏହି ଗୋରକ୍ଷଣୀର ପ୍ଲାଟିନମ୍‍ ଜୁବୁଲି ଅବସରରେ ଆଜି ମୁଷ୍ଟି ଓ ଗୋସେବକମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ତିନି ହଜାରରୁ ଅଧିକ ମହିଳାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଯୋଗ ଦେଇଥିଲେ । ମୁଷ୍ଟିଦାତ୍ରୀ ମା’ମାନେ ଗୋପୂଜନର ଯେଉଁ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି ତାହା ସେମାନଙ୍କୁ ବସ୍ତୁତଃ ମୁକ୍ତିଦାତ୍ରୀରେ ପରିଣତ କରିଛି ବୋଲି ଅନତ୍ୟତମ ଗାନ୍ଧବାଦୀ ଚିନ୍ତକ ପ୍ରହଲାଦ ସିଂହ ଏହି ସମ୍ମିଳନୀରେ ଉଲ୍ଲେଖ କରିଥିଲେ ।

କିସ୍‍ ବିଦ୍ୟାଳୟର କୁଳପତି ଡ. ହରେକୃଷ୍ଣ ଶତପଥୀ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋରକ୍ଷଣୀର ପବିତ୍ର ବାତାବରଣ ଯେଉଁ କୌଣସି ଧର୍ମାନୁଷ୍ଠାନ ଠାରୁ ଅଧିକ ପବିତ୍ର ବୋଲି ମତବ୍ୟକ୍ତ କରିଥିବା ବେଳେ ବିଧାୟକ ଚନ୍ଦ୍ରସାରଥୀ ବେହେରା ଗୋରକ୍ଷଣୀ ସହ ତାଙ୍କ ପାରିବାରିକ ସ୍ମୃତିକୁ ରୋମନ୍ଥନ କରିଥିଲେ । ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା ମୁଷ୍ଟଦାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଗୋରକ୍ଷଣୀ ପରିସରରେ ସାଧୁସନ୍ଥମାନଙ୍କ ଦ୍ୱାରା ସୁରଭୀ ମହାଯଜ୍ଞ ଓ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ପାର୍ଶୁରାମ ଦ୍ୱିବେଦୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021