
ସାମୁଦ୍ରିକ ଜଳ ପ୍ରଦୂଷଣ ପାଇଁ ଦାୟୀ ପୌର ସଂସ୍ଥାଗୁଡ଼ିକୁ ଦଣ୍ଡିତ କରିବା ଲାଗି ମୋକଦ୍ଦମା ରୁଜୁ କରିବାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ନିର୍ଦ୍ଦେଶ ଦେଇଛନ୍ତି । ଏହା ଏବେ ରାଜ୍ୟର ବହୁ ପୌରସଂସ୍ଥାର ପ୍ରଶାସନିକ ଅଧିକାରୀମାନଙ୍କ ନିଦ ହଜାଇ ଦେଇଛି । ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ଅଧିକାରୀଙ୍କୁ ଜେଲ୍ ଯିବାକୁ ପଡ଼ିବ ଓ ସେଥିଲାଗି ତାଙ୍କ ଚାକିରି ବି ଚାଲିଯିବ ।
ଜଣେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍.ଏସ୍ ଓବରେଇ ସାମୁଦ୍ରିକ ଜଳ ପ୍ରଦୂଷଣ ପ୍ରସଙ୍ଗରେ ଏନ୍ଜିଟିରେ ଏକ ମାମଲା ଦାୟର କରି ପ୍ରଦୂଷଣକାରୀଙ୍କ ଦୌରାତ୍ମ୍ୟରୁ ଉପକୂଳ ସମେତ ସାମୁଦ୍ରିିକ ସମ୍ପଦକୁ ସୁରକ୍ଷା ଲାଗି ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ମାମଲାର ବିସ୍ତୃତ ଶୁଣାଣି କରି ଏନ୍ଜିଟି ଏଭଳି ଚେତାବନୀ ଦେଇଛନ୍ତି ।
ଏନ୍ଜିଟିର ମୁଖ୍ୟ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୫ ଜଣିଆ ଖଣ୍ଡପୀଠ ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଏହି ନିର୍ଦ୍ଦେଶନାମା ମଧ୍ୟ ପଠାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୦ ଏପ୍ରିଲ ମାସରେ ହେବାକୁ ଥିବାରୁ ଏବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥାମାନେ ତତ୍ପର ହୋଇ ଉଠିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ନିକଟରେ ସୁପ୍ରିମ୍କୋର୍ଟ ଅନୁରୂପ ଏକ ମାମଲାରେ ଜଳ ପ୍ରଦୂଷଣକାରୀ ପୌରସଂସ୍ଥାଗୁଡ଼ିକ ବିରୋଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶର ପ୍ରତିପାଳନ କେଉଁ ରାଜ୍ୟରେ କିପରି ହୋଇଛି ସେ ସଂକ୍ରାନ୍ତରେ ସମ୍ପୃକ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାସକ ମଧ୍ୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ବିସ୍ତୃତ ରିପୋର୍ଟ ଦେବେ । ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ରିପୋର୍ଟ ଦାଖଲ ନ କରିବେ ସେମାନଙ୍କଠାରୁ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ମାସକୁ ୧୦ ଲକ୍ଷ ଟଙ୍କା କରି କ୍ଷତିପୂରଣ ରାଶି ଆଦାୟ କରାଯିବ ବୋଲି ଏନ୍ଜିଟି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ।
ସମୁଦ୍ର ଜଳ ପ୍ରଦୂଷଣର ପ୍ରାୟ ୮୦ ପ୍ରତିଶତ ଶଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟବସ୍ତୁ, କୃଷି କ୍ଷେତ୍ରରେ ପ୍ରୟୋଗ କରାଯାଉଥିବା ରାସାୟନିକ ଓ କୀଟନାଶକ ଏବଂ ସହରାଞ୍ଚଳର ନାଳ ନର୍ଦ୍ଦମା ଯୋଗୁ ଘଟୁଛି । ବହୁ ସ୍ଥାନରେ ନର୍ଦ୍ଦମା ଜଳ ବିଶୋଧନ ନ କରି ଛାଡ଼ି ଦିଆଯିବା ଫଳରେ ନଦୀ ଓ ସମୁଦ୍ରର ଜଳ ପ୍ରଦୂଷିତ ହେଉଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ଅନ୍ୟୁନ ୩୫୧ଟି ସ୍ଥାନରେ ନଦୀଜଳର ପ୍ରଦୂଷଣ ବଢ଼ୁଛି ଯାହାକି ସାମୁଦ୍ରିକ ଜଳ ପ୍ରଦୂଷଣର ଅନ୍ୟତମ କାରଣ । ଏହା ରୋକିବା ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ କୋଷ୍ଟାଲ ଜୋନ୍ ମ୍ୟାନେଜ୍ମେଣ୍ଟ ଅଥୋରିଟି ଗଠନ କରାଯାଇଥିଲେ ମଧ୍ୟ ସମୁଦ୍ର ଜଳ ପ୍ରଦୂଷଣମୁକ୍ତ ହୋଇପାରୁନାହିଁ ।
ଏଠାରେ ଉଲ୍ଲେଖନୀୟ ଯେ ଭାରତର ୭୫୫୫ କିମି ଦୈର୍ଘ୍ୟର ବେଳାଭୂମି ରହିଛି ଯାହା ନିକଟରେ ୬୩ ନିୟୁତରୁ ଅଧିକ ଲୋକ ବସବାସ କରୁଛନ୍ତି । ମୁମ୍ବାଇ, କୋଲକାତା, ଚେନ୍ନାଇ, କୋଚ୍ଚି, ବିଶାଖାପାଟନମ୍ ଭଳି ୭୭ଟି ବଡ଼ ସହର ମଧ୍ୟ ସମୁଦ୍ର ଉପକୂଳରେ ରହିଛି । ସଂଖ୍ୟାଧିକ ପୌରାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁ ସମୁଦ୍ର ଜଳକୁ ପ୍ରଦୂଷିତ କରିବା ଫଳରେ ଉପକୂଳ ଅଞ୍ଚଳ ଦୂଷିତ ହେଉଛି, ମାଛ, କଙ୍କଡ଼ା ଆଦି ଉତ୍ପାଦନ କମୁଛି ଏବଂ ଏହାର ପ୍ରଭାବରେ ହେନ୍ତାଳ ବଣ ମଧ୍ୟ ନଷ୍ଟ ହେଉଛି । ଏ ପରିପ୍ରେକ୍ଷୀରେ ସୁପ୍ରିମ୍କୋର୍ଟ ଠାରୁ ଆରମ୍ଭ କରି ବିଭିନ୍ନ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଆସୁଥିବା ବେଳେ ଏନ୍ଜିଟି ପରିସ୍ଥିତିରେ ସୁଧାର ଆଣିବା ପାଇଁ ଦୃଢ଼ ପଦକ୍ଷେପ ପାଇଁ ଚେତାଇ ଦେଇଛି ।