ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଚିନ୍ତା ବଢ଼ାଉଛି ଚୋରା ମଦ


ଚୋରା ମଦ କାରବାର ଏବେ ସରକାରଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ଏଭଳି ବେଆଇନ କାରବାର ରୋକିବାକୁ ବ୍ୟାପକ ପଦକ୍ଷେପ ନିଆଯାଉଥିବା ବେଳେ ଗତ ୭ ମାସ ମଧ୍ୟରେ ଚୋରାମଦ କାରବାର କରି ରାଜ୍ୟରେ ୧୧ ହଜାରରୁ ଅଧିକ ଲୋକ ବନ୍ଧା ହେଲେଣି ।

ମିଳିଥିବା ସୂଚନାନୁଯାୟୀ ଚଳିତବର୍ଷ ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ଚୋରାମଦ କାରବାର କରୁଥିବା ୧୧,୭୪୬ ଜଣଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୧୨୯୧ ଜଣ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ୧୦୫୩ ଜଣ ଅଛନ୍ତି । ସେହିଭଳି ସମ୍ବଲପୁରରେ ୬୩୭, ବାଲେଶ୍ୱରରେ ୬୦୫, ଖୋର୍ଦ୍ଧାରେ ୫୬୨, ଅନୁଗୁଳରେ ୫୩୩, କେନ୍ଦୁଝରରେ ୫୦୭, କୋରାପୁଟରେ ୪୬୮ ଓ ବଲାଙ୍ଗୀରରେ ୪୪୫ ଜଣ ଗିରଫ ହୋଇଛନ୍ତି । ତେବେ ସବୁଠାରୁ କମ୍‍ ୧୫୫ ଜଣ ଗିରଫ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାରେ ।

ଏହି ସମୟ ମଧ୍ୟରେ ପୋଲିସ ୧,୭୦,୬୧୧ ଲିଟର ଚୋରା ମଦ ଜବତ କରିଛି । ଏଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୨୮,୫୮୭ ଲିଟର ମଦ ଜବତ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୨୭,୫୮୦ ଓ ମୟୂରଭଞ୍ଜରେ ୧୩,୪୫୬ ଲିଟର ଚୋରାମଦ ଜବତ ହୋଇଛି । ତେବେ କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଚୋରାମଦ ଧରାପଡ଼ିନଥିବା ଦର୍ଶାଯାଇଛି ।

ଏହି ଚୋରାମଦ ମଧ୍ୟରେ ଭାରତ ତିଆରି ବିଦେଶୀ ମଦ ସଂଖ୍ୟା ୪୮୦୫ ଲିଟର ହୋଇଥିବା ବେଳେ ୬୨୬୨ଟି ବିୟର ବୋତଲ ବି ଜବତ ହୋଇଛି । ସେହିଭଳି ପୋଲିସ ୧୫୭୫ ଲିଟର ତାଡ଼ି, ୭୪୪ ଲିଟର ସ୍ପିରିଟ୍‍ ଓ ୭୨୭ କିଲୋ ଭାଙ୍ଗ ଜବତ କରିଥିବା କୁହାଯାଇଛି ।

ତେବେ ଚୋରାମଦ କାରବାର ଲାଗି ପ୍ରତ୍ୟେକ ଜିଲ୍ଲାରେ ପୋଲିସ, ଅବକାରୀ, ଜଙ୍ଗଲ ଓ ରାଜସ୍ୱ ଅଧିକାରୀଙ୍କୁ ନେଇ ଗଠନ କରାଯାଇଥିବା ଟିମ୍‍ ଜୋରଦାର୍‍ ଚଢ଼ାଉ କରିବା ସହିତ ମୋକଦ୍ଦମା ରୁଜୁ କରୁଛି । କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ରାଜ୍ୟସ୍ତରୀୟ ଅବକାରୀ ଗୁଇନ୍ଦା ସଂସ୍ଥା ଚୋରା ମଦ କାରବାର ଉପରେ ତୀକ୍ଷ୍‍ଣ ନଜର ରଖିଛି । ରାଜ୍ୟ ବାହାରୁ ଯେଭଳି ନକଲି ମଦ ଓଡ଼ିଶାକୁ ନ ଆସିବ ସେଥିଲାଗି ସୀମାନ୍ତ ତନଖି ଫାଟକଗୁଡ଼ିକରେ ନିୟମିତ ଭାବେ ଅବକାରୀ ଯାଞ୍ଚ ହେଉଛି । ଏତେସବୁ ସତ୍ତେ୍ୱ କିନ୍ତୁ ଚୋରା ମଦ ବେପାରୀମାନେ ଯେଉଁ ହାରରେ ରାଜ୍ୟରେ ଗିରଫ ହେଉଛନ୍ତି ତାହା ଉଭୟ ସରକାର ଓ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021