କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ସିଞ୍ଚାଇ ଯୋଜନାରେ ୨୧୯୧ କୋଟି


ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡ଼ିଶାରେ ଜଳ ଅମଳ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୨୧୯୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏଯାବତ୍‍ ଏହି ଯୋଜନାରେ ଓଡ଼ିଶା କେନ୍ଦ୍ରରୁ ୧୦୦୪ କୋଟି ୩୧ ଲକ୍ଷ ଟଙ୍କା ପାଇସାରିଲାଣି । ସୀମିତ ସମୟ ମଧ୍ୟରେ କେନ୍ଦ୍ରୀୟ ପାଣ୍ଠିର ବିନିଯୋଗ କରି ଉନ୍ନତ ମାନର କାମ କରାଗଲେ କେନ୍ଦ୍ରରୁ ଏ ବାବଦରେ ଅଧିକ ପାଣ୍ଠି ମିଳିବା ସହଜ ହେବ ବୋଲି କେନ୍ଦ୍ର ସରକାରଙ୍କ ବିଭାଗୀୟ ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ।

ଶ୍ରୀ ସାହୁ ଏବେ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ କାମ କ୍ଷେତ୍ରରେ ବୁଲି ଦେଖିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ଏବେ ୩୧୦ଟି ପ୍ରକଳ୍ପରେ ୧୭ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ହେଉଛି ।

ନୟାଗଡ଼ ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ ଏହି କାର୍ଯ୍ୟକ୍ରମର ଅଗ୍ରଗତି ଓ ସଫଳତା ସମ୍ପର୍କରେ କ୍ଷେତ୍ର ଅନୁଧ୍ୟାନ ସେ କରିଛନ୍ତି । ନୟାଗଡ଼ ଜିଲ୍ଲାପାଳ ଡ. କୋମ ଟୁଡୁ ଏହି କାର୍ଯ୍ୟକ୍ରମକୁ ଏକ ଆହ୍ୱାନ ଭାବେ ନେଇ ଯେପରି ସଫଳତାର ସହ ରୂପାୟନ କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ଶ୍ରୀ ସାହୁ କହିଛନ୍ତି ।

ଉକ୍ତ ଜିଲ୍ଲାର ଗୋଡ଼ିଝରଣନାଳ ମାଇକ୍ରୋ ୱାଟରସେଡ୍‍ ଅଞ୍ଚଳର ଚାଷୀ ବାନାମ୍ବର ମାଝି ଗୋଟିଏ ସମୟରେ ଦାରିଦ୍ର୍ୟ ଓ ଋଣଭାରରେ ଡୁବି ରହୁଥିଲେ । କିନ୍ତୁ ତାଙ୍କ ଜମି ଜଳସେଚିତ ହେବା ପରେ ସେ ଏବେ ୨ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି । ବିଭିନ୍ନ କିସମର ପନିପରିବା, ଫଳ ଓ ମାଛଚାଷ କରି ସେ ତାଙ୍କ ଆର୍ଥିକ ଅବସ୍ଥାରେ ଢେର୍‍ ସୁଧାର ଆଣିଥିବା କେନ୍ଦ୍ର ଅତିରିକ୍ତ ସଚିବଙ୍କ ଗସ୍ତ ବେଳେ ଜଣାପଡ଼ିଥିଲା । ସେହିଭଳି ଗୋବିନ୍ଦ ପ୍ରଧାନ, ସୁକାନ୍ତ ଭୋଳ, ସୁଶାନ୍ତ ସ୍ୱାଇଁ ଆଦିଙ୍କ କ୍ଷେତରେ ସବୁଜିମା ଭରିଥିବା ବେଳେ ସେମାନେ କିଭଳି ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେଉଛନ୍ତି ତାହା ମଧ୍ୟ ଦୃଷ୍ଟିକୁ ଆସିଥିଲା ।

ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ତେବେ ଏହି ଜଳ ଅମଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତଦାରଖ କରୁଛନ୍ତି । ସୁଜାତା କାର୍ତ୍ତିକେୟନ୍‍ ଏହି ପ୍ରକଳ୍ପର ନିର୍ଦ୍ଦେଶକ ଥିବା ବେଳେ ସେ ଯେଉଁ ରୋଡ୍‍ମ୍ୟାପ୍‍ ପ୍ରସ୍ତୁତ କରିଥିଲେ ସେଥିରୁ ବେଶ୍‍ ସଫଳ ମିଳୁଥିବା ଜଣାପଡ଼ିଛି । ଶ୍ରୀ ସାହୁ ସୁଜାତାଙ୍କ କାର୍ଯ୍ୟଧାରାର ପ୍ରଶଂସା କରିବା ସହିତ ମୃତ୍ତିକା ସଂରକ୍ଷଣର ନିର୍ଦ୍ଦେଶକ ‘ଟିମ୍‍ ସ୍ପିରିଟ୍‍’ରେ ଏହି କାମକୁ ଆଗେଇ ନେଇ ଗ୍ରାମାଞ୍ଚଳରେ କୃଷକମାନଙ୍କ ବିକାଶର ଅଗ୍ରଦୂତ ସାଜିବାକୁ କହିଛନ୍ତି ।

ନୟାଗଡ଼ ଜିଲ୍ଲାପାଳ ଡ. ଟୁଡୁ ଯେପରି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଚାଲୁଥିବା ଅଞ୍ଚଳଗୁଡ଼ିକରେ ସରକାରଙ୍କର ବିଭିନ୍ନ ଯୋଜନାକୁ ସମନ୍ୱିତ କରି ଲାଗୁ କରୁଛନ୍ତି ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଉତ୍ସାହିତ କରି କୃଷି ସହିତ ଛତୁ, ମହୁ, ମାଛ, କୁକୁଡ଼ା ଏବଂ ଗାଈ ଓ ଛେଳି ପାଳନ ଆଦି ଉପରେ ଗୁରୁତ୍ୱ ଦେଉଛନ୍ତି ସେଥିରେ ନିଯୁକ୍ତି ସୁଯୋଗ ବଢ଼ିବା ସହିତ ଅନେକ ପରିବାର ସ୍ୱାବଲମ୍ବୀ ହୋଇପାରୁଛନ୍ତି ।

ଏହାସହିତ ସମ୍ପୃକ୍ତ ଅଞ୍ଚଳର ଚାଷୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକର ଉତ୍ପାଦିତ ସାମଗ୍ରୀ ଯେପରି ବଜାରରେ ଠିକଣା ଦରରେ ବିକ୍ରି ହୋଇପାରେ ତାହା ଉପରେ ଦୃଷ୍ଟି ରଖିବାକୁ ଶ୍ରୀ ସାହୁ ନୟାଗଡ଼ ଜିଲ୍ଲାପାଳ ଓ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020