
ରାଜ୍ୟରେ ଥିବା ତିନିଟି ବନ୍ଦର ମଧ୍ୟରୁ ରପ୍ତାନି ଓ ଆମଦାନୀ କ୍ଷେତ୍ରରେ ପାରାଦୀପ ବନ୍ଦର ଢେର ଆଗରେ ରହିଛି । ଏହି ବନ୍ଦର ବାଟ ଦେଇ ୨୯ଟି ଦେଶକୁ ସାମଗ୍ରୀ ରପ୍ତାନି ହେଉଥିବାବେଳେ ୪୩ଟି ଦେଶରୁ ସାମଗ୍ରୀ ଆମଦାନୀ ହେଉଛି । ଏ କ୍ଷେତ୍ରରେ ପଛରେ ରହିଛି ଗୋପାଳପୁର ବନ୍ଦର ।
ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ତିନିଟି ବନ୍ଦର ରହିଥିବାବେଳେ ସେଥି ମଧ୍ୟରୁ ପାରାଦୀପ ବୃହତ୍ ବନ୍ଦର ହୋଇଥିବାବେଳେ ଧାମରା ଓ ଗୋପାଳପୁର ଛୋଟିଆ ବନ୍ଦର । ତେବେ ରିହାତି ଚୁକ୍ତିନାମାର ସର୍ତ୍ତ ଆଧାରରେ ଚଳିତ ଆର୍ଥିକ ବର୍ଷରେ ଧାମରା ବନ୍ଦର ରାଜସ୍ୱ ବାବଦକୁ ୬୩କୋଟି ୬ଲକ୍ଷ ଟଙ୍କା ପଇଠ କରିଥିବାବେଳେ ଗୋପାଳପୁର ବନ୍ଦର ଦେଇଛି ୬କୋଟି ୭ଲକ୍ଷ ଟଙ୍କା ।
ଉଭୟ ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ପାରାଦୀପ ବନ୍ଦର ସବୁଠାରୁ ଆଗରେ ରହିଛି । ଏହି ବନ୍ଦର ବାଟଦେଇ ୨୯ଟି ଦେଶକୁ ୪୫.୯ ନିୟୁତ ମେଟ୍ରିକ ଟନ୍ ସାମଗ୍ରୀ ରପ୍ତାନି ହେଉଛି । ଏହିସବୁ ଦେଶ ମଧ୍ୟରେ ସିଙ୍ଗାପୁର, ଇଂଲଣ୍ଡ, ଭିଏତନାମ, ଦକ୍ଷିଣକୋରିଆ, ସୁଇଜରଲ୍ୟାଣ୍ଡ, ମଙ୍ଗୋଲିଆ, ନରୱେ, ତୁର୍କି, ଡେନମାର୍କ, ଇଜିପ୍ଟ ଆଦି ରହିଛନ୍ତି । ଏହିସବୁ ଦେଶକୁ ପାରାଦୀପ ବାଟ ଦେଇ ଚୂନପଥର, ମାଙ୍ଗାନିଜ୍, କୋଇଲା, ଷ୍ଟିଲ୍ ପ୍ଲେଟ, ୟୁରିଆ, ଡୋଲୋମାଇଟ ଓ ପ୍ରୋଜେକ୍ଟ ମେଟେରିଆଲ୍ସ ଆଦି ରହିଛି । ସେହିଭଳି ଏହି ବନ୍ଦର ବାଟଦେଇ ୬୩.୩ ନିୟୁତ ଟନ୍ ସାମଗ୍ରୀ ୪୩ଟି ଦେଶରୁ ଆମଦାନୀ ହେଉଛି । ଏହିସବୁ ଦେଶ ମଧ୍ୟରେ ଜାପାନ, ଋଷିଆ, ସ୍ପେନ ଓ ଶ୍ରୀଲଙ୍କା ଭଳି ଦେଶ ଅଛନ୍ତି । ଆମଦାନୀ ସାମଗ୍ରୀ ମଧ୍ୟରେ କୋକିଙ୍ଗ କୋଲ୍, ଫେରୋକ୍ରୋମ, ପିଗ୍ ଆଇରନ୍ ଆଦି ସାମଗ୍ରୀ ରହିଛି ।
ପାରାଦୀପ ବନ୍ଦର ପଛକୁ ରହିଛି ଧାମରା ବନ୍ଦର । ଏହି ବନ୍ଦର ବାଟ ଦେଇ ୧୪ଟି ଦେଶକୁ ୫.୯୬ନିୟୁତ ଟନ୍ ସାମଗ୍ରୀ ରପ୍ତାନି କରାଯାଇଛି । ରପ୍ତାନି ହୋଇଥିବା ସାମଗ୍ରୀ ମଧ୍ୟରେ ଲୁହାପଥର ପେଲେଟସ୍, ଇସ୍ପାତ କଏଲ, ଥର୍ମାଲ କୋଲ୍ ଓ କୁକିଙ୍ଗ କୋଲ୍ ଆଦି ରହିଥିବାବେଳେ ସାମଗ୍ରୀ ଯାଉଥିବା ଦେଶ ମଧ୍ୟରେ ଇଟାଲୀ, ଜାପାନ, ମାଲେସିଆ, ଥାଇଲ୍ୟାଣ୍ଡ ଓ ଚୀନ୍ ଆଦି ରହିଛନ୍ତି । ସେହିଭଳି ଏହି ବନ୍ଦର ବାଟଦେଇ ୨୧ଟି ଦେଶରୁ ପ୍ରାୟ ୮ ପ୍ରକାରର ୯.୭୭ ନିୟୁତ ଟନ୍ ସାମଗ୍ରୀ ଆମଦାନୀ ହେଉଛି । ଆମଦାନୀ ସାମଗ୍ରୀ ମଧ୍ୟରେ ସାର, କୋଇଲା, ଚୂନପଥର, ଡୋଲୋମାଇଟ୍ ଆଦି ରହିଥିବାବେଳେ ଦେଶ ମଧ୍ୟରେ ଅଷ୍ଟ୍ରେଲିଆ, କାନାଡା, ଜାପାନ, ଇସ୍ରାଏଲ, ଋଷିଆ ଓ ମେକ୍ସିକୋ ଆଦି ରହିଛନ୍ତି ।
ସେହିଭଳି ଗୋପାଳପୁର ବନ୍ଦର ଦେଇ ୬ଟିଦେଶରୁ ୧.୬୫ ନିୟୁତ ଟନ୍ର ସାମଗ୍ରୀ ରପ୍ତାନି ହେଉଛି । ରପ୍ତାନି ହେଉଥିବା ସାମଗ୍ରୀ ମଧ୍ୟରେ ଲୁହାପଥର, ଲୁହାପଥର ଫାଇନ୍ସ, ଇଲୁମନାଇଟ ଆଦି ରହିଛି । ସେହିଭଳି ଏହି ବନ୍ଦର ବାଟଦେଇ ଦୁଇଟି ଦେଶରୁ ସିମେଣ୍ଟ, ଚୂନପଥର ଓ କୁକିଙ୍ଗ କୋଲ୍ ଭଳି ୧.୦୭ ନିୟୁତ ଟନ୍ର ସାମଗ୍ରୀ ଆମଦାନୀ କରାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।