
ଓଡିଶାରେ ବର୍ଷକୁ ବର୍ଷ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ବଢି ଚାଲୁଥିବାବେଳେ ମାମଲା ଫଏସଲା ହାର ଅତି ନଗଣ୍ୟ ରହିବା ସହିତ ଖୁବ୍ କମ୍ ଘଟଣାରେ ଅଭିଯୁକ୍ତମାନଙ୍କ ପ୍ରତି ଦଣ୍ଡବିଧାନ ହେଉଥିବା ରାଜ୍ୟର ଆଇନ୍ଶୃଙ୍ଖଳା ପରିସ୍ଥିତି ପ୍ରତି ବଡ ପ୍ରଶ୍ନବାଚୀ ହୋଇଛି ।
ରାଜ୍ୟ ସରକାରଙ୍କ ପ୍ରକାଶିତ ଶ୍ୱେତପତ୍ରର ହିସାବ ଅନୁଯାୟୀ ୨୦୧୮ ମସିହାରେ ୧,୦୭,୪୦୮ ଟି ଧର୍ତ୍ତବ୍ୟ ଅପରାଧ ରୁଜୁ ହୋଇଥିବାବେଳେ ସେଥିରୁ ୧,୦୩,୮୫୮ଟି ସତ୍ୟ ମାମଲା ଥିଲା ଓ ସେଥି ଭିତରୁ ତଦନ୍ତ କରି ପୁଲିସ ୬୯,୩୪୧ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରିଥିଲା । ଏହି ମାମଲାର ସଂଖ୍ୟା ପୂର୍ବବର୍ଷ ତୁଳନାରେ ଢେର ଅଧିକ । ବିଶେଷକରି ନରହତ୍ୟା, ଡକାୟତି, ଦୁଷ୍କର୍ମ, ମହିଳାଙ୍କ ପ୍ରତି ଅସଦାଚରଣ, ମୋଟରଯାନ ଦୁର୍ଘଟଣା ଆଦି କିସମର ଅପରାଧମାନ ଆମ ରାଜ୍ୟରେ ବଢୁଛି ।
ଅନ୍ୟ ପକ୍ଷରେ ଚଳିତମାସରେ ପ୍ରକାଶ ପାଇଥିବା ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ସର୍ବଶେଷ ରିପୋର୍ଟ ଅନୁଯାୟୀ ବିଚାର ପ୍ରତୀକ୍ଷାରେ ଥିବା ମାମଲା ମଧ୍ୟରୁ ବର୍ଷକୁ ଫଏସଲା ହେଉଥିବା ମାମଲା ସଂଖ୍ୟା ୧୦ ପ୍ରତିଶତରୁ ଢେର କମ୍ । ମହିଳାଙ୍କ ପ୍ରତି ଘଟୁଥିବା ବିଭିନ୍ନ ପ୍ରକାର ଅପରାଧ ଉଭୟ ସରକାର ସମାଜ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏନ୍ସିଆରବି ରିପୋର୍ଟର ତଥ୍ୟ ଅନୁଯାୟୀ ଏହି କିସମର ମାମଲାରୁ ବର୍ଷରେ ମାତ୍ର ୫.୩ ପ୍ରତିଶତ ଫଏସଲା ହୋଇଛି । ସବୁଠାରୁ ଉଦ୍ବେଗଜନକ ବିଷୟ ହେଉଛି ଯେ ଏଭଳି ମାମଲାରେ ସାରା ଦେଶରେ ହାରାହାରି ଦଣ୍ଡବିଧାନ ହାର ୨୪.୬ ପ୍ରତିଶତ ଥିବାବେଳେ ଓଡିଶାରେ ତାହା ମାତ୍ର ୭.୪ ପ୍ରତିଶତ ରହୁଛି ।
ଶିଶୁମାନଙ୍କ ପ୍ରତି ବଢି ଚାଲୁଥିବା ଅପରାଧ ଘଟଣାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅତ୍ୟନ୍ତ ଉଦ୍ବିଗ୍ନ । ଏଥିପାଇଁ ସ୍ୱତନ୍ତ୍ର ଆଇନ୍ ବି ପ୍ରଣୟନ କରଯିବା ସହ ସ୍ୱତନ୍ତ୍ର ଅଦାଲତ ମଧ୍ୟ ରହୁଛି । ତେବେ ବର୍ଷକରେ ଓଡିଶାରେ ଏ କିସମର ମାମଲାରୁ ମାତ୍ର ୬.୪ ପ୍ରତିଶତ ଫଏସଲା ହେଉଛି । ଯେତିକି ମାମଲା ବି ଫଏସଲା ହେଉଛି ସେଥିରେ ଓଡିଶାରେ ଦଣ୍ଡବିଧାନ ହାର ୧୦ ପ୍ରତିଶତ ହେଉନାହିଁ ।
ରାଜ୍ୟରେ ଯେତେ ଅପରାଧିକ ମାମଲା ରୁଜୁ ହୁଏ ସେଥିରୁ ଅଧିକାଂଶ ଥାଏ ଭାରତୀୟ ପିଙ୍ଗଳ କୋଡ୍ର ବିଭିନ୍ନ ଦଫାରେ । ଏହି କିସମର ଏବେ ପ୍ରାୟ ୬ଲକ୍ଷ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ଅଛି । ଏନ୍ସିଆରବି ରିପୋର୍ଟ ଅନୁଯାୟୀ ଆଇପିସିର ବିଭିନ୍ନ ଧାରାରେ ରୁଜୁ ହୋଇଥିବା ଯେତେ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ସେଥି ମଧ୍ୟରୁ ମାତ୍ର ୩.୮ ପ୍ରତିଶତ ବର୍ଷକରେ ଫଏସଲା ହେଉଛି । ଜାତୀୟ ସ୍ତରରେ ଆଇପିସି ମାମଲାରେ ଦଣ୍ଡବିଧାନ ହାର ୪୮.୮ ପ୍ରତିଶତ ଥିବାବେଳେ ଓଡିଶାରେ ତାହା ମାତ୍ର ୯.୩ ପ୍ରତିଶତ । ଅର୍ଥାତ୍ ଭାରତୀୟ ପିଙ୍ଗଳକୋଡ୍ର ବିଭିନ୍ନ ଦଫାରେ ଯେତେ ମାମଲା ଫଏସଲା ହେଉଛି ସେଥିରୁ ଶତକଡା ୯୦ରୁ ଅଧିକ କ୍ଷେତ୍ରରେ ଅଭିଯୁକ୍ତ ଖଲାସ ହୋଇଯାଉଛନ୍ତି ।
ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଉପରେ ହେଉଥିବା ଅତ୍ୟାଚାରର ଦମନ ପାଇଁ ସ୍ୱତନ୍ତ୍ର ଆଇନ୍ ଓ ସ୍ୱତନ୍ତ୍ର କୋର୍ଟ ରହିଛି । ଏହା ସତ୍ୱେ ବି ବିଚାର ପାଇଁ ଏଭଳି କିସମର ଯେତେ ମାମଲା ରହୁଛି ସେଥିରୁ ବର୍ଷରେ ୩ ପ୍ରତିଶତ ମଧ୍ୟ ଫଏସଲା ହେଉନାହିଁ ଏବଂ ୯୬ ପ୍ରତିଶତରୁ ଅଧିକ ଘଟଣାରେ ଅଭିଯୁକ୍ତମାନେ ଦୋଷମୁକ୍ତ ହେଉଛନ୍ତି । ଅଭିଯୁକ୍ତମାନେ ସଂଖ୍ୟାଧିକ ମାମଲାରେ ଅଦାଲତରୁ ଖସିଯିବା ଏବଂ ବର୍ଷେ କି ଦିବର୍ଷ ନୁହେଁ ୨୦/୩୦ବର୍ଷ ଧରି ଅନେକ ଅପରାଧିକ ମାମଲା ଗଡିବାଫଳରେ ଅପରାଧିମାନେ ଅଧିକରୁ ଅଧିକ ଅପରାଧ ଘଟାଇବାକୁ ଉତ୍ସାହିତ ହେଉଛନ୍ତି ।