ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ସହରାଞ୍ଚଳ ବିକାଶ ପାଇଁ ରାଜିନାମା


ପୌର ପ୍ରଶାସନ ଓ ପୌରସଂସ୍ଥା ଗୁଡିକୁ ଅଧିକ ସୁଦୃଢ, ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ଓ ଲୋକାଭିମୁଖି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ଆଜି ଦେଶର ତିନି ଅଗ୍ରଣୀ ସଂସ୍ଥା ସହିତ ରାଜିନାମା ସ୍ୱାକ୍ଷରିତ କରିଛି ।

ନନ୍ଦନ ନିଲକେନି ଓ ଶ୍ରୀକାନ୍ତ ନାଧାମୁନିଙ୍କ ଇ-ଗଭ ପାଉଣ୍ଡେସନ, ଜନାଗ୍ରହ ସେଣ୍ଟର ଓ ଆଇଏଚ୍‍ସିଏନ୍‍ଏଫ୍‍ ସଂସ୍ଥା ସହିତ ରାଜିନାମା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକଙ୍କ ଜୀବନ ଧାରଣର ମାନରେ ପରିବର୍ତ୍ତନ ଆଣିବା ସକାଶେ ୫-ଟି ମନ୍ତ୍ରରେ ପ୍ରଶାସନ ପରିଚାଳନା କରିବାକୁ ତାଙ୍କର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି । ଏହି ବୁଝାମଣା ସହରାଞ୍ଚଳ ଲୋକଙ୍କ ଜୀବନଧାରଣ ମାନରେ ସମୟୋଚିତ ଉନ୍ନତି ଆଣିବାରେ ସହାୟକ ହେବବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା କରିଥିଲେ ।

ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଓ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଆଜିର ରାଜିନାମା ଯୋଗୁଁ ପୌରାଞ୍ଚଳ ଗୁଡିକରେ ଲୋକେ ଅଧିକ ଉନ୍ନତ ମାନର ସେବା ପାଇବେ ଓ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିପାରିବ ।

ଇ-ଗଭ୍‍ ଫାଉଣ୍ଡେସନ ମାଧ୍ୟମରେ ଆରମ୍ଭ କରାଯାଉଥିବା ‘ସୁଯୋଗ’ ପ୍ଲାଟଫର୍ମ ସହରାଞ୍ଚଳର ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସେବା ଗୁଡିକୁ ପହଞ୍ଚାଇ ପାରିବ । ଲୋକେ ଆଉ ସରକାରୀ ଦପ୍ତରକୁ ଦଉଡିବେ ନାହିଁ । ପୌର କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି, ପ୍ରଶାସନରେ ସ୍ୱଚ୍ଛତା, ଆର୍ଥିକ ଶୃଙ୍ଖଳା ସହିତ ପୌରସଂସ୍ଥା ବ୍ୟବସ୍ଥାରେ ଲୋକଙ୍କ ଭାଗିଦାରୀକୁ ବୃଦ୍ଧି କରାଯାଇପାରିବ । ସେହିପରି ରମେଶ ଏବଂ ସ୍ୱାଥୀ ରାମନାଥନଙ୍କ ଜନାଗ୍ରହ ସଂସ୍ଥା ସହିତ ହୋଇଥିବା ରାଜିନାମା ଅନୁଯାୟୀ ସମସ୍ତ ପୌରସଂସ୍ଥା ଗୁଡିକରେ ଆର୍ଥିକ ପରିଚାଳନା ଅଧିକ ସୁଦୃଢ ହୋଇପାରିବ ।

ସେହିଭଳି ଆଇଏଚ୍‍ସିଏନ୍‍ଏଫ୍‍ ଭଳି ଏକ ବଦାନ୍ୟ ଟ୍ରଷ୍ଟ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଐତିହ୍ୟ ପର୍ଯ୍ୟଟନସ୍ଥଳୀ ଗୁଡିକର ସଂରକ୍ଷଣ ସହିତ ଐତିହ୍ୟ କେନ୍ଦ୍ର ଗୁଡିକର ବିକାଶରେ ସହାୟକ ହେବବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଏହି ରାଜନାମା ସ୍ୱାକ୍ଷର ଅବସରରେ ଆଇଏଚ୍‍ସିଏନ୍‍ଏଫ୍‍ର ଅଧ୍ୟକ୍ଷ ତଥା ୟୁନେସ୍କୋର ଅଫିସିଆଲ ସହଯୋଗୀ ଡକ୍ଟର ରାମଚନ୍ଦ୍ରନ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରୋତ ବାଗ୍‍ଚୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା, ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ରାଜିନାମା ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021