
ରାଜଧାନୀ ଉପକଣ୍ଠରେ ଥିବା ଡେରାସରେ ମେଗା ଫୁଡ୍ ପାର୍କ ପ୍ରକଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୨୦୧୫ରୁ ଅନୁମୋଦନ ଦେବା ସହ ଅନୁଦାନ ରାଶି ଯୋଗାଇ ଦେଇଥିବାବେଳେ ଚାରିବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାମ ବିଶେଷ ଆଗେଇ ପାରିନାହିଁ । ଏଥିଘେନି କେନ୍ଦ୍ର ଉଦ୍ବେଗ ପ୍ରକାଶ କରୁଥିବାବେଳେ ଖୁବ୍ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବବୋଲି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ କହୁଛନ୍ତି ।
କେନ୍ଦ୍ର ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ଡେରାସ ପ୍ରକଳ୍ପ ପାଇଁ ଯେଉଁ ଅନୁମୋଦନ ଦେଇଥିଲେ ତଦନୁଯାୟୀ ଏଠାରେ ୧୩୫କୋଟି ଟଙ୍କା ବ୍ୟୟ ଅଟକଳରେ ଫୁଡ୍ପାର୍କ ପ୍ରତିଷ୍ଠିତ ହେବାକଥା । ଏଥିପାଇଁ କେନ୍ଦ୍ର ମଧ୍ୟ ୫୦କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିଲା । କିନ୍ତୁ ଏଯାବତ୍ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଶିଥିଳ ଗତିରେ ଚାଲୁଛି ।
ଇତି ମଧ୍ୟରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ବିଭିନ୍ନ ରାଜ୍ୟର ମେଗା ଫୁଡ୍ ପାର୍କ ପ୍ରକଳ୍ପ ଗୁଡିକ ସମ୍ପର୍କରେ ଅନୁଧ୍ୟାନ କରିବାବେଳେ ଓଡିଶାରେ ଏହି କାମ ଅତି ଧିମା ଗତିରେ ଚାଲିଥିବା ନଜରକୁ ଆସିଥିଲା । ଏ ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ କେନ୍ଦ୍ରରୁ ଏ ବାବଦରେ ଅଧିକ ଅର୍ଥ ମିଳିବାରେ ବିଳମ୍ବ ହେଉଛି ।
ଡେରାସ ଫୁଡ୍ପାର୍କ ୧୫୦ଏକର ଜମି ଉପରେ ପ୍ରତିଷ୍ଠିତ ହେବବୋଲି ମୂଳରୁ ପ୍ରସ୍ତାବ ଥିଲା । ଏଠାରେ ଅନ୍ୟାନ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ୫୦ରୁ ଅଧିକ ସାମୁଦ୍ରିକ ଖାଦ୍ୟଶିଳ୍ପ ୟୁନିଟ୍ ବସାଇବାର ଯୋଜନା ରହିଛି । ସାମୁଦ୍ରିକ ମାଛ, କଙ୍କଡା, ଚିଙ୍ଗୁଡି ଆଦିର ପ୍ରକ୍ରିୟାକରଣ, ସଂରକ୍ଷଣ, ପ୍ୟାକେଜିଂ ଓ ପରିବହନ ଆଦି ପାଇଁ ଆଉ ଅନେକ ଗୁଡିଏ ସହାୟକ ଶିଳ୍ପ ପୁଞ୍ଜ ଏଠାରେ ଗଢି ଉଠିବା କଥା । ଏହାଛଡା ଆବଶ୍ୟକତାକୁ ଆଖିଆଗରେ ରଖି ଏଠାରେ ଶୀତଳଭଣ୍ଡାର ଓ ବରଫକଳ ଆଦି ମଧ୍ୟ ପ୍ରତିଷ୍ଠା କରାଯିବା ଯୋଜନା ଥିଲା ।
ଏଠାରେ ଉଲ୍ଲେଖନୀୟ ଯେ ଡେରାସ ଅଞ୍ଚଳରେ ସରକାରଙ୍କ କୃଷି ବିଭାଗର ଏକ ବଡ ଧରଣର ଫାର୍ମ ସହିତ ଜଳସେଚନ ପ୍ରକଳ୍ପ ମଧ୍ୟ ରହିଥିଲା । ତେବେ ବର୍ଷ ବର୍ଷ ଧରି ଏହି କୃଷିଫାର୍ମ ଏକ ପ୍ରକାର ଅଚଳ ହୋଇ ପଡିବା ଫଳରେ ତାହା ମୁଖ୍ୟତଃ ଜଙ୍ଗଲି ହାତୀଙ୍କ ଚରାଭୁଇଁରେ ପରିଣତ ହୋଇଛି । ଏହି ଫାର୍ମ ସମେତ ଆଉ କେତେକ ଜମିକୁ ନେଇ ଏଠାରେ ମେଗା ଫୁଡ୍ ପାର୍କ ପ୍ରତିଷ୍ଠାର ଯେଉଁ ଯୋଜନା ରହିଛି ତାହା ସଫଳ ହେଲେ ବ୍ୟାପକ କର୍ମନିଯୁକ୍ତିର ସମ୍ଭାବନା ସୃଷ୍ଟିହେବ ।
ଏଠାରେ ଯେଉଁ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ହେବାର ଅଛି ସେଥିରୁ ୯୦ହଜାର ମେଟ୍ରିକ ଟନ୍ରୁ ଅଧିକ ସାମଗ୍ରୀ ଦେଶ ବିଦେଶର ବଜାରରେ ବିପ୍ପଣନ ହୋଇପାରିବ । ଏଥିରୁ ବିଦେଶକୁ କେବଳ ୨୦ହଜାର କୋଟି ଟଙ୍କାର ସାମଗ୍ରୀ ୫ବର୍ଷ ମଧ୍ୟରେ ପଠାଯାଇ ପାରିବ । ଏବେ ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀମାନେ ଏହି ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବାର କାରଣ ଖୋଜିବା ସଂଗେ ସଂଗେ କିପରି ତାହା ତ୍ୱରାନ୍ୱିତ ହେବ ସେଥିଘେନି ଚିନ୍ତିତ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବା ଫଳରେ ଏ ବାବଦରେ ବ୍ୟୟ ବୃଦ୍ଧିପାଇବା ଏହି ମେଗା ଫୁଡ୍ ପାର୍କ ପାଇଁ ବଡ ଆହ୍ୱାନ ହୋଇଛି ।