
ମହାନଦୀ ଅବବାହିକାରେ କମ୍ ଜଳ ପ୍ରବାହିତ ହେଉଥିବାରୁ ନଦୀ ସଂଯୋଗ ଯୋଜନାରେ ଏହାକୁ ଗୋଦାବରୀ ସହ ଯୋଡିବାପାଇଁ ରାଜ୍ୟ ସରକାର ରାଜି ନୁହନ୍ତି । ମହାନଦୀର ତଳମୁଣ୍ଡରେ ଥିବା ବରମୂଳ ଠାରେ ୧୮,୭୧୮ ନିୟୁତ କ୍ୟୁବିକ ମିଟର କମ୍ ଜଳ ପ୍ରବାହିତ ହେଉଥିବାରୁ ଏଠାରୁ ଅନ୍ୟ ସ୍ଥାନକୁ ଜଳ ଛାଡିବା ସମ୍ଭବପର ନୁହେଁ ବୋଲି ମହାନଦୀକୁ ନେଇ ପ୍ରସ୍ତୁତ ସର୍ବଶେଷ ରିପୋର୍ଟରୁ ଜଣାଯାଇଛି ।
ରାଜ୍ୟ ସରକାର ଏ ସଂକ୍ରାନ୍ତରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଏବଂ ଜାତୀୟ ନଦୀ ବିକାଶ ସଂସ୍ଥାକୁ ଅବଗତ କରିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ର ପରିବେଶଏବଂ ଜଙ୍ଗଲ ମନ୍ତ୍ରାଳୟର ମାର୍ଗ ଦର୍ଶିକା ଅନୁଯାୟୀ ନଦୀ ସଂଯୋଗୀକରଣ ଟାସ୍କଫୋର୍ସ ମାନଦଣ୍ଡ ଅନୁଯାୟୀ ନଦୀରେ ଜଳ ଛାଡିଲେ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁଯାୟୀ ପରିବେଶ ଏବଂ ବୃକ୍ଷରାଜି ପାଇଁ ଡେଲଟା ଅଞ୍ଚଳରେ ପାଣି ଯୋଗାଇଲେ ମହାନଦୀ ବେସିନରେ ଜଳ ହ୍ରାସ ପାଇବ ।
ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଜଳକୁ ଅବବାହିକା ସ୍ତରରେ ଆଦାନ ପ୍ରଦାନ କରିବା ପାଇଁ ଦୀର୍ଘ ସମୟ ଲାଗିଯିବ । ମହାନଦୀକୁ ଗୋଦାବରୀ ସହିତ ସଂଯୋଗ କରାଯିବ ଏବଂ ଏଥିପାଇଁ ଏନ୍ଡବ୍ଲ୍ୟୁଡିଏ ରିପୋର୍ଟ ପ୍ରସ୍ତୁତ କରିଛି ।
ନୟାଗଡ, ଖୋରଧା, ଗଞ୍ଜାମ ଏବଂ ଗଜପତି ଆଦି ଜିଲ୍ଲାରୁ ଜଳ ଆସି ଜମା ହେଉଥିବା ମଣିଭଦ୍ରା ଜଳଉତ୍ସର ଦକ୍ଷିଣ ପାଶ୍ୱର୍ରୁ ପ୍ରସ୍ତାବିତ ୩୦୧ କିଲୋମିଟରର ସଂଯୋଗ କେନାଲ ଆରମ୍ଭ ହେବ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ୮୨୮ କିଲୋମିଟର ଗତ କରିବାପରେ ଏହି କେନାଲ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଥିବା ଡୋଲାଇଶ୍ୱମ ବ୍ୟାରେଜରେ ଗୋଦାବରୀ ନଦୀକୁ ସଂଯୋଗ କରିବ ।
ଓଡିଶା ସରକାର ପୂର୍ବରୁ ଏଭଳି ପ୍ରସ୍ତାବକୁ ବିରୋଧ କରୁଛନ୍ତି । କାରଣ ମଣିଭଦ୍ରା ଜଳାଶୟ ପାଇଁ ବହୁ ସଂଖ୍ୟାରେ ଲୋକେ ବିସ୍ଥାପିତ ହେବା ସହିତ ବ୍ୟାପକ ଜଙ୍ଗଲ ଅଞ୍ଚଳ ଜଳମଗ୍ନ ହେବ । ପୂର୍ବରୁ ଏହାକୁ ବରମୁଳକୁ ବଦଳାଯାଇଥିଲେ ମଧ୍ୟ ଜଳାଭାବ ଯୋଗୁଁ ଓଡିଶା ସରକାର ଆନ୍ତଃ ସଂଯୋଗୀକରଣ ସପକ୍ଷରେ ନାହାନ୍ତି ।
ରାଜ୍ୟ ସରକାର ଏନ୍ଡବ୍ଲ୍ୟୁଡିଏର ସଂଯୋଗୀକରଣରେ ସନ୍ତୁଷ୍ଟ ନଥିବାବେଳେ ୧୯୪୭ ମସିହାରେ ହୀରାକୁଦ ନଦୀବନ୍ଧ ପାଇଁ ପ୍ରସ୍ତୁତ ଡିପିଆରରେ ଥିବା ବ୍ୟବସ୍ଥାକୁ ଏନ୍ଡବ୍ଲ୍ୟୁଡିଏ ଅନୁଧ୍ୟାନ କରିଛନ୍ତି କି ନାହିଁ ତାହା ପଚାରିଛନ୍ତି । ଏହି ଡିପିଆର ରେ ମହାନଦୀ ଅବବାହିକାର ବରମୁଳ ପର୍ଯ୍ୟନ୍ତ ହୋଇଥିବା ଅନୁଧ୍ୟାନରେ ଭବିଷ୍ୟତର ଆବଶ୍ୟକତା, ଉପରମୁଣ୍ଡରେ ଥିବା ଛତିଶଗଡ ସମେତ ତଳ ମୁଣ୍ଡରେ ଥିବା ରାଜ୍ୟ ଗୁଡିକର ଆବଶ୍ୟକତାକୁ ବିଚାରକୁ ନିଆଯାଇଛି ।
ଅନୁରୂପ ଭାବେ ହିମାଳୟ ଅଞ୍ଚଳର ନଦୀ ଗୁଡିକରୁ ମହାନଦୀକୁ କେତେକ ଜଳ ଆସିବାର ଯୋଜନା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ । ତେଣୁ ହିମାଳୟରୁ ମହାନଦୀକୁ ଜଳ ପ୍ରବାହ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ଏବେ ପ୍ରଶ୍ନବାଚୀ ଲାଗିଗଲାଣି । ଏହାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ତଃ ନଦୀ ସଂଯୋଗୀକରଣ ନେଇ ସନ୍ଦେହ ଜାରି ରହିବା ସହିତ ଏହା ବାସ୍ତବ ସ୍ଥିତିକୁ ଆସିପାରିବ ନାହିଁ ।