.gif)
ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।
ଆଲୋଚନା ସମୟରେ ଟିମ୍ ର ନେତୃତ୍ୱ ନେଉଥିବା ଗୃହ ବିଭାଗ ଯୁଗ୍ମ ଶାସନ ସଚିବ ସହେଲି ଘୋଷ ରାୟ କହିଥିଲେ ଯେ କ୍ଷତିଗ୍ରସ୍ତ ଅଂଚଳରେ ପୁନ୍ଃସ୍ଥାପନ ଏବଂ ରିଲିଫ୍ କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ । ୨୪ ଘଣ୍ଟା ମଧ୍ୟରେ ସମସ୍ତ ୨୧୨ଟି ଅବୋରୋଧ ରାସ୍ତା ସଫା କରି ଗମନା ଗମନ ସ୍ୱାଭାବିକ କରାହୋଇଛି ।
ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ୧୫ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ ପୁନଃ ସ୍ଥାପନ କରାଯାଇଛି । ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖାଯାଇ ପାରିଛି ଆଗୁଆ ସତର୍କ ସୂଚନା ହେତୁ ସମସ୍ତ ୧୯୬୩୫ ମାଛଧରା ବୋଟ୍ ଏବଂ ମତ୍ସ୍ୟଜୀବୀଙ୍କୁ ବାତ୍ୟା ପୂର୍ବରୁ କୂଳକୁ ଫେରାଇଅଣାଯାଇଛି ।
ପଶ୍ଚିମ ବଙ୍କଳାର ୪୩ଟି ବୋଟ୍ ସହ ୩୮୧ ମତ୍ସ୍ୟଜୀବୀଙ୍କୁ ବତ୍ୟା ସମୟରେ ଆଶ୍ରୟ ଓ ସହାୟତା ଯୋଗାଇ ଦିଆଯାଇଛି । ଏହିସବୁ ପୂର୍ବ ପ୍ରସ୍ତୁତି ଏବଂ ରାଜ୍ୟର ‘ପ୍ରାମାଣିତ ଡ୍ରିଲ୍ ଯୋଗୁ ସମ୍ଭବ ହୋଇପାରିଛି ।
ଶ୍ରୀମତୀ ରାୟ କହିଥିଲେ ଯେ ଭଦ୍ରଖ, ବାଲେଶ୍ୱର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଆଦି ଜିଲ୍ଲାରେ କ୍ଷେତରେ ଥିବା ଧାନ ଓ ଅନ୍ୟାନ୍ୟ ଫସଲ ସହ ଉଦ୍ୟାନ ଚାଷ ବିଶେଷ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଜଣାଇଥିଲେ ଯେ ବାତ୍ୟା ଓଡ଼ିଶା ତଟର ନିକଟ ଦେଇ ଗତି କରିଥିବାରୁ ଏହାର ପ୍ରଭାବରେ ପବନ ଓ ପ୍ରବଳ ବର୍ଷା ହେତୁ ୫୦ଟି ବ୍ଲକ୍ ଓ ୧୨ ଟି ସହରାଞ୍ଚଳର ପ୍ରାୟ ୩୭.୪୯ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡିଛି । ୨.୩ ଲକ୍ଷ ହେକଫର ଜମିରେ ବିଭିନ୍ନ ଫସଲ ଓ ଉଦ୍ୟାନ ଚାଷ ନଷ୍ଟ ହୋଇଛି ।
ବର୍ତ୍ତମାନ କୃଷି ଓ ରାଜସ୍ୱ ବିଭାଗ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ମାଧ୍ୟମରେ ଯୁଗ୍ମ ସର୍ଭେକ୍ଷଣ କରାଯାଉଛି ଯାହାକି ଏକ ସପ୍ତାହ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ । କ୍ଷୟକ୍ଷତି ଆକଳନ ରିପୋର୍ଟ ଆମେ ଖୁବ୍ ଶିଘ୍ର କେନ୍ଦ୍ର ସରକାରଙ୍କୁ ପଠାଇବୁ ।
ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଏହି ବୈଠକରେ କେନ୍ଦ୍ରୀୟ ଟିମ୍ଙ୍କ ସହ ଆଲୋଚନା କରିଥିଲେ । ଏହି ୭ ଜଣିଆ ଟିମ୍ ରେ ଶ୍ରୀମତୀ ରାୟଙ୍କ ସମେତ ଶକ୍ତି ମନ୍ତ୍ରାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଘାଂଲ, ଗ୍ରାମ୍ୟ ଉନ୍ନୟନର ଉପ ଶାସନ ସଚିବ ଏସ୍.ଏସ୍.ମୋଦି, କେନ୍ଦ୍ରୀୟ ଜଳ କମିଶନର ସୁପରିଟେଣ୍ଡଂ ଇଞ୍ଜିନିୟର ଅମରିଶ ପାଲ୍ ସିଂ, କୃଷି ବିଭାଗର ନିର୍ଦ୍ଦେଶକ ଡଃ ବିରେନ୍ଦ୍ର ସିଂ, ସଡକ ଗମନା ଗମନର ସୁନିଲ୍ କୁମାର ଏବଂ ପରାମର୍ଶ ଦାତା ଦିନା ନାଥ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ ।