ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଜାତୀୟ ରାଜପଥକୁ ଅବହେଳା


ଜାତୀୟ ରାଜପଥକୁ ନେଇ ଓଡିଶା ସରକାର ଏବେ ଦୁଇ ଆଡୁ ସମସ୍ୟାରେ ପଡିଛନ୍ତି । ଗୋଟିଏ ପଟେ ରାଜ୍ୟ ରାଜପଥ ଗୁଡିକ ଜାତୀୟ ରାଜପଥର ମାନ୍ୟତା ପାଇବା ନେଇ ଦୀର୍ଘଦିନ ଧରି ବିଜ୍ଞପ୍ତି ପ୍ରକାଶ ପାଉନଥିବାବେଳେ ଅନ୍ୟ ପଟେ ଖାଲ ଖମାରେ ଭର୍ତ୍ତି ରାଜପଥ ଗୁଡିକ ମରାମତି ହୋଇପାରୁ ନାହିଁ । ୨୦୧୫ ରୁ ୨୦୧୭ ମସିହା ମଧ୍ୟରେ ମଧ୍ୟରେ ଅତି କମ୍‍ରେ ୧୨ଟି ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ତାଲିକାଭୁକ୍ତ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଏଥି ମଧ୍ୟରୁ ମାତ୍ର ୭ଟିର ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନୁରୂପ ଭାବେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ଜାତୀୟ ରାଜପଥ ଗୁଡିକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‍ଏଚ୍‍ଏଆଇ) କର୍ତ୍ତୃପକ୍ଷ ଏଥିପାଇଁ ଅର୍ଥ ମଞ୍ଜୁର କରୁନଥିବାରୁ ଏଗୁଡିକ ଏବେ ମୃତ୍ୟୁଯନ୍ତାରେ ପରିଣତ ହେଲାଣି । ରାଜ୍ୟରେ ଥିବା ପ୍ରାୟ ୩ହଜାର କିଲୋମିଟରର ଜାତୀୟ ରାଜପଥର ରକ୍ଷଣା ବେକ୍ଷଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି । ଅତି କମ୍‍ରେ ୧୨୦୦ କିଲୋମିଟର ଜାତୀୟ ରାଜପଥର ତୁରନ୍ତ ମରାମତି ସହିତ ଏହାକୁ ଗମନାଗମନ ଉପଯୋଗୀ କରିବାପାଇଁ ଆବଶ୍ୟକ ଜରୁରୀ । ବାରମ୍ବାର ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସଡକ ଓ ରାଜପଥ ମନ୍ତ୍ରାଳୟକୁ ଅନୁରୋଧ କରି ଆସୁଛନ୍ତି ।

ପ୍ରବଳ ବର୍ଷା, ବାତ୍ୟା, ବନ୍ୟା ଯୋଗୁଁ ରାଜ୍ୟରେ ଥିବା ଜାତୀୟ ରାଜପଥ ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହେଉଥିବାବେଳେ ଦେଖାଯାଉଛି ଯେ ଓଡିଶା ପ୍ରତି ଏନ୍‍ଏଚ୍‍ଏଆଇ କର୍ତ୍ତୃପକ୍ଷ ଉଦାସୀନତା ପ୍ରଦର୍ଶନ କରିଆସୁଛନ୍ତି । ଚଳିତବର୍ଷ ବନ୍ୟା, ବାତ୍ୟା ଆଦି ଯୋଗୁଁ ଜାତୀୟ ରାଜପଥ ଓ ଏହା ଉପରେ ଥିବା ସେତୁ ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହାର ମରାମତି ପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅର୍ଥ ଦେଉନଥିବାରୁ ଏହା ଅଧିକ ଖରାପ ହେବାରେ ଲାଗିଛି ।

ଉଦାହରଣ ସ୍ୱରୂପ ଫନି ବାତ୍ୟା ଓ ଏହାପରେ ଆସିଥିବା ବନ୍ୟାରେ ଜାତୀୟ ରାଜପଥ ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ କେନ୍ଦ୍ରୀୟ ପ୍ରତିନିଧିଦଳ ମଧ୍ୟ ଏହା ଅନୁଧ୍ୟାନ କରିଥିଲେ । ହେଲେ ରାଜ୍ୟ ସରକାର ଏ ନେଇ ପ୍ରସ୍ତାବ ଦେଇଥିଲେ ବି ଏନ୍‍ଏଚ୍‍ଏଆଇ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ପାଣ୍ଠି ଯୋଗାଇ ନାହାନ୍ତି । ମରାମତି ପାଇଁ ଅତି କମ୍‍ରେ ୨୫କୋଟି ଟଙ୍କା ଯୋଗାଇବାକୁ ରାଜ୍ୟ ସରକାର କହିଛନ୍ତି । ବାରମ୍ବାର ଅନୁରୋଧ ସତ୍ୱେ ବି ଏନଏଚ୍‍ଏଆଇ କର୍ତ୍ତୃପକ୍ଷ ମରାମତି ପାଇଁ ଆବଶ୍ୟକ ଅର୍ଥ ଯୋଗାଉ ନାହାନ୍ତି ।

୨୦୧୯-୨୦ ବର୍ଷରେ ବାର୍ଷିକ ନବୀକରଣ ଯୋଜନାରେ ୭୫କୋଟି ଟଙ୍କା ଆବଶ୍ୟକ ଥିବାବେଳେ ମଞ୍ଜୁର ହୋଇଛି ମାତ୍ର ୪୨କୋଟି ୧୮ଲକ୍ଷ ଟଙ୍କା । ଅତିରିକ୍ତ ଭାବେ ଆଉ ୬୦କୋଟି ଟଙ୍କା ଯୋଗାଇବାକୁ ମନ୍ତ୍ରାଳୟକୁ କୁହାଯାଇଥିଲେ ବି ତାହା ଏବେସୁଦ୍ଧା ମିଳିନାହିଁ । ଯେଉଁ ରାଜ୍ୟ ରାଜପଥ ଗୁଡିକ ଜାତୀୟ ରାଜପଥର ତାଲିକାଭୁକ୍ତ ହୋଇଛନ୍ତି ସେଗୁଡିକର ରକ୍ଷଣା ବେକ୍ଷଣ ପାଇଁ ଅର୍ଥ ମିଳୁନାହିଁ କି ବିଜ୍ଞପ୍ତି ବି ପ୍ରକାଶ ପାଉନାହିଁ । ସେହିସବୁ ରାଜପଥ ଗୁଡିକ ଏବେ ଗମନାଗମନ ପାଇଁ ଅନୁପଯୁକ୍ତ ହୋଇପଡିଲାଣି ।

ଉଦାହରଣ ସ୍ୱରୂପ ଭବାନୀପାଟଣା-ପଦ୍ମପୁର ୨୦୬ କିଲୋମିଟର ସଡକ ୨୦୧୫ରୁ ଜାତୀୟ ରାଜପଥ ତାଲିକାରେ ଥିବାବେଳେ ବର୍ତ୍ତମାନ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଅନ୍ୟ ପକ୍ଷରେ ଭବାନୀପାଟଣା-ଖରିଆର-ବଙ୍ଗମୁଣ୍ଡା-ପାଟଣାଗଡ-ପଦ୍ମପୁର-ଛତିଶଗଡ ସୀମାକୁ ଲାଗିଥିବା ରାସ୍ତା ଅତ୍ୟନ୍ତ ଖରାପ ହୋଇଗଲାଣି । ସେହିଭଳି ଆଉ ଛଅଟି ରାଜପଥ ମଧ୍ୟ ରକ୍ଷଣା ବେକ୍ଷଣ ଅଭାବରୁ ମରଣାଯନ୍ତା ପାଲଟିଲାଣି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021