
ପ୍ରଗତି ମଇଦାନରେ ଅନୁଷ୍ଠିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣୀୟ ଓଡ଼ିଶା ମଣ୍ଡପ ଉଦ୍ଘାଟିତ ହୋଇଯାଇଛି । ଓଡ଼ିଶାର ସୂଚନା ଓ ଲୋକସଂପର୍କ, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ଏଥିରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ ଓ ଲୋକସଂପର୍କ) ମାନସ ରଞ୍ଜନ ମଙ୍ଗରାଜ ଓ ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶା ସରକାରଙ୍କ ଆବାସିକ ଆୟୁକ୍ତ ସଂଜୀବ କୁମାର ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉନ୍ନୟନମୂଳକ ପ୍ରଚାର ପତି୍ରକା ଉନ୍ମୋଚିତ ହୋଇଥିଲା ।
ଏହି ଓଡ଼ିଶା ମଣ୍ଡପରେ ଓଡ଼ିଶାର ଶିଳ୍ପାନୁକୂଳ ବାତାବରଣ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ସହଜ ଓ ସରଳ ବ୍ୟବସ୍ଥା, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଅନୁକୂଳ ପରିବେଶ, ବ୍ୟବସାୟ ନିମନ୍ତେ ଓଡ଼ିଶା ସରକାରଙ୍କ ଆନ୍ତରିକ ସହଯୋଗ ସଂପର୍କରେ ବିିଭିନ୍ନ ତଥ୍ୟର ସୂଚନା ଦିଆଯାଇଛି ।
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ନୋଡାଲ୍ ବିଭାଗ ଭାବେ ଅଂଶଗ୍ରହଣ କରିଥିବାବେଳେ ଇପିକଲ୍ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହଯୋଗୀ ବିଭାଗ ଭାବେ ଯୋଗ ଦେଇଛନ୍ତି ।
ଏତଦ୍ବ୍ୟତୀତ ଉତ୍କଳିକା ଓ ବୟନିକା ମାଧ୍ୟମରେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରସାରପ୍ରଚାର ନିମନ୍ତେ ଦୁଇଟି ଷ୍ଟଲ୍ ଖୋଲାଯାଇଛି । ହାତରେ ବୁଣାଯାଉଥିବା ଏକ ନୂତନ ସୂତା ପୋଷାକର ଷ୍ଟଲ୍ ଖୋଲାଯାଇଥିବାବେଳେ ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ ତାରକସୀ କାର୍ଯ୍ୟର ଏକ ଷ୍ଟଲ୍ ଖୋଲାଯାଇଛି ।
ଚଳିତ ବର୍ଷର ବିଷୟବସ୍ତୁ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍’ ରଖାଯାଇଛି । ସେହି ଅନୁଯାୟୀ ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । ଏଥିରେ ପିପିଲି ଚାନ୍ଦୁଆର ଝଲକ ସ୍ଥାନ ପାଇଥିବାବେଳେ ଓଡ଼ିଶାର ବିଭିନ୍ନ ସାମଗ୍ରୀର ବିକି୍ରବଟା କରାଯାଉଛି ।
ଏହି ଅନ୍ତର୍ଜାତୀୟ ମେଳା ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରକାଶ ଥାଉ କି, ନଭେମ୍ବର ୨୧ ତାରିଖରେ ପ୍ରଗତି ମଇଦାନର ହଂସଧ୍ୱନି ଥିଏଟରରେ ‘ଓଡ଼ିଶା ଦିବସ’ ପାଳନ କରାଯିବ । ଏଥିରେ ଓଡ଼ିଶାର ସ୍ୱନାମଧନ୍ୟ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।
ଏହି ଉଦ୍ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକୀ, ଉପନିର୍ଦ୍ଦେଶକ ରବୀନ୍ଦ୍ର କୁମାର ନାୟକ, ପ୍ରଦର୍ଶନୀ ସଂଗଠକ ରବିନାରାୟଣ ବେହେରା, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ପୂର୍ବତନ ବିଧାୟକ ରବୀନ୍ଦ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ ।