
କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ୍ ରାଜ୍ୟ ସରକାର ଲାଗୁ କରିବାପରେ ଓଡିଶାରେ ସଡକ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଛି । ତେବେ ଧରପଗଡ ଅଭିଯାନକୁ କୋହଳ କରି ଦିଆଯିବା ଫଳରେ ପୁଣି ତୁଳନାତ୍ମକ ଭାବେ ଦୁର୍ଘଟଣା ବଢୁଛି ।
ଦେଶରେ ମୋଟରଯାନ ଦୁର୍ଘଟଣା ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ଉଦ୍ବେଗ ପ୍ରକାଶ କରିବା ସଂଗେ ସଂଗେ ଏହାର ପ୍ରତିକାର ଲାଗି ଏକ ସଡକ ନିରାପତ୍ତା କମିଟି ଗଠନ କରିଛନ୍ତି । ଏହି କମିଟି ପୂର୍ବରୁ ଓଡିଶାର ସଡକ ଦୁର୍ଘଟଣା ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛି । ପ୍ରତିବର୍ଷ ଅତି କମ୍ରେ ସଡକ ଦୁର୍ଘଟଣା ହାର ୧୦ ପ୍ରତିଶତ କମାଇବାପାଇଁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଚଳିତବର୍ଷର ଜାନୁୟାରୀରୁ ମଇମାସ ମଧ୍ୟରେ ବିଗତବର୍ଷ ତୁଳନାରେ କିନ୍ତୁ ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର ୧୩ ପ୍ରତିଶତ ବଢିଥିଲା ।
ଏ ପ୍ରସଙ୍ଗରେ ବିଭିନ୍ନ ମହଲରୁ ସମାଲୋଚନା ଓ ଚାପ ଆସିବା ପରେ ରାଜ୍ୟ ସରକାର ଗତ ସେପ୍ଟେମ୍ବର ଏକ ତାରିଖରୁ ନୂଆ ମୋଟରଯାନ ଆଇନ୍ ଲାଗୁ କରିବା ସହ ଆଇନ୍ ଉଲ୍ଲଙ୍ଘନକାରୀଙ୍କୁ ଧରିବାପାଇଁ ବ୍ୟାପକ ଧରପଗଡ ଅଭିଯାନ ଚଳାଇଥିଲେ । ଏଥିଯୋଗୁଁ ଦ୍ରୁତ ଓ ବେପରୁଆ ଗାଡିଚାଳନା ପ୍ରାୟ ଦେଖାଯାଉନଥିଲା ଏବଂ ଦଣ୍ଡ ଭୟରେ ଚାଳକମାନେ ନିଶାପାନ କରୁନଥିଲେ । ଏହାଛଡା ବିନା ଲାଇସେନ୍ସରେ ଗାଡିଚାଳନା ଏବଂ ସିଟ୍ବେଲ୍ଟ ଓ ହେଲମେଟ୍ ନପିନ୍ଧି ଗାଡିଚଳାଇବା ଏକ ପ୍ରକାର ବନ୍ଦହୋଇ ଯାଇଥିଲା ।
ପରବର୍ତ୍ତୀ ସମୟରେ ଜନସଚେତନତା ସୃଷ୍ଟି ଆଳରେ ଧରପଗଡ ଅଭିଯାନକୁ ସରକାର ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ କୋହଳ କରିଛନ୍ତି । ଫଳରେ ଏବେ ପୁଣି ବେପରୁଆ ଓ ନିଶାଗ୍ରସ୍ତ ଗାଡିଚାଳକଙ୍କ ଉତ୍ପାତ ଦେଖିବାକୁ ମିଳୁଛି । ୨୦୧୮ର ଜାନୁୟାରୀ ରୁ ମଇ ମାସ ମଧ୍ୟରେ ଓଡିଶାରେ ୨୨୩୮ ଲୋକ ମରିଥିବାବେଳେ ଏବର୍ଷ ଉକ୍ତ ସମୟରେ ମରିଛନ୍ତି ୨୫୩୨ ଜଣ । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ରାୟଗଡା, ବୌଦ, ଭଦ୍ରକ, କଳାହାଣ୍ଡି, କନ୍ଧମାଳ ଆଦିରେ ବି ସଡକ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢୁଛି ।
୨୦୧୮ରେ ଓଡିଶାରେ ୫୩୧୫ ଜଣ ଲୋକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ୨୦୧୭ରେ ଏହି ସଂଖ୍ୟା ୪୭୯୦ ଥିଲା । ଏଠାରେ ଉଲ୍ଲେଖନୀୟଯେ ସଡକ ଦୁର୍ଘଟଣାରେ ଓଡିଶାରେ ୨୦୦୫ରୁ ୨୫୩୫ ଲୋକ ମରିଥିବାବେଳେ ଏହି ସଂଖ୍ୟା ବଢି ବଢି ୨୦୧୧ ବର୍ଷରେ ୩୮୦୨ ହୋଇଥିଲା ।
ଯେତେ ସଡକ ଦୁର୍ଘଟଣା ହେଉଛି ତାହାର ଅନ୍ତତଃ ୬୦ ପ୍ରତିଶତ ପଛରେ ନିଶାପାନ କରି ଗାଡିଚଳାଇବା ଘଟଣା ଅଛି । ଗତ ୧୨ବର୍ଷ ମଧ୍ୟରେ ଓଡିଶାରେ ସଡକ ଦୁର୍ଘଟଣା ଯୋଗୁଁ ଅନ୍ୟୁନ ୫୪ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ଅର୍ଥାତ୍ ଏଥି ମଧ୍ୟରୁ ନିଶା ଜନିତ ଦୁର୍ଘଟଣା ଯୋଗୁଁ ମୃତ୍ୟୁସଂଖ୍ୟା ପ୍ରାୟ ୩୨ହଜାର ହେବବୋଲି କୁହାଯାଉଛି ।
ଏହି ଦୁର୍ଘଟଣା ଯୋଗୁଁ ବାର୍ଷିକ ପ୍ରାୟ ୬ହଜାର ଲୋକ ସାମାନ୍ୟ ଆଘାତପ୍ରାପ୍ତ ହେଉଥିବାବେଳେ ୫ହଜାରରୁ ଅଧିକ ଲୋକ ଗୁରୁତର ଭାବେ ଆଘାତପ୍ରାପ୍ତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକ ପଙ୍ଗୁ ହୋଇ ଯାଉଛନ୍ତି । ସଡକ ଦୁର୍ଘଟଣା ସହ ନିଶାର ନିବିଡ ସମ୍ପର୍କ ପରିପ୍ରେକ୍ଷୀରେ ଗୋଟିଏ ସମୟରେ ସୁପ୍ରିମ୍କୋର୍ଟ ଉଦ୍ବେଗ ପ୍ରକାଶ କରି ରାଜପଥ କଡରୁ ମଦଦୋକାନ ସବୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡିଶାର ଅବକାରୀ ଆଇନ୍ରେ ବି ରାଜପଥ କଡରେ ମଦଦୋକାନ ନଖୋଲିବାପାଇଁ ବ୍ୟବସ୍ଥା ଅଛି । ଏହା ସତ୍ୱେ ରାଜପଥ କଡରେ ବେଧଡକ ମଦ ବେପାର ଚାଲୁଥିବାରୁ ଧନ ଜୀବନ ବିପନ୍ନ ହେଉଛିା