
ଶୀତାକାଳୀନ ଅଧିବେଶନର ପ୍ରଥମ ଦିନରୁ ଆଜି ବିଧାନସଭାରେ ବିରୋଧିଦଳ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ଗୃହ ମଧ୍ୟଭାଗରେ ବିରୋଧି କଂଗ୍ରେସ ଓ ବିଜପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଶୋକ ପ୍ରସ୍ତାବ ଆଗତ ପରେ ମାତ୍ର ଏକ ମିନିଟ୍ ପାଇଁ ଗୃହକାର୍ଯ୍ୟ ଚାଲିପାରିଥିଲା ।
ଆଜି ବିଧାନସଭାର କାର୍ଯ୍ୟ ଆରମ୍ଭ ହେବାମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ସଦସ୍ୟ ଓ ସୁରକ୍ଷାକର୍ମୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗ କରିଥିଲେ । ଗୃହର ପୂର୍ବତନ ସଦସ୍ୟ ସାହୁରା ମଲିକ, ଉଦିତ୍ ପ୍ରତାପ ଦେଓ ଓ ବୃନ୍ଦାବନ ପାତ୍ରଙ୍କ ସମେତ ଶହୀଦ ଜବାନ ଜୟରାମ କାବାସୀଙ୍କ ପାଇଁ ଆଣିଥିବା ଶୋକପ୍ରସ୍ତାବ ଉପରେ ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ନିଜ ନିଜ ମତ ରଖିଥିଲେ ।
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କ ପାଇଁ ବକ୍ତବ୍ୟ ରଖିବା ସହିତ ଗୃହର ସଦସ୍ୟମାନେ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିଥିଲେ ।
ଶୋକ ପ୍ରସ୍ତାବ ପରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ନିଜ ଆସନରେ ଛିଡାହୋଇ କହିବାକୁ ଚାହିଁଥିଲେ । ଶ୍ରୀ ମିଶ୍ର ପୂର୍ବରୁ ନୋଟିସ୍ ଦେଇଥିବାରୁ ବକ୍ତବ୍ୟ ରଖିବାକୁ ଚାହିଁଥିବାବେଳେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିବା ସହିତ ପ୍ରଶ୍ନକାଳ ପରେ ଏହା ଉପରେ ଆଲୋଚନା କରାଯିବ ବୋଲି କହିଥିଲେ । ଏହାର ପ୍ରତିବାଦରେ କଂଗ୍ରେସ ସଦସ୍ୟ ସର୍ବଶ୍ରୀ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ସୁରେଶ କୁମାର ରାଉତରାୟ ପ୍ରମୁଖ ଗୃହ ମଧ୍ୟଭାଗକୁ ଆସିଥିଲେ ।
ଏହି ସମମୟରେ ବିରୋଧିଦଳ ନେତା ଶ୍ରୀ ନାୟକ ମଧ୍ୟ ନିଜ ଆସନରେ ଛିଡାହୋଇ କିଛି କହିବାକୁ ଚାହିଁଥିଲେ । ହେଲେ ବାଚସ୍ପତି ତାଙ୍କୁ ଅନୁମତି ନଦେବାରୁ ବିଜେପି ସଦସ୍ୟମାନେ ଉତ୍କ୍ଷିପ୍ତ ହୋଇ ବାଚସ୍ପତିଙ୍କ ସହିତ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ବିରୋଧିଦଳ ନେତାଙ୍କୁ କହିବାର ସୁଯୋଗ ନମିଳିବା ପ୍ରତିବାଦରେ ବିଜେପି ସଦସ୍ୟମାନେ ମଧ୍ୟ ଗୃହ ମଧ୍ୟଭାଗକୁ ଆସିଥିଲେ ।
ଏହି ସମୟରେ ବିଧାୟକ ମୌଷଧି ବାଗ କୃଷି ବିଭାଗ ଉପରେ ପଚାରିଥିବା ତାରକା ପ୍ରଶ୍ନର ଉତ୍ତର ଦେବାପାଇଁ ବାଚିସ୍ପତି ଶ୍ରୀ ପାତ୍ର କୃଷି ଓ କୃଷକ କଲ୍ୟାଣମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କୁ ଡାକିଥିଲେ । ହଟ୍ଟଗୋଳ ମଧ୍ୟରେ ଶ୍ରୀ ସାହୁ ତାଙ୍କ ଉତ୍ତର ରଖୁଥିବାବେଳେ ତାହା ଶୁଣାଯାଉନଥିଲା । ଗୃହ ମଧ୍ୟଭାଗକୁ ଆସି ଉଭୟ କଂଗ୍ରେସ ଓ ବିଜପି ସଦସ୍ୟମାନେ ହଟ୍ଟଗୋଳ କରିବା ସହିତ ଧ୍ୱନିମାନ ଦେବାରୁ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।