
ଧାର୍ଯ୍ୟ ସମୟ ମଧ୍ୟରେ ଓଡ଼ିଶା ସରକାର ତଳ ସ୍ତରରେ ବାୟୋଡାଇଭର୍ସିଟି ମ୍ୟାନେଜମେଣ୍ଟ କମିଟି (ବିଏମ୍ସି) ଗଠନ ଏବଂ ପିପୁଲ୍ସ ବାୟୋଡାଇଭର୍ସିଟି ରେଜିଷ୍ଟର୍ସ (ପିବିଆର୍) ପ୍ରସ୍ତୁତ ନ କଲେ ମୋଟା ଅଙ୍କର ତଣ୍ଡ ଗଣିବେ ବୋଲି ନ୍ୟାସନାଲ ବାୟୋଡାଇଭର୍ସିଟି ଅଥରିଟି(ଏନ୍ବିଏ) ଚେତାଇ ଦେଇଛି । ଜରିମାନା ବାବଦରେ ରାଜ୍ୟ ସରକାର ମାସକୁ ୧୦ ଲକ୍ଷ ଟଙ୍କା କରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)କୁ ଜୋରିମାନା ଦେବେ ଓ ଏହି ଅର୍ଥ ପରିବେଶ ସଂରକ୍ଷଣ ପାଇଁ ଖର୍ଚ୍ଚ ହେବ ବୋଲି ଏନ୍ବିଏ କହିଛି ।
ବିଏମ୍ସି ଓ ପିବିଆର୍ ଲାଗି ଆସନ୍ତାବର୍ଷ ଜାନୁଆରୀ ୩୧କୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍ବିଏ କହିଛି । ଜାତୀୟ ଗ୍ରୀନ୍ ଟିବ୍ୟୁନାଲର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଏନ୍ବିଏ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ବିଏମ୍ସି ଓ ପିବିଆର୍ ପ୍ରସ୍ତୁତ ସଂକ୍ରାନ୍ତରେ ଆସନ୍ତା ୩୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କହିଛନ୍ତି । ଓଡ଼ିଶାରେ ଯଦିଓ ରାଜ୍ୟ ଜୈବ ବିବିଧତା ବୋର୍ଡ ରହିଛି କିନ୍ତୁ ତଳସ୍ତରରେ ବିଏମ୍ସି ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁନାହିଁ ।
ସରକାରୀ ତଥ୍ୟ ମୁତାବକ ରାଜ୍ୟର ୭୨୫୯ଟି ପୌରସଂସ୍ଥା ଓ ପଞ୍ଚାୟତିରାଜ ଅନୁଷ୍ଠାନ ରହିଛି । ଏଥିମଧ୍ୟରୁ ୩୭୧୦ରେ ବିଏମ୍ସି ଗଠନ ହୋଇଛି ଯାହାକି ମାତ୍ର ୫୧ ପ୍ରତିଶତ । ଅନ୍ୟପକ୍ଷରେ ୧୧୧ଟି ପୌରସଂସ୍ଥାରେ ପିବିଆର୍ ପ୍ରସ୍ତୁତି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ତାହା ହୋଇପାରିନାହିଁ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ସଂସ୍ଥାଗୁଡ଼ିକରେ ୨୦୨୦ ଜାନୁଆରୀ ୩୧ ପୂର୍ବରୁ ବିଏମ୍ସି ଗଠନ ନ ହେଲେ କିମ୍ବା ପିବିଆର୍ ପ୍ରସ୍ତୁତ ନ ହେଲେ ପ୍ରତି ମାସରେ ରାଜ୍ୟ ସରକାରଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ ।
ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ଉପଯୁକ୍ତ ବ୍ୟବହାର ପାଇଁ ବିଏମ୍ସି ଗଠନର ଆବଶ୍ୟକତା ଥିବା ବେଳେ କାଗଜପତ୍ର ପ୍ରସ୍ତୁତି ପାଇଁ ପିବିଆର୍ ଆବଶ୍ୟକ । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଜୈବ ବିବିଧତା ଆଇନ୍ ୨୦୦୨ ଏବଂ ନିୟମାବଳୀ ୨୦୦୪କୁ ଠିକଣା ଭାବେ କାର୍ଯ୍ୟକାରୀ କରିବା ନେଇ ହୋଇଥିବା ଆବେଦନର ବିଚାର କରି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ବିଏମ୍ସି ଗଠନ ଓ ପିବିଆର୍ ପ୍ରସ୍ତୁତ ଲାଗି ଅବଗତ କରିବାକୁ ଏନ୍ବିଏକୁ ନିର୍ଦ୍ଦେଶ ଦିଆଯାଇଛି ।
ଜୈବ ବିବିଧତା ଆଇନ୍ ୨୦୦୨ ଦ୍ୱାରା ଦେଶରେ ଜୈବ ବିବିଧତାକୁ ସଂରକ୍ଷଣ କରାଯିବା ସହିତ ପାରମ୍ପାରିକ ଜୈବ ସମ୍ପଦ ଓ ଜ୍ଞାନକୌଶଳରୁ ଯେଭଳି ଲାଭ ମିଳିପାରିବ ସେଥିପାଇଁ ଜ୍ଞାନକୌଶଳ ଯୋଗାଇବାରେ ସହାୟତା କରିବାକୁ କୁହାଯାଇଛି । ଏହି ଆଇନ୍ରେ ଧାରା ୪୧ ଅନୁଯାୟୀ ତଳସ୍ତରରେ ବିଏମ୍ସି ଗଠନ କରାଯିବ ଏବଂ ଏହାଦ୍ୱାରା ଜୈବ ବିବିଧତାର ସଂରକ୍ଷଣକୁ ପ୍ରୋତ୍ସାହନ ସହିତ ସଠିକ୍ ବ୍ୟବହାର ଆଦି ହୋଇପାରିବ ।
କେତେକ ରାଜ୍ୟରେ ଥିବା ବିଏମ୍ସି ଦ୍ୱାରା ଜୈବ ବିବିଧତାର କୌଣସି ରେକର୍ଡ ପ୍ରସ୍ତୁତ ହୋଇନଥିବା ଜଣାଯାଇଛି । ବର୍ତ୍ତମାନ ରାଜ୍ୟରେ ଥିବା ଜୈବ ବିବିଧତା ବୋର୍ଡ ଅଧିକ ସକ୍ରିୟ ହୋଇ ବିଏମ୍ସି ଗଠନ ଏବଂ ପିବିଆର୍ ପ୍ରସ୍ତୁତି ଦିଗରେ ପଦକ୍ଷେପ ଗ୍ରହଣ କରିବ ଯାହାଫଳରେ ରାଜ୍ୟ ସରକାର ମୋଟା ଅଙ୍କର ତଣ୍ଡର ସମ୍ମୁଖୀନ ହେବେ ନାହିଁ ।