
ଗାଁ ଗହଳର ଚାଷୀମାନଙ୍କ ହାତ ପାଆନ୍ତାରେ କୃଷି ଯନ୍ତ୍ରପାତି ଉପଲବ୍ଧ ସହିତ ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ସ୍ୱାବଲମ୍ବି କରିବାପାଇଁ ରାଜ୍ୟ ସରକାର ଫସଲ ଅମଳରେ ବ୍ୟବହୃତ ସାଜ ସରଞ୍ଜାମ ଯୋଗାଇଦେବେ । ବ୍ରିଙ୍ଗଙ୍ଗ ଗ୍ରିନ୍ ରିଭୋଲ୍ୟୁସନ ଇଷ୍ଟର୍ଣ୍ଣ ଇଣ୍ଡିଆ (ବିଜିଆରଇଆଇ) ଯୋଜନାରେ ଏହା ଯୋଗାଇ ଦିଆଯିବ ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ଫସଲ ଅମଳରେ ବ୍ୟବହୃତ ହେଉଥିବା ଛୋଟ ରାଇସ୍ ମିଲ୍, ଧାନ ସଫା କରିବାପାଇଁ ଆବଶ୍ୟକ ପଡୁଥିବା କ୍ଲିନର କମ୍ ଗ୍ରେଡର, ପାଦ ଚାଳିତ ଧାନ ଅମଳ ଯନ୍ତ୍ର, ହସ୍ତ ଚାଳିତ ପଙ୍ଖା ଓ ଚାଉଳ ଉତ୍ପାଦନ ପାଇଁ ଆବଶ୍ୟକ ପଡୁଥିବା ଧାନ ସିଝା ସାମଗ୍ରୀ ଯୋଗାଇଦେବେ । ତେବେ ସମଗ୍ର ରାଜ୍ୟ ପାଇଁ ୩୨୯ଟି ୟୁନିଟ୍ ସାମଗ୍ରୀ ଯୋଗାଣ ପାଇଁ ସ୍ଥିର ହୋଇଥିବାବେଳେ ପ୍ରତି ୟୁନିଟ୍ରେ ଉପରୋକ୍ତ ଯନ୍ତ୍ରପାତି ମଧ୍ୟରୁ ଗୋଟିଏ କରି ରହିବ । ତେବେ ଏଥିରୁ ୩୧୪ଟି ବ୍ଲକକୁ ଗୋଟିଏ କରି ୟୁନିଟ୍ ଯୋଗାଇ ଦିଆଯିବ ।
ବ୍ଲକ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ଚିହ୍ନଟ କରାଯାଇ ସେମାନଙ୍କୁ ଏହା ଯୋଗାଣ ହେବ । ପଞ୍ଚାୟତ ସ୍ତରରେ ଚାଷୀମାନେ ଆବଶ୍ୟକ ମୁତାବକ ଏହି ସାମଗ୍ରୀ ଏସ୍ଏଚ୍ଜି ଠାରୁ ନେଇ ନିଜର ଫସଲ ଅମଳ କାର୍ଯ୍ୟରେ ବ୍ୟବହାର କରିପାରିବେ । ଏହି ଯୋଜନାରେ ପ୍ରାୟ ୩କୋଟି ୮୦ ଲକ୍ଷ ଟଙ୍କାର ବ୍ୟୟ ହେବ ।
ବିଜିଆରଇଆଇ ଯୋଜନାରେ ଏହି ସାମଗ୍ରୀ ଖରିଦ ପାଇଁ ଇତି ମଧ୍ୟରେ ରାଜ୍ୟ ସରକାର ଟେଣ୍ଡର ଜାରି କରିଥିବାବେଳେ ଏଥିପାଇଁ ରାଜ୍ୟ ବାହାରୁ ଓ ଭିତରୁ କେତେ ଗୁଡିଏ ସଂସ୍ଥା ଆବେଦନ କରିଥିଲେ । ଚୂଡାନ୍ତ ପର୍ଯ୍ୟାୟରେ ୪ଟି ସଂସ୍ଥା ରହିଥିବା ଜଣାଯାଇଛି । ଏହି ୪ଟି ସଂସ୍ଥା ମଧ୍ୟରୁ ଗୋଟିଏ କର୍ଣ୍ଣାଟକର ହୋଇଥିବାବେଳେ ଅନ୍ୟ ତିନିଟି ଓଡିଶାର ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ବିଜିଆରଇଆଇ ଯୋଜନାରେ ଯୋଗାଇଦେବାକୁ ଥିବା କୃଷି ଯନ୍ତ୍ରପାତି ଉପରେ ପୂର୍ବରୁ ମଧ୍ୟ ସବ୍ସିଡ୍ ପ୍ରଦାନ କରି ଆସୁଛନ୍ତି । ତେବେ ମିନି ରାଇସ୍ ମିଲ୍ର ଦର ଉପରେ ମୋଟା ଅଙ୍କର ସବ୍ସିଡ୍ ଥିବାରୁ ରାଜ୍ୟର ବହୁ କୃଷକ ତାହାକୁ ଖରିଦ କରିଛନ୍ତି । କିନ୍ତୁ ଏହି ରାଇସ୍ମିଲ୍ ଯୋଗାଣ କରୁଥିବା ସଂସ୍ଥାମାନେ ନିଜେ ଏହାକୁ ତିଆରି କରିବା ବଦଳରେ ବାହାରୁ ଆଣି ଯୋଗାଇ ଦେଉଛନ୍ତି । ଏଥିଯୋଗୁଁ ପରବର୍ତ୍ତୀ ସମୟରେ ଏହି ଯନ୍ତ୍ରରେ କୌଣସି ସମସ୍ୟା ଦେଖାଦେଲେ ତାହାର ମରାମତି ସହଜ ହେଉନାହିଁ । ତେଣୁ ଧିରେ ଧିରେ ଏହି ମିନି ରାଇସ୍ ମିଲ୍ରୁ ଚାଷୀ ମୁହଁ ଫେରାଉଥିବା ବି ଦେଖିବାକୁ ମିଳୁଛି ।
କେବଳ ମିନି ରାଇସ୍ ମିଲ୍ ନୁହେଁ, ଧାନ ଅମଳ ଠାରୁ ଉଡାଇବା ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ଉପରେ ସରକାର ସବ୍ସିଡ୍ ପ୍ରଦାନ କରୁଛନ୍ତି । ଏହାକୁ କିଣିବାପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ଯୋଗାଣକାରୀ ସଂସ୍ଥାମାନେ ସାମଗ୍ରୀ କିଣା ବିକାରେ ଚଞ୍ଚକତା କରୁଥିବା ନଜରକୁ ଆସିଛି ।
ଏପରିକି କୃଷି ଯନ୍ତ୍ରପାତି ଯୋଗାଣ କରୁଥିବା କେତେକ ସଂସ୍ଥା ବଡ ଧରଣର ଜିଏସ୍ଟି ଫାଙ୍କି ପଦାକୁ ଆସିବାପରେ ସମଗ୍ର ରାଜ୍ୟରେ ଏହାର ତଦନ୍ତ କରିବାପାଇଁ କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ କରି ଆଗାମୀ ଦିନରେ ସରକାର ଯୋଗାଇବାକୁ ଯାଉଥିବା କୋଟି କୋଟି ଟଙ୍କାର କୃଷି ଯନ୍ତ୍ରପାତି ଖରିଦରେ ସ୍ୱଚ୍ଛତା ବଜାୟ ରଖିବାକୁ ଚାଷୀମାନେ ମତ ଦେଉଛନ୍ତି ।