ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କର୍କଟ ରୋଗୀଙ୍କ ଦାବି


କର୍କଟ ଚିକିତ୍ସା ପାଇଁ ମୁମ୍ବାଇ ଯାଉଥିବା ଓଡିଶା ଲୋକଙ୍କ ପାଇଁ ନଭିମୁମ୍ବାଇରେ ଥିବା ଓଡିଶା ଭବନରେ କୋଠରୀ ଅଭାବ ପଡୁଛି । ଏହି ଭବନରେ କର୍କଟରୋଗୀଙ୍କ ପାଇଁ ପ୍ରାୟ ୧୬ଟି କୋଠରୀ ଓ ଗୋଟିଏ ବଡ ହଲ୍‍ ଯୋଗା ଯାଉଥିବାବେଳେ ତାହା ପର୍ଯ୍ୟାପ୍ତ ହେଉନାହିଁ । ତେଣୁ ସେଠାରେ ଅଧିକ ସ୍ଥାନର ବ୍ୟବସ୍ଥା ଲାଗି ଦାବି ହେଉଛି ।

ଓଡିଶାର କର୍କଟରୋଗୀମାନେ ସାଧାରଣତଃ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ କର୍କଟ ଡାକ୍ତରଖାନାକୁ ଚିକିତ୍ସାପାଇଁ ଯାଇଥାନ୍ତି । ଏହି ରୋଗୀମାନେ କିଭଳି ସୁବିଧାରେ ବ୍ୟୟବହୁଳ ମୁମ୍ବାଇରେ ରହି ଚିକିତ୍ସିତ ହେବେ ସେଥିପାଇଁ ରାଜ୍ୟ ସରକାର ଓଡିଶା ଭବନରେ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଗୃହ ବିଭାଗ ନିକଟରେ ଆବେଦନ କରିବାକୁ ପଡିଥାଏ । କର୍କଟରୋଗୀମାନେ ଚିକିତ୍ସାର ସମସ୍ତ ପ୍ରମାଣପତ୍ର ସହିତ ଆବେଦନକଲେ ତାଙ୍କୁ ଓଡିଶା ଭବନରେ ରହିବାକୁ ସୁଯୋଗ ମିଳିଥାଏ ।

ତେବେ ଦିନକୁ ଦିନ ଆବେଦନ କର୍କଟରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସମସ୍ତଙ୍କୁ ଓଡିଶା ଭବନରେ ସ୍ଥାନ ଦେବା ସହଜ ହେଉନାହିଁ । ତେଣୁ ଓଡିଶା ଭବନ ପରିସରରେ ଅଧିକ କୋଠରୀ ନିର୍ମାଣ ପାଇଁ ଦାବି ହେଉଛି । ଉଲ୍ଲେଖନୀୟ ଯେ ମୁମ୍ବାଇରେ ଗୋଟିଏ ଦିନ ରହି ଚିକିତ୍ସା ହେବାଲାଗି ଅତି କମ୍‍ରେ ୨ରୁ ୩ହଜାର ଟଙ୍କା ଘରଭଡା ଦେବାକୁ ପଡୁଥିବାବେଳେ ରାଜ୍ୟ ସରକାର କର୍କଟରୋଗୀମାନଙ୍କୁ ମାତ୍ର ୩୦୦ ଟଙ୍କାରେ ଓଡିଶା ଭବନରେ ରହିବାର ସୁବିଧା କରିଛନ୍ତି । ଜଣେ ରୋଗୀଙ୍କ ସର୍ବାଧିକ ୩୦ଦିନ ପର୍ଯ୍ୟନ୍ତ ରହିବାର ସୁବିଧା ମିଳୁଛି ।

ଗୋଟିଏ ପଟେ ଶସ୍ତାରେ ରହିବା ଏବଂ ଅନ୍ୟପଟେ ଦେଶର ଅତ୍ୟାଧୁନିକ କର୍କଟ ଗବେଷଣା ପ୍ରତିଷ୍ଠାନରେ ଚିକିତ୍ସା ସୁବିଧା ମିଳୁଥିବାରୁ ଲୋକେ ଅଧିକ ସଂଖ୍ୟାରେ ସେଠାକୁ ଯିବାପାଇଁ ଆଗ୍ରହୀ ହେଉଛନ୍ତି । ସୂଚନା ଅନୁଯାୟୀ କର୍କଟରୋଗୀମାନଙ୍କୁ ଏକ ପ୍ରକାର ମାଗଣାରେ ରହିବାର ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରୁଛନ୍ତି । ଅନ୍ୟ କୌଣସି ରାଜ୍ୟ ସରକାର ମୁମ୍ବାଇ ଠାରେ ଥିବା ସେମାନଙ୍କ ଭବନ କିମ୍ବା ନିବାସରେ କର୍କଟରୋଗୀମାନଙ୍କ ପାଇଁ ଅନୁରୂପ ସେବା ଯୋଗାଉନଥିବା ଜଣାଯାଇଛି ।

ତେବେ ଚାରି ମହଲା ବିଶିଷ୍ଟ ରାଜ୍ୟ ସରକାରଙ୍କର ଏହି ଭବନରେ ଦପ୍ତର ସହିତ ମନ୍ତ୍ରୀ, ଅଫିସର ଆଦିଙ୍କ ରହିବା ବ୍ୟବସ୍ଥା ଥିବାରୁ କର୍କଟରୋଗୀମାନଙ୍କୁ ଚାହିଦା ମୁତାବକ ପ୍ରକୋଷ୍ଠ କିମ୍ବା ସ୍ଥାନ ଦିଆଯାଇ ପାରୁନାହିଁ । ଅନେକ ରୋଗୀ ଆବେନଦ କରି ହତାଶ ହେବା ସହିତ ହୋଟେଲ ଆଦିରେ ରହି ବ୍ୟାପକ ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ଆଉ କିଛି ପ୍ରକୋଷ୍ଠ ନିର୍ମାଣ କରାଗଲେ ଓଡିଶାରୁ ଯାଉଥିବା କର୍କଟରୋଗୀମାନେ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021