
ଗୁଟ୍ଖା ଓ ନିକୋଟିନ୍ଯୁକ୍ତ ତମାଖୁର ବ୍ୟବହାର, ବିପଣନ ଆଦି ଉପରେ ରାଜ୍ୟ ସରକାର ନିଷିଦ୍ଧାଦେଶ ଜାରି କରିବାର ୬ ବର୍ଷ ବିତିଗଲାଣି । କିନ୍ତୁ ଏହା ବଜାରରେ ଖୋଲାଖୋଲି ଭାବେ ଉପଲବ୍ଧ ହେଉଥିଲେ ମଧ୍ୟ ସତେ ଯେମିତି ରୋକିବାକୁ କେହିନାହାନ୍ତି ।
୨୦୧୩ ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ । ଏଥିରେ ଗୁଟ୍ଖା ଓ ନିକୋଟିନ୍ଯୁକ୍ତ ପାନ ମସଲାର ପ୍ରସ୍ତୁତି, ବିକ୍ରୟ, ବିପଣନ ଓ ସେବନ ଉପରେ କଟକଣା ଥିଲା । ଆମ ରାଜ୍ୟରେ ମୁଖଗହ୍ୱର କର୍କଟ ରୋଗ ସମେତ ଅନ୍ୟ ବହୁ ମାରାତ୍ମକ ବ୍ୟାଧି ଏହି ସାମଗ୍ରୀ ସେବନ ଯୋଗୁ ବଢ଼ୁଥିବା ଦୃଷ୍ଟିରୁ ଓଡ଼ିଶାକୁ ତମାଖୁମୁକ୍ତ ରାଜ୍ୟ କରିବା ଉଦ୍ଦେଶ୍ୟରେ ସେତେବେଳେ ନିଷିଦ୍ଧାଦେଶ ଘୋଷଣା କରାଯାଇଥିଲା । ଫୁଡ୍ ସେଫ୍ଟି ଆଣ୍ଡି ଷ୍ଟାଣ୍ଡାର୍ସ (ପ୍ରୋହିବିସନ୍ ଆଣ୍ଡ ରେଷ୍ଟ୍ରିକ୍ସନ୍ସ ଅନ୍ ସେଲ୍ସ) ରେଗୁଲେସନ ଆଧାରରେ ଓଡ଼ିଶା ସରକାର ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏଭଳି ଆଇନ୍ ଲାଗୁ କରିଥିଲେ ।
ପୋଲିସ ଇନ୍ସପେକ୍ଟର ଓ ଖାଦ୍ୟ ଇନ୍ସପେକ୍ଟରମାନଙ୍କୁ ସେମାନଙ୍କ ନିଜ ନିଜ ଅଞ୍ଚଳରେ ଗୁଟ୍ଖା ଓ ପାନମସଲା ନିଷିଦ୍ଧ ବ୍ୟବସ୍ଥାର ପ୍ରତିପାଳନ ଲାଗି ସ୍ୱତନ୍ତ୍ର ବିଜ୍ଞପ୍ତି ବଳରେ ବି କ୍ଷମତା ପ୍ରଦାନ କରାଯାଇଥିଲା । କିନ୍ତୁ ଏହି କ୍ଷମତା ପ୍ରଦାନ ଓ ନିଷିଦ୍ଧାଦେଶ ଏଯାବତ୍ ଧର୍ମକୁ ଆଖିଠାର କରି ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ଯେ ପୂର୍ବରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗୁଟ୍ଖା ଏବଂ ତମାକୁ ଓ ନିକୋଟିନ୍ଯୁକ୍ତ ପାନମସଲା ଉପରେ କଟକଣା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ କେରଳ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ହରିଆନା, ଛତିଶଗଡ଼, ଝାଡ଼ଖଣ୍ଡ, ମିଜୋରାମ, ଦିଲ୍ଲୀ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଚଣ୍ଡୀଗଡ଼, ପଞ୍ଜାବ ଓ ଗୋଆ ଗୁଟ୍ଖା ନିଷିଦ୍ଧ ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଗୁଟ୍ଖା ନିଷିଦ୍ଧ ବିଜ୍ଞପ୍ତି ଜାରି କ୍ଷେତ୍ରରେ ଓଡ଼ିଶା ଦେଶର ଦ୍ୱାଦଶ ରାଜ୍ୟ ଥିଲା ।
ପ୍ରଥମରୁ କିଛିଦିନ ଜୋର୍ଦାର୍ ଗୁଟ୍ଖା ଧରପଗଡ଼ ଚାଲିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଖୋଲାଖୋଲି ଭାବେ ଏହା ବଜାରରେ ଉପଲବ୍ଧ ହେଉଛି । ଶିକ୍ଷାନୁଷ୍ଠାନ ଭିତରେ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଗୁଟ୍ଖା, ପାନ ମସଲା, ସିଗାରେଟ୍ ଆଦି କୋଟ୍ପା ଆଇନ୍ ବଳରେ ନିଷିଦ୍ଧ କରାଯାଇଥିଲେ ବି ତାହାର ବି ପ୍ରତିପାଳନ ହେଉନାହିଁ । ଗୁଟ୍ଖା, ପାନ ମସଲା ଆଦି ବାବଦରେ ରାଜ୍ୟ ସରକାର ପ୍ରାୟ ୪୦୦ କୋଟି ଟଙ୍କାର ରାଜସ୍ୱ ପାଉଥିଲେ । ଏହାକୁ ନିଷିଦ୍ଧ କରିବା ପରେ ରାଜସ୍ୱ ମିଳୁନାହିଁ କିନ୍ତୁ ପୂର୍ବାପେକ୍ଷା ଏହି ବିପଜ୍ଜନକ ସାମଗ୍ରୀ ଅଧିକ ପରିମାଣରେ ବିକ୍ରି ହେଉଛି ।
ଗୋଟିଏ ସମୟରେ ରାଜଧାନୀ ଭୁବନେଶ୍ୱରକୁ ଧୂମପାନ ମୁକ୍ତ ସହରରେ ପରିଣତ କରିବା ପାଇଁ କମିଶନରେଟ୍ ପୋଲିସ ଜୋରଦାର୍ ଧରପଗଡ଼ ଅଭିଯାନ କରୁଥିଲା । ଫଳରେ ରାସ୍ତାଘାଟରେ ବିଡ଼ି ସିଗାରେଟ୍ ଟାଣିବା ପାଇଁ ଲୋକେ ଭୟ କରୁଥିଲେ । ଏବେ ବିଡ଼ି ସୁଗାରେଟ୍, ଗୁଟ୍ଖା, ପାନ ମସଲାଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନ୍ ସୁଗାର, ମଦ ପର୍ଯ୍ୟନ୍ତ ବିଭିନ୍ନ ନିଶା ସାମଗ୍ରୀ ସହଜରେ ଉପଲବ୍ଧ ହେଉଛି । ନିଶା ବେପାରୀମାନେ ସେମାନଙ୍କ ସାମ୍ରାଜ୍ୟ ବଢ଼ାଇ ଏଥିରେ ଅନେକ ବେକାର ଯୁବକଙ୍କୁ ନିୟୋଜିତ କରୁଛନ୍ତି । ନିକଟରେ ରାଜଧାନୀ ଉପକଣ୍ଠରେ ନିଶା ବେପାରୀଙ୍କ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ବି ଘଟିଛି ।