ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଟିକଟ ପାଇଁ ରୋଗୀ ହଟହଟା......


କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀମାନେ ଟିକଟ ଖଣ୍ଡିଏ ପାଇବା ଏବେ ହଟହଟା ହେଉଛନ୍ତି । ରାତି ୪ଟାରୁ ଧାଡିରେ ଛିଡା ହେଉଥିଲେ ବି ଡାକ୍ତରଙ୍କୁ ଦେଖାକରିବା ସମ୍ଭବପର ହେଉନାହିଁ । ଚିକିତ୍ସାପାଇଁ ବାରମ୍ବାର ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ପ୍ରତିଥର ନୂଆ ଟିକଟ ଆଣିବାକୁ କୁହାଯାଉଥିବାରୁ ଅବସ୍ଥା ଆହୁରି ବିଗିଡିବାରେ ଲାଗିଛି ।

ଡାକ୍ତରଖାନାର ବ୍ୟବସ୍ଥା ଅନୁଯାୟୀ ଯେଉଁ ରୋଗୀମାନେ ଚିକିସିôତ ହେବାକୁ ଆସିବେ ସେମାନେ ସେମାନେ ପ୍ରଥମେ ଟିକଟ କାଉଣ୍ଟରରୁ ନିଜର ନାମ, ବୟସ ଓ ରୋଗର ପ୍ରକାର କହି ଟିକଟ ନେବେ । ଏହା ପରେ ଡାକ୍ତରଙ୍କୁ ଭେଟିବେ । ତେବେ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୩ରୁ ସାଢେ ୩ହଜାର ରୋଗୀ ଆସୁଥିବାବେଳେ ସେମାନଙ୍କ ପାଇଁ ମାତ୍ର ୩ଟି କାଉଣ୍ଟର ରହିଛି । ପୁରୁଷ, ମହିଳା ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହି ଟିକଟ କାଉଣ୍ଟର ଥିବାବେଳେ ଲୋକେ ପାହାନ୍ତା ପହରୁ ଧାଡିରେ ଛିଡା ହେଉଛନ୍ତି । କାଉଣ୍ଟର ସାଢେ ୭ଟା ସମୟରେ ଖୋଲିଲା ବେଳକୁ ଟିକଟ କାଉଣ୍ଟରରେ ଅସମ୍ଭାଳ ଅବସ୍ଥା । ରାସ୍ତା ଉପର ପର୍ଯ୍ୟନ୍ତ ଧାଡି ଲମ୍ବି ଆସୁଛି । ଡାକ୍ତରଖାନାକୁ ଆସୁଥିବା ଗୁରୁତର ଗରିବ ରୋଗୀ ଟିକଟ କାଟି ସାରିଲା ବେଳକୁ ଅଧିକ ଅସୁସ୍ଥ ହୋଇପଡୁଛନ୍ତି ।

୫-ଟି ଓ ମୋ ସରକାର କାର୍ଯ୍ୟକାରୀ ପରେ ଡାକ୍ତରମାନେ ସକାଳ ୯ଟା ବେଳକୁ ଆସି କାର୍ଯ୍ୟରେ ଯୋଗଦେବା ବେଳକୁ କେତେକ ବିଭାଗରେ ରୋଗୀମାନେ ଟିକଟ ନେଇ ପହଞ୍ଚିପାରୁ ନାହାନ୍ତି । ଫଳରେ ଡାକ୍ତରମାନେ ହାତବାନ୍ଧି ବସୁଛନ୍ତି । ଟିକଟ କାଉଣ୍ଟରରେ ଲୋକେ ଠେଲାପେଲା ହେଉଥିବାବେଳେ ଡାକ୍ତରଙ୍କ ନିକଟରେ କିନ୍ତୁ ରୋଗୀଙ୍କ ଦେଖା ଦର୍ଶନ ନାହିଁ ।

ସବୁଠାରୁ ଗୁରୁତର ଘଟଣା ହେଉଛି ମଧୁମେହ ରୋଗୀମାନେ ଯେତେଥର ଆସୁଛନ୍ତି ସେମାନଙ୍କୁ ପ୍ରତିଥର ନୂଆ ଟିକଟ ଆଣିବାକୁ କୁହାଯାଉଛି । ଫଳରେ ଡାକ୍ତରଙ୍କୁ ଭେଟିବାକୁ ଜଣେ ରୋଗୀଙ୍କୁ ଅତି କମ୍‍ରେ ଦୁଇଥର ଆସିବାକୁ ପଡୁଛି । ଗୋଟିଏ ଦିନ ଧାଡିରେ ଛିଡାହୋଇ ଟିକଟ ନେବ ଓ ଆଉଦିନେ ଆସି ଧାଡିରେ ଛିଡାହୋଇ ଡାକ୍ତରଙ୍କୁ ଦେଖାକରିବ ।

ଯେଉଁଦିନ ମଧୁମେହ ଡାକ୍ତରଙ୍କ ପାଳି ରହୁଛନ୍ତି ସେହିଦିନ ହିଁ ସମ୍ପୃକ୍ତ ରୋଗୀଙ୍କୁ ଟିକଟ ମିଳୁଛି । ଏପରିକି ଡାକ୍ତର ଉପସ୍ଥିତ ଥିଲେ ମଧ୍ୟ ରୋଗୀସଂଖ୍ୟା ଅଧିକ ହେଲେ ଦିନ ୧୧ଟା ବେଳକୁ ଟିକଟ କାଉଣ୍ଟରରୁ ରୋଗୀଙ୍କୁ ଫେରାଇ ଦିଆଯାଉଛି । ଡାକ୍ତରଖାନା କର୍ତ୍ତୃପକ୍ଷ ବାରମ୍ବାର ନୂଆ ଟିକଟ ପାଇଁ ନିର୍ଦ୍ଦେଶ ଦେଇନଥିଲେ ମଧ୍ୟ ଗୋଟିଏ ଟିକଟ କେତେଦିନ ପର୍ଯ୍ୟନ୍ତ ବୈଧ ରହିବ ତାହାର କୌଣସି ମାର୍ଗଦର୍ଶିକା ଜାରି କରୁନଥିବାରୁ କେବଳ ମଧୁମେହ ରୋଗୀ ନୁହଁନ୍ତି ବହୁ ବିଭାଗରେ ରୋଗୀମାନେ ଟିକଟ କାଉଣ୍ଟରରୁ ଡାକ୍ତରଙ୍କ ପର୍ଯ୍ୟନ୍ତ ଅଯଥାରେ ଧାଁ ଦଉଡ କରୁଛନ୍ତି ।

ମୋ ସରକାରର ଦ୍ୱାହିଦେଇ ଡାକ୍ତର ଓ ସେମାନଙ୍କ ସହଯୋଗୀମାନେ ରୋଗୀଙ୍କୁ ନୂଆ ଟିକଟ ଆଣିବାକୁ କହୁଥିବାବେଳେ ଏହାଦ୍ୱାରା କେବଳ ଟିକଟ ପ୍ରଦାନ ଦାୟିତ୍ୱରେ ଥିବା ସଂସ୍ଥାର ଲାଭ ହେଉଛି । କାରଣ ଯେତେ ଅଧିକ ଟିକଟ କଟିବ ସମ୍ପୃକ୍ତ ସଂସ୍ଥା ସେହି ଅନୁଯାୟୀ ଅର୍ଥ ପାଇବ । ଏହାଛଡା ଟିକଟ ଗଣତି ଆଧାରରେ ଡାକ୍ତରଖାନାରେ ରୋଗୀସଂଖ୍ୟା ବୃଦ୍ଧି ପାଉଥିବା ବି କର୍ତ୍ତୃପକ୍ଷ ଦର୍ଶାଉଛନ୍ତି । ତେଣୁ ତୁରନ୍ତ ରୋଗୀମାନେ କାଟୁଥିବା ଟିକଟର ବୈଧତା ସଂକ୍ରାନ୍ତରେ ଡାକ୍ତରଖାନା ପରିସରରେ ନୋଟିସ୍‍ ମାରି ଅବଗତ କରିବାକୁ ଦାବି ହେଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021