ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ହ୍ରାସ ପାଇବ ବିଚାରପତି ସଂଖ୍ୟା


ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ଚଳିତ ମାସରେ ୧୩କୁ ହ୍ରାସ ପାଇବ । ଗୋଟିଏ ପଟେ ମାମଲା ସଂଖ୍ୟା ବଢି ଚାଲୁଥିବାବେଳେ ଅନ୍ୟ ପଟେ ପ୍ରାୟ ୧୦ବର୍ଷ ଧରି କେତେବେଳେ ହେଲେ ବି ଏଠାରେ ପୂର୍ଣ୍ଣ ସଂଖ୍ୟକ ବିଚାରପତି ନଥିବାରୁ ମାମଲା ଫଏସଲା କ୍ଷେତ୍ରରେ ସମସ୍ୟା ଲାଗି ରହୁଛି । ଏକଥା ବରିଷ୍ଠ ଅବସରପ୍ରାପ୍ତ ବିଚାରପତିଙ୍କ ଠାରୁ ଆରମ୍ଭକରି ବରିଷ୍ଠ ଓକିଲ, ମାମଲାରେ ଛନ୍ଦି ହୋଇଥିବା ସାଧାରଣ ଲୋକ ଓ ସରକାରୀ କର୍ମଚାରୀମାନେ ସ୍ୱୀକାର କରୁଛନ୍ତି ।

ଚଳିତମାସ ୧୨ ତାରିଖରେ ଓଡିଶା ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଡକ୍ଟର ଅକ୍ଷୟ କୁମାର ରଥଙ୍କ କାର୍ଯ୍ୟକାଳ ପୁରୁଛି । ଏବେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଏଠାରେ ୧୪ଜଣ ବିଚାରପତି ଥିବାବେଳେ ଡକ୍ଟର ରଥଙ୍କ ଅବସର ଗ୍ରହଣପରେ ଏହି ସଂଖ୍ୟା ୧୩କୁ କମିଆସିବ । ଓଡିଶା ହାଇକୋର୍ଟ ଲାଗି ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ରହିଥିବାବେଳେ ବର୍ଷ ବର୍ଷ ଧରି ଏଥିରୁ ସଂଖ୍ୟାଧିକ ପଦବୀ ଖାଲି ରହୁଛି ।

ଅନ୍ୟ ପଟେ ମାମଲା ସଂଖ୍ୟା କିନ୍ତୁ ପ୍ରାୟ ଦେଢ ଲକ୍ଷ ଥିବାବେଳେ ଏଥି ମଧ୍ୟରେ ୨୦/୩୦ ବର୍ଷର ପୁରୁଣା ମାମଲା ବି ଗଡୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଗପଛ ବିଚାର ନକରି ଇତି ମଧ୍ୟରେ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍)କୁ ଉଚ୍ଛେଦ କରିଛନ୍ତି । ଏଠାରେ ବିଚାର ପ୍ରତୀକ୍ଷାରେ ଥିବା ପ୍ରାୟ ୭୨ହଜାର ମାମଲା ବୋଝ ଓଡିଶା ହାଇକୋର୍ଟ ଉପରକୁ ଆସିଲେ ମାମଲା ଚାପ ୨ଲକ୍ଷ ୨୦ହଜାରକୁ ଟପିଯିବ । ଫଳରେ ସମସ୍ତ ମାମଲା ପରିଚାଳନା ପ୍ରକ୍ରିୟାରେ ସମସ୍ୟା ଉପୁଜିବା ନିଶ୍ଚିତ ବୋଲି ବରିଷ୍ଠ ଆଇନ୍‍ଜୀବୀମାନେ କହୁଛନ୍ତି ।

ଓଡିଶା ହାଇକୋର୍ଟରେ ଯେତେ ମାମଲା ରହିଛି ଓ ପ୍ରତିମାସରେ ଯେତେ ସଂଖ୍ୟକ ନୂଆ ମାମଲା ରୁଜୁ ହେଉଛି ସେ ସବୁର ତ୍ୱରିତ ଫଏସଲା ପାଇଁ ଅନ୍ୟୁନ ୪୨ଜଣ ବିଚାରପତିଙ୍କ ଆବଶ୍ୟକତା ରହିଛି ।

ରାଜ୍ୟର ବିଭିନ୍ନ ଅଦାଲତରେ ଏବେ ପ୍ରାୟ ୧୨ଲକ୍ଷ ୨୦ହଜାର ମାମଲା ବିଚାର ପ୍ରତୀକ୍ଷାରେ ଅଛି । ଏଥି ମଧ୍ୟରୁ ୯ଲକ୍ଷ ୫୦ହଜାରରୁ ଅଧିକ ଅପରାଧିକ ମାମଲା । ନିମ୍ନ ଅଦାଲତରେ ବି ବିଚାରପତି ମରୁଡି ଲାଗି ରହିଛି । ସକରାରୀ ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ନିମ୍ନ ଅଦାଲତରେ ୩୦ବର୍ଷ କିମ୍ବା ତଦୁର୍ଦ୍ଧ ପୁରୁଣା ପ୍ରାୟ ୪ହଜାର ମାମଲା ପଡିଥିବାବେଳେ ୨୦ରୁ ୩୦ବର୍ଷର ପୁରୁଣା ୨୬ହଜାରରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଅଛି । ୧୦ରୁ ୨୦ବର୍ଷର ପୁରୁଣା ମାମଲା ସଂଖ୍ୟା ରାଜ୍ୟର ନିମ୍ନ ଅଦାଲତ ଗୁଡିକରେ ପାଖାପାଖି ଦେଢ ଲକ୍ଷ । ସେହିପରି ୫ରୁ ୧୦ବର୍ଷ ପୁରୁଣା ମାମଲା ସଂଖ୍ୟା ମଧ୍ୟ ପ୍ରାୟ ୨ଲକ୍ଷ ୨୩ହଜାର ଥିବାବେଳେ ଏଠାରେ ୩ରୁ ୫ବର୍ଷର ପୁରୁଣା ପ୍ରାୟ ଏକ ଲକ୍ଷ ୬୮ହଜାର ମାମଲା ବିଚାର ପାଇଁ ପଡିରହିଛି ।

ବିଶେଷକରି ଅପରାଧିକ ମାମଲା ଗୁଡିକର ତ୍ୱରିତ ଫଏସଲା ହେଉନଥିବା ଫଳରେ ବହୁ କ୍ଷେତ୍ରରେ ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରି ମାମଲାରୁ ଖସି ଯାଉଛନ୍ତି । ଯେଉଁଥିପାଇଁ ଏନ୍‍ସିଆରବିର ତଥ୍ୟ ମୁତାବକ ସାରା ଦେଶରେ ଭାରତୀୟ ପିଙ୍ଗଳକୋଡ୍‍ର ବିଭିନ୍ନ ଧାରାରେ ରୁଜୁ ଅପରାଧିକ ମାମଲା ଗୁଡିକରେ ଦଣ୍ଡବିଧାନ ହାର ୪୮.୮ ପ୍ରତିଶତ ରହୁଥିବାବେଳେ ଓଡିଶାରେ ତାହା ମାତ୍ର ୯.୩ ପ୍ରତିଶତରେ ସୀମିତ ।

ଏଠାରେ ଉଲ୍ଲେଖନୀୟ ଯେ ଅଭିଯୁକ୍ତ ଦୋଷମୁକ୍ତ ହେବା କ୍ଷେତ୍ରରେ ଶୀର୍ଷସ୍ଥାନରେ ବିହାର ଥିବାବେଳେ ତାହା ପଛକୁ ଓଡିଶା ରହୁଥିବା ସଦ୍ୟ ପ୍ରକାଶ ଏହି ରିପୋର୍ଟରୁ ଜଣାପଡିଛି । ଏହା ରାଜ୍ୟର ଆଇନ୍‍ଶୃଙ୍ଖଳା ପରିସ୍ଥିତି ଓ ଲୋକଙ୍କ ଧନଜୀବନ ସୁରକ୍ଷା କ୍ଷେତ୍ରରେ ବଡ ପ୍ରଶ୍ନବାଚୀ ହୋଇଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021