
କ୍ୟାପିଟାଲ୍ ହସ୍ପିଟାଲ୍ରେ ହାର୍ଟ ସର୍ଜରୀ ୟୁନିଟ୍ ଆରମ୍ଭ କରିବାକୁ ଯାଉଛନ୍ତି । ଫଳରେ ଏଠାରେ ହାର୍ଟ ଅପରେସନ୍, ଓପନ ହାର୍ଟ ସର୍ଜରୀ, କମ୍ପେକ୍ସ ଆଞ୍ଜିଓଗ୍ରାଫି, ଡିଭାଇସ୍ କ୍ଲୋଜର, ଇଲେକେଫ୍ରା ଫିଜିଓଲୋଜିକାଲ ଷ୍ଟଡି ସମ୍ଭବ ହୋଇପାରିବ ।
ଏଥି ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ କରାଯିବ । ଏଥି ପାଇଁ ଆବଶ୍ୟକୀୟ ଗୃହ ଉପଲବ୍ଧ ଥିବାବେଳେ, ଅପରେସନ୍ ଥିଏଟର ପାଇଁ ଆନୁଷଙ୍ଗିକ ଚିକିତ୍ସା ସରଞ୍ଜାମ ଓ ଯନ୍ତ୍ରପାତି ଖୁବ୍ଶୀଘ୍ର ବ୍ୟବସ୍ଥା କରାଯିବ । ଏବେ କ୍ୟାପିଟାଲ୍ ହସ୍ପିଟାଲ୍କୁ ଦୈନିକ ୩ ହଜାରରୁ ୩୫୦୦ ରୋଗୀ ବହିର୍ବିଭାଗରେ ଚିକିତ୍ସିତ ହେବା ପାଇଁ ଆସୁଥିବାବେଳେ, କାର୍ଡିଓଲୋଜି ବହିର୍ବଭାଗରେ ପ୍ରତିଦିନ ୧୦୦ରୁ ଅଧିକ ରୋଗୀ ଚିକିତ୍ସା ପରାମର୍ଶ ପାଇଁ ଆସୁଛନ୍ତି ।
କ୍ୟାପିଟାଲ୍ ହସ୍ପିଟାଲ୍ରେ ହାର୍ଟ ସର୍ଜରୀ କେନ୍ଦ୍ର ଖୋଲିବା ପୂର୍ବରୁ ସରକାର ଶ୍ରୀ ସତ୍ୟସାଇ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହାୟ ମେଡିକାଲ୍ ସାଇନ୍ସେସ୍, ବାଙ୍ଗାଲୁରୁର କାର୍ଡିଆକ୍ ସାଇନ୍ସେସ୍ ବିଭାଗର ଅଧ୍ୟକ୍ଷ ଡା. ପ୍ରଭାତ କୁମାର ଦାସଙ୍କୁ ଏଠାରେ ଯୋଗଦେବା ପାଇଁ ଅନୁରୋଧ କରିଥିଲେ ।
ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ଡା. ପ୍ରଭାତ କୁମାର ଦାସ ଭୁବନେଶ୍ୱର ପହଞ୍ଚିଥିଲେ । ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସଙ୍କ ସହ ଡା. ଦାସ କ୍ୟାପିଟାଲ୍ ହସ୍ପିଟାଲ୍ରେ ହାର୍ଟ ଅପରେସନ୍ ପାଇଁ ଚିହ୍ନଟ ସ୍ଥଳ ବୁଲି ଦେଖି, ସନ୍ତୋଷ ପ୍ରକାଶ କରିଥିଲେ ।
ଏଠାରେ ଖୁବ୍ ଶୀଘ୍ର ହାର୍ଟ ଅପରେସନ୍ ଆରମ୍ଭ ହେବ ବୋଲି ଡା. ଦାସ ମତ ଦେଇଥିଲେ । ଏଥି ପ୍ରତି ସରକାରଙ୍କ ଆନ୍ତରିକତା ରହିଛି ଓ ସାହାଯ୍ୟ ଓ ସହଯୋଗ ରହିଛି । ଖୁବ୍ଶୀଘ୍ର ଅପରେସନ୍ ଥିଏଟର ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ଫଳରେ ଏହା କାର୍ଡିଆକ୍ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପରିଣତ ହୋଇପାରିବ । ଏଠାରେ ଗୋଟିଏ ଅତିରିକ୍ତ କ୍ୟାଥ୍ ଲ୍ୟାବ୍ ପ୍ରତିଷ୍ଠା କରାଯିବା ଫଳରେ ଅଳ୍ପ ସମୟ ମଧ୍ୟରେ ଏଠାରେ ଜଟିଳ ଆଞ୍ଜିଓପ୍ଲାଷ୍ଟି, ଯେମିିତିକି ହାର୍ଟର ହୋଲ୍କୁ ବିନା ଅପରେସନ୍ରେ ବନ୍ଦ କରାଯାଇପାରିବ ।
ଏହା ସହିତ ହାର୍ଟର ଅନିୟମିତତା ସଂଚାଳନକୁ କରେଣ୍ଟ ଦେଇ ଠିକ୍ କରାଯାଇପାରିବା ଓ ଗୁରୁତର ହାର୍ଟ ରୋଗୀଙ୍କ ପାଇଁ ଓପନ୍ ହାର୍ଟ ସର୍ଜରୀ ଓ ଶିଶୁମାନଙ୍କ ହାର୍ଟ ସମ୍ବନ୍ଧୀୟ ଅସୁସ୍ଥତାର ମଧ୍ୟ ଚିକିତ୍ସା କରାଯାଇପାରିବ ।
ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ସରକାର କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ହାର୍ଟ ଅପରେସନ୍ ଥିଏଟର କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହୋଇ ଚିକିତ୍ସା ସେବା ଆରମ୍ଭ ହେବ, ଭବିଷ୍ୟତରେ ଆହୁରି ଦକ୍ଷ ହାର୍ଟ ବିଶେଷଜ୍ଞ ଏଠାରେ ଯୋଗଦେବେ, ସରକାର ହାର୍ଟକେୟାର କ୍ଷେତ୍ରରେ କ୍ୟାପିଟାଲ୍ ହସ୍ପିଟାଲ୍କୁ ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ କରିବାକୁ ସବୁପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଖୁବ୍ ଶୀଘ୍ର ଏ ସଂପର୍କରେ ଅନ୍ୟଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।
ଏହି ଅବସରରେ କ୍ୟାପିଟାଲ୍ ହସ୍ପିଟାଲ୍ର ନିର୍ଦ୍ଦେଶକ ଡା. ଆଶୋକ କୁମାର ପଟ୍ଟନାୟକ, ଡା. ଆର୍.ଏସ୍.ଏନ୍ ମୂର୍ତ୍ତି, ଡା. ପି.କେ. ରଥ ପ୍ରମୁଖ ଉପସ୍ଥିତ ଥିଲେ ।