
ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଏବେ ଅଧିକ ଘନୀଭୂତ ହୋଇ ୱେଲମାର୍କ ଲୋ ପ୍ରେସରର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ । ତେବେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପଟି ବାତ୍ୟାର ରୂପ ନେଲା ପରେ ଏହାର ପ୍ରଭାବ ଓଡିଶାରେ ପଡିବ କି ନାହିଁ ତାକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର୍ ଧରିଛି ।
ତେବେ ବାତ୍ୟାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଏହି ଭୟକୁ ଦୂର କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁସାରେ ଗତକାଲି ଯେଉଁ ଲଘୁଚାପ କ୍ଷେତ୍ରଟି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ତାହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗୋଟିଏ ଡିପ୍ରେସନରେ ପରିଣତ ହୋଇଛି । ଏହା ପାରାଦୀପଠାରୁ ପ୍ରାୟ ୯୫୦ କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି ।
ତେବେ ଆଶା କରାଯାଉଛି କି ଏହା ପ୍ରଥମତଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଓ ତା’ପରେ ଉତ୍ତର-ଉତ୍ତରପଶ୍ମିମ ଦିଗରେ ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନର ରୂପ ନେବ । ତେବେ ଏହା ବାତ୍ୟାର ରୂପ ନେଲେ ଏହା ଓଡିଶା କି ପଶ୍ଚିମବଙ୍ଗରେ ମାଡ ହେବ ଏନେଇ ଆସନ୍ତା ୨୪ ଘଣ୍ଟାରେ ସ୍ପଷ୍ଟ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସେହିଭଳି ବାତ୍ୟାର ରୂପ ନେବାପରେ ଏହା କେଉଁ ଦିଗକୁ ଗତି କରିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ଫନି ପରି ଏହା ସେତେଟା ଶକ୍ତିଶାଳୀ ହେବାର ଆଶଙ୍କା କମ୍ ବୋଲି ସେ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଆସନ୍ତା ୯, ୧୦ ଓ ୧୧ ତାରିଖ ବେଳକୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବ । ସକାଳେ ପବନର ବେଗ ୪୦ରୁ ୫୦ କିମି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନେ ୮ ତାରିଖ ସୁଦ୍ଧା ଫେରି ଆସିବା ଦରକାର ।
ବାତ୍ୟା ଖବର ଶୁଣି ଲୋକମାନେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ଲଘୁଚାପ ଯଦି ବାତ୍ୟାର ରୂପ ନିଏ ତେବେ ତାହାର ନାମ ବୁଲବୁଲ୍ ରହିବ । ଏହି ବାତ୍ୟା ଆଗକୁ କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ତାହା ଏବେ କହିବା ସମ୍ଭବ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।