ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଦିବ୍ୟାଙ୍ଗଙ୍କ ପାଇଁ ନିଯୁକ୍ତି ମେଳା

ଦିବ୍ୟାଙ୍ଗମାନଙ୍କ ପାଇଁ ରାଜଧାନୀରେ ଆୟୋଜିତ ହେବ ନିଯୁକ୍ତି ମେଳା । ଶାନ୍ତିଧାମ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ମେଳାକୁ ଦେଶ ବିଦେଶର ୩୦ଟି ଆଇଟି କମ୍ପାନୀ ଆସିବେ । ଏଥି ମଧ୍ୟରେ ଆମେରିକାର ଦୁଇଟି ଆଇଟି କମ୍ପାନୀ ଥିବା ଫାଉଣ୍ଡେସନର ମୁଖ୍ୟ ସୌଭାଗ୍ୟ ରାଉତରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଏସ୍‍ଟିପିଆଇ ସମେତ ନାସକମ୍‍, ଆଇଟିଏଓ ଭଳି ସଂସ୍ଥାର ସହଯୋଗରେ ପ୍ରଥମଥର ପାଇଁ ଏଭଳି ନିଯୁକ୍ତି ମେଳା ଆୟାଜନ କରାଯାଉଛି । ଏହାଦ୍ୱାରା ଦିବ୍ୟାଙ୍ଗମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସହିତ ସେମାନଙ୍କ ପାଇଁ ନୂତନ ସମ୍ଭାବନା ଆସିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

ନଭେମ୍ବର ୭ ତାରିଖ ସକାଳ ୧୦ଟାରୁ ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଏହି ନିଯୁକ୍ତି ମେଳା ଆୟୋଜିତ ହେବ । ଆଗରୁ ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିବା ନିମନ୍ତେ ଆବେଦନ କରିଥିବା ପ୍ରତ୍ୟାଶୀମାନଙ୍କ ସହ ଉକ୍ତ ଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଉପଯୁକ୍ତ ପ୍ରମାଣପତ୍ର ସହ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିବା ନିମନ୍ତେ ରେଜିଷ୍ଟ୍ରେସନ କରି ପାରିବେ ବୋଲି ଫାଉଣ୍ଡେସନ ତରଫରୁ ସଭାପତି ଡ. ଅମ୍ବିକା ଦାସ ପ୍ରକାଶ କରିଛନ୍ତି । ହ୍ୱାଟସ୍‌ଆପ୍‌ ନମ୍ବର -୮୪୮୦୩୪୨୨୭୦ ମାଧ୍ୟମରେ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ବାଇଓଡାଟା ଓ ପ୍ରମାଣପତ୍ର ପ୍ରେରଣ କରି ରେଜିଷ୍ଟ୍ରେସନ କରିପାରିବେ ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ଦିବ୍ୟାଙ୍ଗ/ଭିନ୍ନକ୍ଷମମାନଙ୍କ ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ  ଓ ଅଭିବୃଦ୍ଧି ନିମନ୍ତେ ‘ଝୁମ୍‌ ଇଣ୍ଡିଆ’ ତୃତୀୟ ସଂସ୍କରଣ ଶାନ୍ତିଧାମ ଫାଉଣ୍ଡେସନ ଆନୁକୂଲ୍ୟରେ ଭୁବନେଶ୍ୱରରେ ନଭେମ୍ବର ୭ ଓ ୮ ତାରିଖରେ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଚିତ୍ରାଙ୍କନ, ଅଭିନୟ, ଅନୁକରଣ ଏବଂ ନୃତ୍ୟ, ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଝୁମ୍‌ ଇଣ୍ଡିଆର ତୃତୀୟ ସଂସ୍କରଣରେ ଅଂଶ ଗ୍ରହଣ କରିବା ନିମନ୍ତେ ସାରା ଦେଶରୁ ଆବେଦନ କରିଥିବା ୧୮୦୦ରୁ ଉର୍ଦ୍ଧ୍ୱ ପ୍ରତିଭାବାନ ଦିବ୍ୟାଙ୍ଗ/ଭିନ୍ନକ୍ଷମ ଯୁବକଯୁବତୀମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ସେମାନଙ୍କ ନୃତ୍ୟ, ସଙ୍ଗୀତ ଓ କଳାନୈପୂଣ୍ୟ ପ୍ରଦର୍ଶନ ନିମନ୍ତେ ମନୋନୀତ କରାଯାଇଛି । ଦିବ୍ୟାଙ୍ଗ/ଭିନ୍ନକ୍ଷମମାନଙ୍କର ପ୍ରତିଭାର ପ୍ରଦର୍ଶନ ଓ ପ୍ରୋତ୍ସାହନ ନିମନ୍ତେ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ । ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବା ସହ ସେମାନଙ୍କ ପ୍ରତିଭାର ଅଭିବୃଦ୍ଧି ନିମନ୍ତେ ଅନୁଷ୍ଠାନ ତରଫରୁ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ।

ନଭେମ୍ବର ୮ ତାରିଖ ସଂଧ୍ୟାରେ ଇଷ୍ଟକୋଷ୍ଟ ରେଲୱେ ଅଡିଟୋରିୟମ୍‌ରେ ଦିବ୍ୟାଙ୍ଗମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ ଏବଂ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏହି ଅବସରରେ ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରି ସୁନାମ ଅର୍ଜନ କରିଥିବା ୫ ଜଣ ଶ୍ରେଷ୍ଠ ଦିବ୍ୟାଙ୍ଗ ଯୁବକଯୁବତୀଙ୍କୁ ଜାତୀୟ ପୁରସ୍କାର ମୁଖ୍ୟ ଅତିଥି ପ୍ରଦାନ କରିବେ ବୋଲି ଶାନ୍ତିଧାମ ଫାଉଣ୍ଡେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସୌଭାଗ୍ୟ ରାଉତରାୟ ସୂଚନା ଦେଇଛନ୍ତି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶାନ୍ତିଧାମ ଫାଉଣ୍ଡେସନ୍‌ର ଜାତୀୟ ମୁଖ୍ୟ କୋମାଲିକା ଚକ୍ରବର୍ତ୍ତୀ, ଅପରେସନ୍‌ ହେଡ୍‌ ଲିଲୁ ରାଉତରାୟ, କୋର କମିଟି ମୁଖ୍ୟ ସୂର୍ଯ୍ୟ ମହାନ୍ତି ଏବଂ ଯୁଗ୍ମସଂପାଦକ ଗୁରୁପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021