
ଅଭୟାରଣ୍ୟ ଓ ହାତୀ କରିଡର ପାଇଁ ଖଣି ଖାଦାନ ବିପଦ ସୃଷ୍ଟି କରୁଥିବାରୁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ଉଦ୍ବେଗପ୍ରକାଶ କରିବା ସଂଗେ ସଂଗେ ଓଡିଶା ସରକାର ଓ ବିଶେଷକରି ବାଲେଶ୍ୱର ଜିଲ୍ଳାପାଳ ଏ ପ୍ରସଙ୍ଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭୟାରଣ୍ୟ ଓ ହାତୀ କରିଡର ଅଞ୍ଚଳ ଭିତରେ ତଥା ଏହାର ଆଖପାଖରେ ଖଣି ଖାଦାନ କାର୍ଯ୍ୟ ଚାଲୁଥିବାରୁ ଅଭୟାରଣ୍ୟର ଜୀବଜନ୍ତୁ କ୍ଷତିଗ୍ରସ୍ତ ହେବା ସଂଗେ ସଂଗେ ହାତୀମାନଙ୍କ ଅବାଧ ଚଳପ୍ରଚଳରେ ବାଧା ଉପୁଜୁଛି ବୋଲି ଉଲ୍ଲେଖକରି ରୋଜ୍ ଓ ଆଶା ନାମକ ଦୁଇଟି ସ୍ୱେଚ୍ଛାସେବୀ ସଂଗଠନ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲର ନୂଆଦିଲ୍ଲୀ ସ୍ଥିତ ପ୍ରମୁଖ ବେଞ୍ଚରେ ମାମଲା ରୁଜୁ କରିଥିଲେ । ଗ୍ରିନ୍ ଟ୍ରିବ୍ୟୁନାଲର ବିଚାର ବିଭାଗୀୟ ସଦସ୍ୟ ଜଷ୍ଟିସ୍ ଏସ୍.ପି.ୱାଙ୍ଗଡି ଓ ବିଶେଷଜ୍ଞ ସଦସ୍ୟ ଡକ୍ଟର ସତ୍ୟବାନ ସିଂହ ଦିର୍ବିୟାଲଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ପ୍ରାଥମିକ ଶୁଣାଣି ପରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ।
କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟ ସହିତ ଶିମିଳିପାଳ-ହଦଗଡ-କୁଲୁଡିହା ହାତୀ କରିଡର ଅଞ୍ଚଳରେ ଓ ଏହାର ଆଖପାଖ ସ୍ଥାନରେ ଯେପରି ଖଣି ଖନନ ଚାଲୁଛି ସେଥିଘେନି ଗ୍ରିନ୍ ଟ୍ରିବ୍ୟୁନାଲ ଚିନ୍ତାବ୍ୟକ୍ତ କରିଛନ୍ତିି । ଏ ପ୍ରସଙ୍ଗରେ ପୂର୍ବରୁ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପିସିସିଏଫ୍ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଓକିଲ ଉତ୍ତର ଦାଖଲ ପାଇଁ ଅଧିକ ସମୟ ଚାହିଁଥିଲେ । ଏହି ଅଞ୍ଚଳରେ ୯୭ଟି ପଥରଖଣି ଚାଲିଥିବା ପିସିସିଏଫ୍ଙ୍କ ରିପୋର୍ଟରେ ଉଲ୍ଲେଖ ଅଛି । ଏଥିଯୋଗୁଁ ହାତୀଙ୍କ ଚଳପ୍ରଚଳ ବାଧାପ୍ରାପ୍ତ ହେବା ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡୁଥିବା ସେ ସ୍ୱୀକାର କରିଛନ୍ତି ।
ତେଣୁ ଏଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ବିଧି ବ୍ୟବସ୍ଥା ଅନୁଯାୟୀ ଯେପରି ଖଣି ଖାଦାନ ବନ୍ଦ ରୁହେ ସେ ଦିଗରେ ଦୃଷ୍ଟି ଦେବାପାଇଁ ଗ୍ରିନ୍ ଟ୍ରିବ୍ୟୁନାଲ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଏହି ଅଭୟାରଣ୍ୟ ଓ ହାତୀ କରିଡର ତଥା ଏହାର ଆଖପାଖ ଅଞ୍ଚଳରେ ଖଣି ଖନନ କାର୍ଯ୍ୟ ନକରିବା ସହିତ ପିସିସିଏଫ୍ ତାଙ୍କ ରିପୋର୍ଟରେ ଯେଉଁସବୁ ସୁପାରିଶ୍ କରିଛନ୍ତି ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବାଲାଗି ଗ୍ରିନ୍ ଟ୍ରିବ୍ୟୁନାଲ ମତ ଦେଇଛନ୍ତି ।
ପିସିସିଏଫ୍ ତାଙ୍କ ରିପୋର୍ଟରେ ସମ୍ପୃକ୍ତ ଅଞ୍ଚଳର ବୃକ୍ଷରୋପଣ ସହିତ ଲଣ୍ଡା ପାହାଡ ଗୁଡିକୁ ସବୁଜ କରିବା ପାଇଁ କାମ୍ପା ଓ ଅନ୍ୟାନ୍ୟ ପାଣ୍ଠିର ବ୍ୟବହାର ପାଇଁ ସୁପାରିଶ୍ କରିଛନ୍ତି । କେବଳ ବାଲେଶ୍ୱର ନୁହେଁ ଏହି ଅଭୟାରଣ୍ୟ ଓ ହାତୀ କରିଡର ମୟୁରଭଞ୍ଜ ଜିଲ୍ଲାର ବ୍ୟାପକ ଅଞ୍ଚଳରେ ବି ରହିଛି । ତାହାର ସୁରକ୍ଷା ଲାଗି ବାଲେଶ୍ୱର ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବା ସହିତ ରାଜ୍ୟ ସରକାର ମାସକ ମଧ୍ୟରେ ସତ୍ୟପାଠସହ ଗ୍ରିନ୍ ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।