ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଦଣ୍ଡ ହାର ୧୦ ପ୍ରତିଶତରୁ କମ୍‍


ଭାରତୀୟ ପିଙ୍ଗଳ କୋଡ୍‍ର ବିଭିନ୍ନ ଅପରାଧିକ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ୧୦ ପ୍ରତିଶତରୁ କମ୍‍ ରହୁଛି । ବିହାରକୁ ବାଦ୍‍ ଦେଲେ ଦେଶର ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ଏ କ୍ଷେତ୍ରରେ ଓଡିଶା ପଛରେ ରହିଛି ।

ସଦ୍ୟ ପ୍ରକାଶିତ ଏନ୍‍ସିଆରବି ରିପୋର୍ଟରୁ ତଥ୍ୟରୁ ଏହା ଜଣାପଡିଛି । ୨୦୧୯ ଅକ୍ଟୋବର ମାସରେ କ୍ରାଇମ୍‍ ଇନ୍‍ ଇଣ୍ଡିଆ - ୨୦୧୭ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସାରା ଦେଶରେ ଆଇପିସି ମାମଲା ଗୁଡିକରେ ଦଣ୍ଡବିଧାନ ହାର ୪୮.୮ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୯.୩ ପ୍ରତିଶତରେ ସୀମିତ ଅଛି । ୨୦୧୬ ମସିହା ଶେଷ ସୁଦ୍ଧା ୪,୬୮,୯୫୭ ଆଇପିସି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ୨୦୧୭ରେ ୬୯,୧୮୨ ମାମଲା ବିଚାର ପାଇଁ ଆସିଥିଲା ।

ମୋଟାମୋଟି ଭାବେ ୨୦୧୭ ଶେଷସୁଦ୍ଧା ୫,୩୮,୧୩୯ଟି ଆଇପିସି ମାମଲା ଓଡିଶାରେ ବିଚାର ପାଇଁ ଥିବାବେଳେ ଏଥିରୁ ମାତ୍ର ୨୦,୪୩୦ଟି ମାମଲା ଫଏସଲା ହୋଇଛି । ଏହାପରେ ୨୦୧୮ ଆରମ୍ଭ ବେଳକୁ ଓଡିଶାର ବିଭିନ୍ନ ଅଦାଲତରେ ୫,୧୭,୭୦୯ ଆଇପିସି ମାମଲା ବିଚାର ପାଇଁ ବାକି ରହିଥିଲା । ମୋଟାମୋଟି ଭାବେ ୨୦୧୭ ଶେଷସୁଦ୍ଧା ମୋଟ୍‍ ମାମଲାର ୯୬.୨ ପ୍ରତିଶତ ବିଚାର ପାଇଁ ବଳକା ରହିଥିବା ଏହି ରିପୋର୍ଟରେ ଦର୍ଶଯାଇଛି ।


ଦଣ୍ଡବିଧାନ ହାର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ୨୦୧୭ ବର୍ଷରେ ମାତ୍ର ୧୮୯୩ଟି ମାମଲାରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହୋଇଥିବାବେଳେ ଏହାର ପାଖାପାଖି ୧୦ଗୁଣ ଅର୍ଥାତ୍‍ ୧୮,୫୩୫ ମାମଲାରେ ଅଦାଲତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛି । ଏଥିରୁ ରାଜ୍ୟରେ ଅପରାଧିଙ୍କ ପ୍ରତି ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ ଥିବା କୁହାଯାଉଛି । ତେବେ ଆମ ରାଜ୍ୟପାଇଁ ଆଶ୍ୱାସନାର ବିଷୟ ହୋଇଛି ଯେ ବିହାରରେ ଆଇପିସି ମାମଲାରେ ଦଣ୍ଡବିଧାନ ହାର ୬.୯ ପ୍ରତିଶତ ଥିବାବେଳେ ଓଡିଶାରେ ତାହା ୯.୩ ପ୍ରତିଶତ ଅଛି ।


ଏଭଳି ମାମଲାରେ ମିଜୋରାମରେ ଦଣ୍ଡବିଧାନ ହାର ୯୪, ନାଗାଲ୍ୟାଣ୍ଡରେ ୮୦, ଉତ୍ତରପ୍ରଦେଶରେ ୭୧, ଉତ୍ତରାଖଣ୍ଡରେ ୬୦, ତାମିଲନାଡୁରେ ୫୮, ରାଜସ୍ଥାନରେ ୫୫, ମଣିପୁରରେ ୮୦, କେରଳରେ ୮୪, କର୍ଣ୍ଣାଟକରେ ୫୪, ଛତିଶଗଡରେ ୫୧ ଓ ଆନ୍ଧ୍ରପ୍ରଦେଶରେ ୪୯ ପ୍ରତିଶତରୁ ଅଧିକ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୬ ବର୍ଷରେ ଆଇପିସି ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ୧୦.୪ ପ୍ରତିଶତ ଥିବାବେଳେ ସର୍ବଭାରତୀୟ ସ୍ତରରେ ଏହା ୪୬.୮ ପ୍ରତିଶତ ଥିଲା । ଏହି ଦୁଇବର୍ଷ ମଧ୍ୟରେ ଜାତୀୟ ସ୍ତରରେ ଆଇପିସି ମାମଲାରେ ଦଣ୍ଡ ବିଧାନ ହାର ବଢିଥିବାବେଳେ ଓଡିଶାରେ ଏହା ହ୍ରାସ ପାଇଛି ।


ଏଠାରେ ଉଲ୍ଲେଖନୀୟ ଯେ ବର୍ଷକୁ ବର୍ଷ ଆମ ରାଜ୍ୟରେ ଓ ସାରା ଦେଶରେ ଅପରାଧିକ ମାମଲାମାନ ଜନସଂଖ୍ୟା ବୃଦ୍ଧି ସହ ତାଳ ଦେଇ ବଢିଚାଲିଛି । ତେବେ ମାମଲା ଫଏସଲାରେ ଅହେତୁକ ବିଳମ୍ବ, ତଦନ୍ତ ପ୍ରକ୍ରିୟାରେ ତ୍ରୁଟି, ତ୍ରୁଟିପୂର୍ଣ୍ଣ ମାମଲା ପରିଚାଳନା, ଆକ୍ରୋଶମୂଳକ ଭାବେ ମିଥ୍ୟା ମାମଲା ରୁଜୁ ଏବଂ ବିଶେଷକରି ବ୍ୟବସ୍ଥାରେ ଲାଗି ରହିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ତଥା ଅନ୍ୟାନ୍ୟ କାରଣ ଯୋଗୁଁ ମାମଲା ଫଏସଲାରେ ବିଳମ୍ବ ସହ ଅଭିଯୁକ୍ତମାନେ ଅଧିକାଂଶ ମାମଲାରେ ଖସିଯାଉଛନ୍ତି । ଏହା ସାଧାରଣ ଲୋକଙ୍କ ଧନଜୀବନ ପ୍ରତି ପ୍ରଶ୍ନବାଚୀ ଏବଂ ପୁଲିସ୍‍ ପ୍ରଶାସନ ପାଇଁ ମଧ୍ୟ ଆହ୍ୱାନର କାରଣ ହୋଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021