
ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍) ର ଆର୍ଥିକ ଅବସ୍ଥା ଦୁବିସହ ହୋଇ ପଡିଥିବା ଯୋଗୁଁ ଏହା ବକେୟା ବିଜୁଳି ଦେୟ ଦେଇପାରୁ ନାହିଁ । ସେଥିପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଦେୟ ଆଦାୟ କ୍ଷେତ୍ରରେ ମହଲତ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ଅନୁରୋଧ କରାଯାଇଛି । ବିଜୁଳି ବଣ୍ଟନକାରୀ କମ୍ପାନୀମାନେ ବାରମ୍ବାର ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷଙ୍କୁ ବକେୟା ବିଜୁଳି ଦେୟ ପ୍ରଦାନ ପାଇଁ ତାଗିଦ କରୁଛନ୍ତି । ହେଲେ ଏହି ରାଷ୍ଟ୍ରାୟତ ସଂସ୍ଥାର ଆର୍ଥିକ ଅବସ୍ଥା ଗୁରୁତର ହୋଇ ପଡିଥିବା ଯୋଗୁଁ ଦେୟ ପଇଠ କରିବା କ୍ଷେତ୍ରରେ କର୍ତ୍ତୃପକ୍ଷ ଅସମର୍ଥ ହେଉଛନ୍ତି ।
ବିଏସ୍ଏନ୍ଏଲ୍ ସବୁଠାରୁ ବେଶି ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଉପଲବ୍ଧ କରାଉଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦେଶରେ ୨୩ହଜାର ଗ୍ରାମାଞ୍ଚଳ ଟେଲିଫୋନ୍ ଏକ୍ସଚେଞ୍ଜ କାର୍ଯ୍ୟ କରୁଛି । ଟେଲିଫୋନ୍ ଏକ୍ସଚେଞ୍ଜ ଗୁଡିକୁ ଚଳାଇ ରଖିବା ବିଏସ୍ଏନ୍ଏଲ୍ ପକ୍ଷରେ କାଠିକରପାଠ ହୋଇଯାଉଛି । କାରଣ ଏଥିପାଇଁ ସମ୍ବଳର ଘୋର ଅଭାବ ରହିଛି ।
ଏହାବାଦ୍ ଦୁର୍ଗମ ଇଲାକାରେ ଟାୱାର ବସାଇ ମୋବାଇଲ୍ ସେବା ପ୍ରଦାନ କ୍ଷେତ୍ରରେ ବିଏସ୍ଏନ୍ଏଲ୍ ସବୁଠାରୁ ଆଗରେ ରହିଛି । ତେଣୁ ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀମାନେ ଟେଲିଫୋନ୍ ଏକ୍ସଚେଞ୍ଜ, ବିଏସ୍ଏନ୍ଏଲ୍ ଟାୱାର ତଥା ଅନ୍ୟାନ୍ୟ ଦପ୍ତର ଗୁଡିକୁ ବିଜୁଳି ସରବରାହ ଜାରି ରଖିବାପାଇଁ ବ୍ୟବସ୍ଥା କରିବା ଉପରେ କେନ୍ଦ୍ର ଯୋଗାଯୋଗ ସଚିବ ଅଂଶୁ ପ୍ରକାଶ ଗୁରୁତ୍ୱଆରୋପ କରିଛନ୍ତି । ସେ କହିଛନ୍ତି ଯେ ଇତି ମଧ୍ୟରେ କେନ୍ଦ୍ର ସରକାର ବିଏସ୍ଏନ୍ଏଲ୍କୁ ଆର୍ଥିକ ଦୁଃସ୍ଥିତିରୁ ଉଦ୍ଧାର କରିବାପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଣୁ ଆଗାମୀ ମାର୍ଚ୍ଚମାସ ପର୍ଯ୍ୟନ୍ତ ଦେୟ ଆଦାୟ କ୍ଷେତ୍ରରେ ମହଲତ ପ୍ରଦାନ କରିବାକୁ ଶ୍ରୀ ଅଂଶୁ ପ୍ରକାଶ ଅନୁରୋଧ କରିଥିବା ଜଣାଯାଇଛି ।
ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷଙ୍କୁ ଆଗାମୀ ମାର୍ଚ୍ଚ ଶେଷ ସୁଦ୍ଧା ମହଲତ ଦେବା ସଂଗେ ସଂଗେ ଯେତିକି ବକେୟା ଦେୟ ରହିଛି ତାହାକୁ ୪ଗୋଟି କିସ୍ତିରେ ପଇଠ କରିବା ନିମନ୍ତେ ସୁଯୋଗ ଦେବାକୁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେଣୁ ଅପ୍ରେଲ ପହିଲା ପରେ ବର୍ଷକ ମଧ୍ୟରେ ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷ ବକେୟା ଦେୟ ପଇଠ କରିବାକୁ ପ୍ରସ୍ତାବ ଦେଇଛନ୍ତି ।
ଶକ୍ତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷଙ୍କୁ ବକେୟା ଦେୟ ଦେବାକୁ ଅନୁରୋଧ କରାଯାଉଛି । କିନ୍ତୁ କୌଣସି ପରିସ୍ଥିତିରେ ବିଜୁଳି ସଂଯୋଗ ଛିନ୍ନ କରାଯିବ ନାହିଁ । କେନ୍ଦ୍ର ସରକାରଙ୍କ ଅନୁରୋଧ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି । କାରଣ ବିଜୁଳି ଛିନ୍ନ କରାଗଲେ ଲକ୍ଷାଧିକ ଟେଲିଫୋନ୍ ଗ୍ରାହକ ସେବାରୁ ବଞ୍ଚିତ ହେବେ । ଏହାଛଡା ପ୍ରାକୃତିକ ଦୁର୍ବିପାକ ସମୟରେ ବିଏସ୍ଏନ୍ଏଲ୍ ଯେଭଳି ସହାୟତାର ହାତ ବଢାଇଥାଏ ତାହାକୁ ଦୃଷ୍ଟିରେ ରଖି ସରକାର କୌଣସି ପରିସ୍ଥିତିରେ ବକେୟା ଦେୟ ଆଦାୟ ପାଇଁ ବିଜୁଳି ସଂଯୋଗ ଛିନ୍ନ କରିବେନାହିଁ ।
ତେବେ ଆର୍ଥିକ ସ୍ଥିତି ସୁଧୁରିବା ମାତ୍ରେ ସଂଗେ ସଂଗେ ଦେୟ ପଇଠ କରିଦେବା ଉପରେ ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷ ଗୁରୁତ୍ୱଦେବା ଉଚିତ୍ ବୋଲି ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଥିବା ଜଣାଯାଇଛି ।