
ବିଜୁ ଜନତାଦଳ ଏବର୍ଷ ୪୧ଲକ୍ଷ ସଭ୍ୟ ସଂଗ୍ରହ କରିସାରିଥିବାବେଳେ ଭାରତୀୟ ଜନତାପାର୍ଟି ଓଡିଶାରେ ୫୦ଲକ୍ଷରୁ ଅଧିକ ସଦସ୍ୟ ସଂଗ୍ରହ କଲାଣି ବୋଲି ଉଭୟ ଦଳ ଦାବି କରୁଛନ୍ତି । ସେମାନଙ୍କ ସଭ୍ୟ ସଂଗ୍ରହ ଅଭିଯାନ ଅବ୍ୟାହତ ରହିଥିବାବେଳେ ଅନ୍ୟତମ ଜାତୀୟଦଳ କଂଗ୍ରେସର ରାଜ୍ୟଶାଖା କିନ୍ତୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷାକରି ବସିଛି ।
ଗାନ୍ଧୀଜୟନ୍ତୀରୁ ସର୍ଦ୍ଦାର ପଟେଲ ଜୟନ୍ତୀ ପର୍ଯ୍ୟନ୍ତ ବିଜୁ ଜନତାଦଳ ମାସବ୍ୟାପି ପଦଯାତ୍ରା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ କରିଛି । ତଥାପି ବି ଦଳର ସଭ୍ୟ ସଂଗ୍ରହ ଅଭିଯାନର ସମୟସୀମା ଆଉ ତିନିମାସ ବଢାଇ ଦିଆଯାଇଛି । ଆଜି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଉଦ୍ଯାପନ କରିଥିବାବେଳେ ଦଳ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏଯାବତ୍ ୪୧ଲକ୍ଷ ସଦସ୍ୟ ସଂଗ୍ରହ ସରିଛି । ସଦସ୍ୟ ସଂଗ୍ରହ ସମୟସୀମା ବଢାଯାଇଥିବାରୁ ଏହା ୭୦ଲକ୍ଷ ଟପିପାରେ ବୋଲି ଆଶା କରାଯାଉଛି ।
ଅନ୍ୟ ପକ୍ଷରେ ଅନ୍ୟତମ ଜାତୀୟଦଳ ବିଜେପି ଗତ ଜୁଲାଇ ୬ ତାରିଖରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନରୁ ରାଜ୍ୟରେ ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିଛି । ଏଯାବତ୍ ମିଳିଥିବା ତଥ୍ୟ ଅନୁଯାୟୀ ୫୦ଲକ୍ଷରୁ ଅଧିକ ସଦସ୍ୟ ସଂଗ୍ରହ କରିବାରେ ବିଜେପି ସଫଳ ହୋଇଛି ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦିପ୍ତ ରାୟ କହିଛନ୍ତି । ତେବେ ଦଳର ସଦସ୍ୟ ସଂଗ୍ରହ ଅଭିଯାନ ଅବ୍ୟାହତ ରହିଥିବା ପରିପ୍ରେକ୍ଷୀରେ ଏହା ୭୫ଲକ୍ଷ ଟପିପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ବିଜେପିର ସୂଚନା ମୁତାବକ ରାଜ୍ୟର ୩୭,୬୦୬ ବୁଥ୍ରୁ ଏଯାବତ୍ ୨୨ହଜାରରୁ ଅଧିକଟିରେ ବୁଥ୍ କମିଟି ଗଠନ କରାଯାଇ ସାରିଛି ଏବଂ ଡିସେମ୍ବର ସୁଦ୍ଧା ସବୁ ବୁଥ୍ରେ କମିଟି ଗଠନ ଶେଷ ହେବ । ଏହି ପ୍ରକ୍ରିୟାରେ ବିଜେପି ପୌର ନିର୍ବାଚନ ପାଇଁ ପ୍ରସ୍ତୁତିପର୍ବ ଚଳାଇଛି ।
ବିଜେଡି ସୂତ୍ରରୁ ପ୍ରକାଶ ଯେ ରାଜ୍ୟର ସମସ୍ତ ବୁଥ୍ ଓ ୱାର୍ଡ ସ୍ତରରେ ଏହି ଦଳର ସ୍ଥାନୀୟ କମିଟି ରହିଛି ଏବଂ ସାଂଗଠନିକ ନିର୍ବାଚନ ପରେ ଏହି କମିଟି ଗୁଡିକ ଅଧିକ ସକ୍ରିୟ ହେବେ । ଯେକୌଣସି ମୂହୂର୍ତ୍ତରେ ପୌର ନିର୍ବାଚନ ହେଲେ ବିଜେଡି ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ବିଜେଡି ଓ ବିଜେପି ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବା ସହିତ ବୁଥ୍ସ୍ତରୀୟ କମିଟି ଗଠନ ଉପରେ ଜୋର ଦେଉଥିବାବେଳେ ଦେଶର ସର୍ବପୁରାତନ ରାଜନୈତିକଦଳ କଂଗ୍ରେସର ଓଡିଶା ଶାଖା ଏ କ୍ଷେତ୍ରରେ ବହୁ ପଛରେ ପଡିଥିବାଭଳି ମନେ ହେଉଛି । ଦଳର ଆଭ୍ୟନ୍ତରୀଣ ଗୋଷ୍ଠିକନ୍ଦଳ ଛିଣ୍ଡିବା ପରିବର୍ତ୍ତେ ବଢି ଚାଲୁଥିବା ପରିପ୍ରେକ୍ଷୀରେ ସାଂଗଠନିକ କ୍ଷେତ୍ରରେ କଂଗ୍ରେସ ଢେର ପଛରେ ପଡିଛି । ଏ ପରିପ୍ରେକ୍ଷୀରେ ପୌର ନିର୍ବାଚନ ଘୋଷଣା ହେଲେ ଦୁର୍ବଳ ସାଂଗଠନିକ ଭିତ୍ତିଭୂମିକୁ ନେଇ କଂଗ୍ରେସ କିପରି ଲଢିବ ସେଥିଘେନି କର୍ମୀମାନଙ୍କ ମଧ୍ୟରେ ସଂଶୟ ବଢୁଥିବାବେଳେ ପିସିସି ପ୍ରସଙ୍ଗରେ ରାଜ୍ୟସ୍ତରୀୟ ନେତାମାନେ ହାଇକମାଣ୍ଡଙ୍କ ଆଦେଶକୁ ଅନାଇ ବସିଛନ୍ତି ।