ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଖୁବ୍‍ଶୀଘ୍ର ଇଭି ନୀତି


ରାଜ୍ୟ ସରକାର ନୂଆ ବିଦ୍ୟୁତ୍‍ ଚାଳିତ ଗାଡି (ଇଭି) ନୀତି ପ୍ରସ୍ତୁତ ଉପରେ କାର୍ଯ୍ୟ କରୁଥିବାବେଳେ ପୁଞ୍ଜିନିବେଶକାରୀମାନଙ୍କୁ ରିହାତି ପ୍ରଦାନ ଲାଗି ବିଭାଗମାନେ ପ୍ରସ୍ତୁତି ଚଳାଇଛନ୍ତି । ରାଜ୍ୟ ସରକାର ନୂତନ ଇଭି ନୀତି ପାଇଁ ସ୍ଥିର କରିଛନ୍ତି ଯାହା ଫଳରେ ରାଜ୍ୟ ଭିତରେ ଏହି ଧରଣର ଗାଡି ଉତ୍ପାଦନ ହୋଇପାରିବ ।

୨୦୩୦ ସୁଦ୍ଧା ଶତ ପ୍ରତିଶତ ବିଦ୍ୟୁତ୍‍ ଚାଳିତ ଗାଡି ଚଳାଚଳ ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ସେହି ଆଧାରରେ ରାଜ୍ୟ ସରକାର ଇଭି ନୀତି ପ୍ରସ୍ତୁତ କରୁଛନ୍ତି ଯାହାକି ଖୁବ୍‍ଶୀଘ୍ର ଚୂଡାନ୍ତ ହେବ । ଇତି ମଧ୍ୟରେ ଦେଶର ପାଞ୍ଚଟି ରାଜ୍ୟ ଯଥା ତାମିଲନାଡୁ, କର୍ଣାଟକ, ଆନ୍ଧ୍ର ୍ରପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀ ଇଭି ନୀତିକୁ ଆପଣେଇଛନ୍ତି । ଏଭଳି ପରିବେଶ ଅନୁକୂଳ କାର୍ଯ୍ୟ ଲାଗି ପ୍ରତ୍ୟେକ ରାଜ୍ୟ ଇଭି ନୀତି ପ୍ରସ୍ତୁତ ଲାଗି ନୀତି ଆୟୋଗ ଅନୁରୋଧ କରିଛନ୍ତି ।

ବାଣିଜ୍ୟ ଓ ପରିବହନ, ଅର୍ଥ, ଶକ୍ତି, ଶିଳ୍ପ ଏବଂ ଏମ୍‍ଏସ୍‍ଏମ୍‍ଇର ବରିଷ୍ଠ ଅଧିକାରୀମାନେ ସମ୍ପୃକ୍ତ ଉଦ୍ୟୋଗକୁ ପ୍ରୋତ୍ସାହନ ଓ ସବ୍‍ସିଡ୍‍ ପ୍ରଦାନ ଉପରେ କାର୍ଯ୍ୟ କରୁଛନ୍ତି । ସର୍ବସାଧାରଣ ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ପୁଞ୍ଜି ଉପରେ ସବ୍‍ସିଡ୍‍, କାରଖାନା ଓ ଯନ୍ତ୍ରପାତି ପାଇଁ ସୁଧ ଉପରେ ସବ୍‍ସିଡ୍‍ ଏବଂ ବ୍ୟାଟେରି ସ୍ୱାପିଙ୍ଗ୍‍ ଅପରେଟରମାନଙ୍କୁ ରାଜ୍ୟ ଜିଏସ୍‍ଟି ଫେରସ୍ତ ଦେବାପାଇଁ କାର୍ଯ୍ୟ ଚାଲିଛି । ନିର୍ଦ୍ଦିଷ୍ଟ ସମୟ ପାଇଁ ଶତ ପ୍ରତିଶତ ରାଜ୍ୟ ଜିଏସ୍‍ଟି ଫେରସ୍ତ ହେବାକୁ ଥିବାବେଳେ ରାଜ୍ୟ ଭିତରେ ବିଦ୍ୟୁତ୍‍ ଚାଳିତ ଗାଡି ଉତ୍ପାଦନ, ବିକ୍ରି, ପଞ୍ଜିକରଣ ଆଦିରେ ଏସ୍‍ଜିଏସ୍‍ଟି ଉପରେ ଅନୁରୂପ ସୁବିଧା ପ୍ରଦାନ କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ସେହିଭଳି ବିଦ୍ୟୁତ୍‍ ଚାଳିତ ଯାନର ବ୍ୟାଟେରୀ ଉତ୍ପାଦନ ପାଇଁ ବିନିଯୋଗ ପୁଞ୍ଜି ଉପରେ ୨୦ବର୍ଷ ପାଇଁ ୨୦ ପ୍ରତିଶତ ରିହାତି ସହିତ ଜମି ଦର ଉପରେ ସବ୍‍ସିଡ୍‍ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ ଲାଗି କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ଏ କ୍ଷେତ୍ରରେ ନିବେଶ ପାଇଁ ଆସୁଥିବା ପୁଞ୍ଜିପତିମାନଙ୍କୁ ଅଧିକ ସବ୍‍ସିଡ୍‍ ପ୍ରଦାନ ପାଇଁ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଅନୁରୂପ ଭାବେ ସୁଧ ଉପରେ ସବ୍‍ସିଡ୍‍ ପ୍ରଦାନ ପାଇଁ କୁହାଯାଇଛି ଯାହା ଫଳରେ ନିବେଶକାରୀମାନେ ଅଧିକ ଭାବେ ଆଗ୍ରହପ୍ରକାଶ କରିବେ ।

ଯୋଗାଯୋଗ ଲାଗି ଇ-ରିକ୍ସାର ଆବଶ୍ୟକ ଥିବାବେଳେ ସହରାଞ୍ଚଳରେ ଏଭଳି ସୁବିଧା ଲାଗି ଇ-ରିକ୍ସା ଉତ୍ପାଦନ ଆବଶ୍ୟକ । ଇଭି ନୀତିରେ ଇ-ରିକ୍ସା ଉତ୍ପାଦନକୁ ସବ୍‍ସିଡ୍‍ ପ୍ରଦାନ ଓ ପ୍ରୋତ୍ସାହନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ସେହିଭଳି ରାସ୍ତା ଘାଟରେ ଯାଉଥିବା ବିଦ୍ୟୁତ୍‍ ଚାଳିତ ଗାଡି ଯେଉଁଗୁଡିକ ଅତି କମ୍‍ରେ ୨୦ କିଲୋମିଟର ପରେ ଚାର୍ଜିଂ ଷ୍ଟେସନରେ ପହଞ୍ଚିପାରିବେ ସେଗୁଡିକୁ ଚାର୍ଜିଂ ସୁବିଧା ଯୋଗାଇ ଦେବାଲାଗି ଭ୍ରାମ୍ୟମାଣ ଚାର୍ଜିଂ ଗାଡିର ଆବଶ୍ୟକତା ରହିଛି ।

ଚାର୍ଜିଂ ଷ୍ଟେସନ ସ୍ଥାପନ, ବିଦ୍ୟୁତ୍‍ ଚାଳିତ ବସ୍‍, ଚାରି ଚକିଆ ଯାନ, ବ୍ୟବସାୟ ଭିତ୍ତିକ ୩ଚକିଆ ଯାନ ଏବଂ ବିଦ୍ୟୁତ୍‍ ଚାଳିତ ଗାଡି ଉତ୍ପାଦନ ଲାଗି ଅସଲ ଯନ୍ତ୍ରପାତି ବାବଦରେ କେନ୍ଦ୍ର ସରକାର ଯୋଗାଉଥିବା ସମ୍ବଳକୁ ଦୃଷ୍ଟିରେ ରଖି ସବ୍‍ସିଡ୍‍ର ପରିମାଣ ସ୍ଥିର ହେବ । ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ବଜେଟ୍‍ରେ ଧାର୍ଯ୍ୟ କରିଥିବା ନିୟମ ଅନୁଯାୟୀ ବିଦ୍ୟୁତ୍‍ ଚାଳିତ ଗାଡି ଖରିଦ କରୁଥିବା ଗ୍ରାହକମାନଙ୍କୁ ଋଣର ସୁଧ ଉପରେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ କିମ୍ବା ସମୁଦାୟ ଋଣ ଉପରେ ଅଢେଇ ଲକ୍ଷ ଟଙ୍କାର ଛାଡ ମିଳିବ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020