
କଟକ ଏସ୍ସିବି ମେଡିକାଲରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ୧୭୫ ଛୁଇଁଥିବାବେଳେ ସାରା ରାଜ୍ୟରେ କିନ୍ତୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫ରେ ସୀମିତ ଥିବା ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍ଭିବିଡିସିପି) ପକ୍ଷରୁ ଦର୍ଶାଯାଇଛି । ଏହି ସୂଚନା ଉପରେ ଏବେ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରୁଛନ୍ତି ।
ଏସ୍ସିବି ମେଡିକାଲ କଲେଜରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ ଛୁଇଁଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୪୪ ଜଣ ପୁରୁଷ ଥିବାବେଳେ ୩୧ଜଣ ମହିଳା ଅଛନ୍ତି । କେନ୍ଦ୍ରାପଡାର ସର୍ବାଧିକ ୩୪ଜଣ ରୋଗୀଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହେବା ଫଳରେ ସେମାନେ ଏଠାରେ ଚିକିତ୍ସିତ ହେଉଛନ୍ତି । ଏହାବାଦ୍ ଭଦ୍ରକ ଓ ଯାଜପୁରର ମଧ୍ୟ ୨୭ଜଣ କରି ରୋଗୀ ଏଠାରେ ଚିକିତ୍ସିତ ହେଉଛନ୍ତି । ଜଗତ୍ସିଂହପୁର ଜିଲ୍ଲାର ବି ୧୨ ରୋଗୀ ଏସ୍ସିବି ତାଲିକାରେ ଅଛନ୍ତି ।
କେବଳ କଟକରେ ଏତେ ସଂଖ୍ୟକ ରୋଗୀ ଚିକିତ୍ସିତ ହେଉଥିବାବେଳେ ୨୨ଟି ଜିଲ୍ଲାରେ ରୋଗୀ ସଂଖ୍ୟା ୨୮୫ ଥିବା ଏନ୍ଭିବିଡିସିପି କର୍ତ୍ତୃପକ୍ଷ ଦର୍ଶାଉଛନ୍ତି । ଏହି ତାଲିକାରେ କଟକରେ ସର୍ବାଧିକ ୪୫ଜଣ ଡେଙ୍ଗୁରୋଗୀ ଥିବା ଦର୍ଶାଯାଇଥିବାବେଳେ ଭଦ୍ରକ ଓ ଯାଜପୁରରେ ୩୮ଜଣ କରି, ବାଲେଶ୍ୱରରେ ୩୪, କେନ୍ଦ୍ରାପଡାରେ ୨୭, ଗଞ୍ଜାମରେ ୨୨, ଖୋରଧାରେ ୧୬, ଜଗତ୍ସିଂହପୁରରେ ୧୨ ଓ ଅନୁଗୁଳରେ ୧୦ ଜଣ ଡେଙ୍ଗୁ ଆକ୍ରାନ୍ତ ଥିବା ଉଲ୍ଲେଖ ଅଛନ୍ତି । ଅନ୍ୟ ଜିଲ୍ଲା ଗୁଡିକରେ ରୋଗୀସଂଖ୍ୟା ଏକ ଅଙ୍କରେ ସୀମିତ ଥିବାବେଳେ ନୟାଗଡ, ସୋନପୁର, ଦେବଗଡ, ଗଜପତି ଓ ବୌଦରେ ଜଣେ କରି ରୋଗୀ ରହିଥିବା ଦର୍ଶାଯାଇଛି । ଏହାବାଦ୍ ରାଜ୍ୟ ବାହାରର ୫ଜଣଙ୍କ ଠାରେ ଡେଙ୍ଗୁ ଭୂତାଣୁ ଠାବ ହୋଇଛି ।
ତେବେ ଗତବର୍ଷ ଏହି ସମୟ ମଧ୍ୟରେ ରାଜ୍ୟରେ ୨୩୪୫ ଜଣଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହୋଇଥିବାବେଳେ ୨୦୧୭ରେ ୬୭୦ ଓ ୨୦୧୬ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୩୯୪ ରହିଥିଲା । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୬୦୭୪ଜଣଙ୍କ ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ ୨୦୧୭ରେ ୭୭୦୩ ଓ ୨୦୧୬ରେ ଏହି ସମୟରେ ୨୭,୩୬୫ ଜଣଙ୍କ ରକ୍ତନମୂନା ପରୀକ୍ଷା କରାଯାଇଥିଲା ।
ଉଲ୍ଲେଖନୀୟ ଯେ ଡେଙ୍ଗୁ ପରୀକ୍ଷାପାଇଁ ରାଜ୍ୟର ୩୮ଟି ସ୍ଥାନରେ ସୁବିଧା ରହିଛି । ଏଥି ମଧ୍ୟରେ ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଏସ୍ସିବି, ଏମ୍କେସିଜି ଓ ଭିମ୍ସାର, ଭୁବନେଶ୍ୱର ଏମ୍ସ, କ୍ୟାପିଟାଲ ହସ୍ପିଟାଲ, ରାଉରକେଲାର ଆଇଜିଏଚ୍ ଓ ପାରାଦୀପ୍ରେ ଗୋଟିଏ ଚିକିତ୍ସାଳୟ ରହିଛି । ଏଠାରେ ଡେଙ୍ଗୁ ପରୀକ୍ଷା ହେବାପରେ ସେ ସଂକ୍ରାନ୍ତୀୟ ସୂଚନା ରାଜ୍ୟ ସ୍ତରକୁ ଆସିଥାଏ ଓ ତାହାକୁ ଏନ୍ଭିବିଡିସିପି କର୍ତ୍ତୃପକ୍ଷ ଏକତ୍ର କରି କରିଥାନ୍ତି । ତେବେ ଡେଙ୍ଗୁ ଚିହ୍ନଟ ହେଉଥିବା ରୋଗୀମାନେ ଅଧିକ ସଂଖ୍ୟାରେ ମେଡିକାଲ କଲେଜକୁ ଚିକିତ୍ସାପାଇଁ ଆସୁଥିବା ଲକ୍ଷ୍ୟ କରାଯାଉଛି । କେତେକ ମଧ୍ୟ ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି ।
କିନ୍ତୁ ପୂର୍ବବର୍ଷର ଡେଙ୍ଗୁରୋଗୀଙ୍କ ରେକର୍ଡ ଅନୁଧ୍ୟାନ କରିବାପରେ ବିଶେଷଜ୍ଞମାନେ ଚଳିତବର୍ଷର ତଥ୍ୟ ଉପରେ ସନ୍ଦେହ ପ୍ରକଟ କରୁଛନ୍ତି । ଯଦି କର୍ତ୍ତୃପକ୍ଷ ନିଜର ସଫଳତା ପାଇଁ ସୂଚନା ଲୁଚାଉଥିବେ ତେବେ ସ୍ୱାସ୍ଥ୍ୟ ପ୍ରଶାସନ ଯେଉଁଭଳି ଭାବେ ତତ୍ପରତା ଦେଖାଇବା କଥା ତାହା କରିପାରିବନାହିଁ ଓ ସ୍ଥିତି ବିଗିଡିଯିବାର ଭୟ ରହିଛି । ତେଣୁ ପ୍ରକୃତ ସ୍ଥିତି ଜାଣିବାପାଇଁ ବିଭାଗ ପକ୍ଷରୁ ଗୋଟିଏ ଉଚ୍ଚସ୍ତରୀୟ ଟିମ୍ ଗଠନ କିମ୍ବା କୌଣସି ତୃତୀୟପକ୍ଷ ଦ୍ୱାରା ଅନୁଧ୍ୟାନ ଲାଗି ମତପ୍ରକାଶ ପାଉଛି ।