
ହଳଦିଆ ପେଟ୍ରୋ କେମିକାଲ୍ସ (ଏଚ୍ପିଏଲ୍) ପକ୍ଷରୁ ଓଡିଶାରେ ପ୍ରାୟ ୭୮ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ବାଲେଶ୍ୱର ଜିଲ୍ଲାରେ ହାଇଡ୍ରୋକାର୍ବନ ପ୍ରକ୍ରିୟାକରଣ କମ୍ପେ୍ଲକ୍ସ ନିର୍ମାଣ ଲାଗି ଏଚ୍ପିଏଲ ଏହି ଅର୍ଥ ଖଟାଇବ ।
ଦେଶର ଅନ୍ୟତମ ବୃହତମ ପେଟ୍ରୋକେମିକାଲ ସଂସ୍ଥା ଏଚ୍ପିଏଲ୍ ବାଲେଶ୍ୱରରେ ନିର୍ମାଣ ହେବାକୁ ଥିବା ସୁବର୍ଣ୍ଣରେଖା ବନ୍ଦର ନିକଟରେ ଲାଇଟ କ୍ରୁଡ୍ ଅଏଲ ରିଫାଇନାରୀ, ଆରୋମାଟିକ କମ୍ପେ୍ଲକ୍ସ ଏବଂ ଇଥାନଲ କ୍ରାକର କମ୍ପେ୍ଲକ୍ସ ଆଦି ନିର୍ମାଣ କରିବାର ପ୍ରସ୍ତାବ ରହିଛି । ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଥିବା ଏଚ୍ପିଏଲ୍ ଏବେ ଓଡିଶାରେ ବଡ ପୁଞ୍ଜି ବିନିଯୋଗ ପାଇଁ ଆଖି ପକାଇଛି ।
ଏଚ୍ପିଏଲ୍ର ବାର୍ଷିକ କାରବାର ୧୩ହଜାର କୋଟି ଟଙ୍କା ହୋଇଥିବାବେଳେ ଏହି ଗ୍ରୁପ୍ ୧୮ହଜାର କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରୁଛି । ପୂର୍ବରୁ ଏଚ୍ପିଏଲ୍ ପକ୍ଷରୁ ୨୮,୭୦୦ କୋଟି ଟଙ୍କା ବ୍ୟୟରେ ସମନ୍ୱିତ ରିଫାଇନାରୀ କମ୍ପେ୍ଲକ୍ସ ନିର୍ମାଣ ପାଇଁ ପ୍ରସ୍ତାବ ଥବବାବେଳେ ତାହା ସଂଶୋଧିତ ହୋଇ ଏବେ ୭୮,୨୨୫କୋଟି ଟଙ୍କାରେ ପହଞ୍ଚିଛି । ଏହି ବୃହତ୍ ପ୍ରକଳ୍ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦ହଜାର ଲୋକ ନିଯୁକ୍ତି ପାଇପାରିବେ । ଏଚ୍ପିଏଲ୍ର ପ୍ରସ୍ତାବିତ କାରଖାନା ନିର୍ମାଣ ହେଲେ ଏହାଉପରେ ନିର୍ଭର କରୁଥିବା ଆନୁଷଙ୍ଗିକ ପେଟ୍ରୋଲିୟମ ଶିଳ୍ପ ମଧ୍ୟ ଗଢିଉଠିବ ।
ଏଚ୍ପିଏଲ୍ର ପ୍ରସ୍ତାବିତ ପ୍ରକଳ୍ପ ଲାଗି ମଧ୍ୟପୂର୍ବ ଦେଶରୁ କଞ୍ଚାମାଲ ଆସିବାକୁ ଥିବାବେଳେ ଏଥିପାଇଁ ୨୫୦୦ ଏକର ଜମି ଆବଶ୍ୟକ ପଡିବ । ଏହାବାଦ୍ ୪୫୦ ମେଗାୱାଟ ବିଜୁଳି ଓ ୩୯ କ୍ୟୁସେକ ଜଳ ମଧ୍ୟ ଏଥିପାଇଁ ଦରକାର । ରାଜ୍ୟରେ ଅଧିକ ସାନ୍ଧ୍ରତା ଥିବା ପିଲିଥିନ୍, ପଲିପ୍ରୋପେଲିନ୍, ପଲିଭିନ କ୍ଲୋରାଇଡ୍ ଏବଂ ପଲିଥିନ୍ ଟେରିପାଥଲେଟ୍ର ବିପୁଳ ଚାହିଦା ରହିଛି ।
ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ଏଚ୍ପିଏଲ୍ ଏହି ପ୍ରକଳ୍ପ ବସାଇବାକୁ ସ୍ଥିର କରିଛି । ପଶ୍ଚିମବଙ୍ଗରେ ଏଚ୍ପିଏଲ୍ର ଥିବା ଅନୁରୂପ ପ୍ରକଳ୍ପରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡିଶାରେ ଅନୁରୂପ ପ୍ରକଳ୍ପ ବସାଇବାପାଇଁ ଏଚ୍ପିଏଲ୍ ଚାହୁଁଥିବାବେଳେ ଏଥିପାଇଁ ହୋଇଥିବା ପ୍ରାରମ୍ଭିକ ସର୍ଭେରୁ ସକରାକ୍ରମ ଫଳ ମିଳିଛି ।
ଉଦାହରଣ ସ୍ୱରୂପ ୨୦୨୫ ସୁଦ୍ଧା ଓଡିଶାରେ ଉଚ୍ଚ ସାନ୍ଧ୍ରତା ଥିବା ପଲିଥିନ୍ର ଚାହିଦା ବାର୍ଷିକ ୧୦୦ କିଲୋ ଟନ୍ ରହିବ । ଅନୁରୂପ ଭାବେ ପଲିପ୍ରୋପେଲିନ୍ର ଚାହିଦା ବାର୍ଷିକ ୩୫୦କିଲୋ ଟନ୍ ଏବଂ ପିଭିସିର ଚାହିଦା ୨୦୦ କିଲୋ ଟନ୍ ଚାହିଦା ରହିବ ବୋଲି ସୂଚନା ମିଳିଛି । ପଲିଷ୍ଟର ଫାଇବର ଏବଂ ସୂତାର ଚାହିଦା ପ୍ରାୟ ୩୫୦ କିଲୋ ଟନ୍ ରହିବାକୁ ଥିବାବେଳେ ଏହା ମାଧ୍ୟମରେ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବ୍ୟାପକ ବିକାଶ ହୋଇପାରିବ ।
ଏମ୍ଏସ୍ଏମ୍ଇ ମନ୍ତ୍ରାଳୟ ପକ୍ଷରୁ ବାଲେଶ୍ୱରରେ ଏମ୍ଏସ୍ଏମ୍ଇ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବା ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପେଟ୍ରୋକେମିକାଲ୍ସ ଶିଳ୍ପର ସ୍ଥାପନ ମାଧ୍ୟମରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଓଡିଶାରେ ଏଭଳି ବୃହତ୍ ଶିଳ୍ପ ସ୍ଥାପନ ପାଇଁ ଆନ୍ତଃ ମନ୍ତ୍ରାଳୟ ସ୍ତରରେ ସମନ୍ୱୟର ଜରୁରୀ ଥିବାବେଳେ ଏଚ୍ପିଏଲ୍ର ପରିଚାଳନା ନିର୍ଦ୍ଦେଶକ ପୁର୍ଣ୍ଣେନ୍ଦୁ ଚାଟାର୍ଜୀ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ସମ୍ପର୍କରେ ଥିବା ସୂଚନା ମିଳିଛି ।