
ଓଡିଶା ହାଇକୋର୍ଟରେ ଏବେ ପ୍ରାୟ ଦେଢ ଲକ୍ଷ ମୋକଦ୍ଦମା ବିଚାର ପ୍ରତୀକ୍ଷାରେ ରହିଛି । ହାଇକୋର୍ଟରେ ପାଖାପାଖି ଅଧା ବିଚାରପତି ପଦବୀ ଖାଲିପଡିଥିବାରୁ ମାମଲା ଗୁଡିକର ତ୍ୱରିତ ଫଏସଲା ହେବା କ୍ଷେତ୍ରରେ ସମସ୍ୟା ଉପୁଜୁଛି । ଓଡିଶା ହାଇକୋର୍ଟ ପାଇଁ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଏଥିରୁ ଏବେ ୧୩ଟି ଖାଲିପଡିଛି ।
ସର୍ବଶେଷ ହିସାବ ଅନୁଯାୟୀ ହାଇକୋର୍ଟରେ ଆଜି ସୁଦ୍ଧା ୧,୪୯,୦୩୪ଟି ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ସେଥିରୁ ୫୬୪ଟି ମାମଲା ୩୦ବର୍ଷରୁ ଅଧିକ ପୁରୁଣା ଥିବାବେଳେ ୩୩୬୧ଟି ହେଉଛି ୨୦ରୁ ୩୦ବର୍ଷର ପୁରୁଣା । ଓଡିଶା ହାଇକୋର୍ଟରେ ୧୦ରୁ ୨୦ବର୍ଷ ଧରି ଗଡୁଥିବା ୨୨,୬୬୭ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ୫ରୁ ୧୦ବର୍ଷର ପୁରୁଣା ମାମଲା ସଂଖ୍ୟା ହେଉଛି ୩୬,୩୭୦ । ଏହାଛଡା ୩ରୁ ୫ବର୍ଷର ୨୨,୪୮୩ଟି ପୁରୁଣା ମାମଲା ଥିବାବେଳେ ବର୍ଷେରୁ ୩ବର୍ଷର ପୁରୁଣା ମାମଲା ସଂଖ୍ୟା ହେଉଛି ୨୯,୮୪୮ । ତେବେ ଆମ ହାଇକୋର୍ଟରେ ବର୍ଷେକରୁ କମ୍ ଅବଧିର ୩୩,୭୪୧ଟି ମାମଲା ଥିବା ନେସ୍ନାଲ ଜୁଡିସିଆଲ ଡାଟା ଗ୍ରିଡ୍ ୱେବସାଇଟ୍ର ପ୍ରଦତ୍ତ ତଥ୍ୟରୁ ଜଣାପଡିଛି ।
ରାଜ୍ୟ ହାଇକୋର୍ଟରେ ଯେତେ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ସେଥିରୁ ୪୦,୬୩୫ଟି ଅପରାଧିକ ମାମଲା ଥିବାବେଳେ ୩୯,୮୯୫ଟି ହେଉଛି ସିଭିଲ ମାମଲା । ଏହାଛଡା ଆଉ ୬୮,୫୦୪ଟି ରିଟ୍ ପିଟିସନ ମଧ୍ୟ ଓଡିଶା ହାଇକୋର୍ଟରେ ବିଚାର ପାଇଁ ଅଛି । ହାଇକୋର୍ଟରେ ଥିବା ଅପରାଧିକ ମାମଲା ଗୁଡିକ ମଧ୍ୟରୁ ୭ଟି ୩୦ବର୍ଷରୁ ଅଧିକ ସମୟ ଧରି ପଡିଥିବାବେଳେ ୬୫୪ଟି ୨୦ରୁ ୩୦ବର୍ଷ, ୭୭୩୯ଟି ୧୦ରୁ ୨୦ବର୍ଷ, ୮୫୪୭ଟି ୫ରୁ ୧୦ବର୍ଷ ଓ ୪୬୫୪ଟି ୩ରୁ ୫ବର୍ଷର ପୁରୁଣା ।
ସେହିପରି ସିଭିଲ ମାମଲା ଗୁଡିକ ମଧ୍ୟରୁ ୫୪୮ଟି ୩୦ବର୍ଷରୁ ଅଧିକ ପୁରୁଣା ଥିବାବେଳେ ୨୦୧୦ଟି ୨୦ରୁ ୩୦ବର୍ଷ, ୮୩୮୯ଟି ୧୦ରୁ ୨୦ବର୍ଷ, ୮୧୪୮ଟି ୫ରୁ ୧୦ବର୍ଷ, ୫୩୪୭ଟି ୩ରୁ ୫ବର୍ଷ ଓ ୭୩୧୬ଟି ବର୍ଷେରୁ ୩ବର୍ଷ ପର୍ଯ୍ୟନ୍ତ ପୁରୁଣା । ଓଡିଶା ହାଇକୋର୍ଟରେ ବିଚାର ପ୍ରତୀକ୍ଷାରେ ଥିବା ୬୮,୫୦୪ଟି ରିଟ୍ ଆବେଦନ ମଧ୍ୟରୁ ୯ଟି ୩୦ବର୍ଷରୁ ଅଧିକ ପୁରୁଣା ଥିବାବେଳେ ୬୯୭ଟି ୨୦ରୁ ୩୦ବର୍ଷ, ୬୫୩୯ଟି ୧୦ରୁ ୨୦ବର୍ଷ, ୧୯,୬୭୫ଟି ୫ରୁ ୧୦ବର୍ଷ, ୧୨,୪୮୨ଟି ୩ରୁ ୫ବର୍ଷ ଓ ୧୬,୨୬୩ଟି ବର୍ଷେରୁ ୩ବର୍ଷ ପର୍ଯ୍ୟନ୍ତ ପୁରୁଣା ମାମଲା ବୋଲି ଏହି ତଥ୍ୟ କହୁଛି । ଗତମାସରେ ହାଇକୋର୍ଟରେ ୯୯୪୬ଟି ମାମଲାର ଫଏସଲା ହୋଇଛି ।
ହାଇକୋର୍ଟର ବରିଷ୍ଠ ଆଇନ୍ଜୀବୀମାନେ କହୁଛନ୍ତି ଯେ ଏଠାରେ ବିଚାରପତିମାନେ ମାମଲା ଫଏସଲା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ଏବଂ ଲୋକ ଅଦାଲତ ମାଧ୍ୟମରେ ବି ଅନେକ ମାମଲା ଫଏସଲା ହେଉଛି । ତେବେ ହାଇକୋର୍ଟରେ ଯେତିକି ମାମଲା ବିଚାର ପ୍ରତୀକ୍ଷାରେ ରହିଛି ଓ ଯେତେ ନୂଆ ମାମଲା ରୁଜୁ ହେଉଛି ତାହାର ଫଏସଲା ଲାଗି ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୪୨କୁ ବଢାଇବା ସଂଗେ ସଂଗେ ଖାଲିଥିବା ସମସ୍ତ ବିଚାରପତି ପଦବୀ ତୁରନ୍ତ ପୂରଣ କରାଯିବା ଦରକାର ।
ଏହା ନକରି ସରକାର ସ୍ୟାଟ୍ରେ ବିଚାର ପ୍ରତୀକ୍ଷାରେ ଥିବା ପ୍ରାୟ ୭୨ହଜାର ମାମଲାର ବୋଝ ହାଇକୋର୍ଟ ଉପରେ ଲଦୁଛନ୍ତି । ଫଳରେ ହାଇକୋର୍ଟରେ ମାମଲା ସଂଖ୍ୟା ୨ଲକ୍ଷ ୨୦ହଜାରକୁ ଟପିଯିବ । କେବଳ ସ୍ୟାଟ୍ର ପୁରୁଣା ମାମଲା ଓ ଚାକିରି ତଥା ପେନ୍ସନ ସଂକ୍ରାନ୍ତୀୟ ନୂଆ ମାମଲାର ବିଚାରପାଇଁ ହାଇକୋର୍ଟରେ ଅନ୍ୟୁନ ଆଉ ୮ଜଣ ନୂଆ ବିଚାରପତିଙ୍କ ଆବଶ୍ୟକତା ରହିଛି । ଏହା କରାନଗଲେ ଚାକିରି ତଥା ପେନ୍ସନ ସଂକ୍ରାନ୍ତୀୟ ପୁରୁଣା ଓ ନୂଆ ମାମଲା ଗୁଡିକ ବହୁବର୍ଷ ଧରି ଗଡିବାର ଆଶଙ୍କା ଅଛି । ଏ ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରି ଏଠାରେ ବି ଅଧିକ ସଂଖ୍ୟକ ଦକ୍ଷ ବିଚାରପତି ନିଯୁକ୍ତି ଦେବାକୁ ମତପ୍ରକାଶ ପାଉଛି ।