ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କରୋନା ପରୀକ୍ଷା ପାଇଁ କର୍ମଚାରୀ ହନ୍ତସନ୍ତ

ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ବାରମ୍ବାର ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତର ଏଥିଯୋଗୁ ସିଲ୍‍ ହେଉଛି । ତେବେ ଅଣସଂକ୍ରମିତ କର୍ମଚାରୀମାନଙ୍କୁ କରୋନା ପରୀକ୍ଷା ସାର୍ଟିଫିକେଟ୍‍ ନେଇ ଆସିବା ପାଇଁ କେତେକ ଦପ୍ତର ନିର୍ଦ୍ଦେଶ ଦେଉଥିବା ପରିପ୍ରେକ୍ଷୀରେ ଏହି ପରୀକ୍ଷା ଲାଗି କର୍ମଚାରୀମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ତେଣୁ ସିଲ୍‍ ହେଉଥିବା ଦପ୍ତରଗୁଡ଼ିକରୁ କର୍ମଚାରୀମାନଙ୍କର ସ୍ୱାବ ସଂଗ୍ରହ କରି କର୍ତ୍ତୃପକ୍ଷ ମାଗଣାରେ ପରୀକ୍ଷଣ କରାଇବା ପାଇଁ ଦାବି ହେଉଛି ।

ଏବେ ସୁଦ୍ଧା ସମଗ୍ର ରାଜ୍ୟରେ ପ୍ରାୟ ଦେଢ଼ଲକ୍ଷ କରୋନା ସଂକ୍ରମିତ ଚିହ୍ନିତ ହେଲେଣି । ଗୋଟିଏ ଗୋଟିଏ ଦିନରେ ୪ହଜାର ପାଖାପାଖି ନୂଆ ସଂକ୍ରମିତ ଠାବ ହେଉଥିବା ବେଳେ ଏହି ମହାମାରୀ ୬୨୦ରୁ ଅଧିକ ମୁଣ୍ଡ ନେଇସାରିଲାଣି । କେବଳ ଖୋର୍ଦ୍ଧା ଜିଲ୍ଲାରେ ଏଯାବତ୍‍ ୮୯ ଜଣ ଲୋକ ମଲେଣି । ଏହି ଜିଲ୍ଲାରେ ୨୬ହଜାରରୁ ଅଧିକ ସଂକ୍ରମିତ ଚିହ୍ନିତ ହୋଇଥିବା ବେଳେ ଆଜିର ଦିନରେ ୭ହଜାରରୁ ଅଧିକ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ।

କେବଳ ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଗୋଟିଏ ଦିନରେ ତିନିଶହରୁ ଛଅଶହ ପର୍ଯ୍ୟନ୍ତ ନୂଆ କରୋନା ରୋଗୀ ଚିହ୍ନିତ ହେଉଛନ୍ତି । ଏଯାବତ୍‍ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ପ୍ରାୟ ୧୬ହଜାର କରୋନା ସଂକ୍ରମିତ ଚିହ୍ନିତ ହୋଇଥିବା ବେଳେ ୫ହଜାରରୁ ଅଧିକ ଚିକିତ୍ସାଧୀନ ରହିଛନ୍ତି ।

ସରକାରୀ ଡାକ୍ତରଖାନାଗୁଡ଼ିକରେ କରୋନା ପରୀକ୍ଷା ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଛି ଏବଂ ଏଥିଲାଗି ପଞ୍ଜିକରଣ, ଟୋକନ୍‍ ପ୍ରଦାନ, ପରୀକ୍ଷା, ରିପୋର୍ଟ ସଂଗ୍ରହ ଆଦି ପାଇଁ ବାରମ୍ବାର ଡାକ୍ତରଖାନା ଦୌଡ଼ିବାକୁ ହେଉଛି । ରାଜଧାନୀର ସହରାଞ୍ଚଳ ଡାକ୍ତରଖାନାଗୁଡ଼ିକରେ ପ୍ରତିଦିନ ସୀମିତ ସଂଖ୍ୟକ କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଉଥିବା ଏବଂ ରିପୋର୍ଟ ମିଳିବାରେ ବିଳମ୍ବ ହେଉଥିବାରୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନୁଯାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସିଲ୍‍ ହେଉଥିବା ଦପ୍ତରର କର୍ମଚାରୀମାନେ କରୋନ ପରୀକ୍ଷଣ ରିପୋର୍ଟ ଦେବା ସମ୍ଭବପର ହେଉନାହିଁ । ତେଣୁ ଅନେକ କର୍ମଚାରୀ ହାତରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ବେସରକାରୀ ସଂସ୍ଥାଗୁଡ଼ିକରେ କରୋନା ପରୀକ୍ଷା ଲାଗି ଲମ୍ବା ଧାଡ଼ି ଲଗାଉଛନ୍ତି ।

ବେସରକାରୀ ସଂସ୍ଥାଗୁଡ଼ିକରେ ଅପେକ୍ଷାକୃତ କମ୍‍ ସମୟ ମଧ୍ୟରେ କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ହୋଇପାରୁଛି ଏବଂ ରିପୋର୍ଟ ମଧ୍ୟ ସରକାରୀ ଡାକ୍ତରଖାନା ତୁଳନାରେ ଶୀଘ୍ର ମିଳୁଛି । ତେଣୁ ବେସରକାରୀ ସଂସ୍ଥାଗୁଡ଼ିକରେ ଏଥିଲାଗି ଅଧିକ ଭିଡ଼ ଜମିବାରେ ଲାଗିଛି ।

ଏହି ପରୀକ୍ଷଣ ପାଇଁ କେତେକ ବେସରକାରୀ ଡାକ୍ତରଖାନାରେ ଡାକ୍ତର ଲେଖିଲେ ଯାଇ ନମୁନା ସଂଗ୍ରହ ହୋଇଛି । ତେଣୁ ଧାଡ଼ିକରି ଥର୍ମୋଟେଷ୍ଟ କରିବା ପରେ ସମ୍ପୃକ୍ତ ଡାକ୍ତରଖାନାରେ ଡାକ୍ତରଙ୍କ ପାଇଁ ଫିସ୍‍ ବାବଦରେ ୩୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଆଗେ ବିଲିଂ କାଉଣ୍ଟରରେ ଜମାଦେଇ ଅପେକ୍ଷା କରିବାକୁ ପଡ଼ୁଛି । ଡାକ୍ତର ଆସିବା ପରେ ବିଲ୍‍ ଦାଖଲ କରିଥିବା ଲୋକମାନଙ୍କୁ ସେ କ୍ରମରେ ଦେଖୁଛନ୍ତି ଏବଂ ଏହାପରେ କରୋନା ପରୀକ୍ଷା ଲାଗି ପ୍ରେସ୍‍କ୍ରିପ୍‍ସନ୍‍ରେ ଲେଖୁଛନ୍ତି ।

ଡାକ୍ତରଙ୍କ ଚିଠାକୁ ନେଇ ପୁଣିଥରେ ବିଲିଂ କାଉଣ୍ଟରରେ ଧାଡ଼ିବାନ୍ଧି ପରୀକ୍ଷା ବାବଦ ଅର୍ଥ ଜମା କରିବାକୁ ହେଉଛି ଏବଂ ଏହାପରେ ନିର୍ଦ୍ଧାରିତ ସମୟରେ ଟଙ୍କା ଜମା କରିଥିବା ବ୍ୟକ୍ତିମାନଙ୍କର ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ନିଆଯାଉଛି ଏବଂ ସେହିଦିନ କିମ୍ବା ତା’ପରେ ଏହି ରିପୋର୍ଟ ମିଳୁଛି । ଏଥିଲାଗି ସମ୍ପୃକ୍ତ କର୍ମଚାରୀଙ୍କୁ ନିଜ ପକେଟ୍‍ରୁ ଦେଢହଜାରରୁ ଦୁଇହଜାର ଟଙ୍କା ପର୍ଯ୍ୟନ୍ତ କେତେକ ଡାକ୍ତରଖାନାରେ ଖର୍ଚ୍ଚ କରିବାକୁ ହେଉଛି ଓ ଏଥିରେ ଅଧାଦିନ ସମୟ ବରବାଦ ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ପଡ଼ୁଥିବାରୁ କରୋନା ସଂକ୍ରମଣର ଭୟ ମଧ୍ୟ ରହୁଛି । ତେଣୁ ଦପ୍ତର ସିଲ୍‍ କରିବା ପୂର୍ବରୁ ସେଠାକାର କର୍ମଚାରୀମାନଙ୍କର ସ୍ୱାବ କର୍ତ୍ତୃପକ୍ଷ ସଂଗ୍ରହ କରି ମାଗଣାରେ ପରୀକ୍ଷା ପାଇଁ ସ୍ୱଳ୍ପ ବେତନଭୋଗୀ କର୍ମଚାରୀମାନେ ଦାବି କରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020